ETV Bharat / state

କୋଟିଆ କଳି, ବିଦ୍ୟାଳୟରୁ ବିଜୁଳି ସଂଯୋଗ କାଟିଲେ ଆନ୍ଧ୍ର ସରକାର

author img

By

Published : Apr 18, 2023, 2:23 PM IST

କୋଟିଆ ସୀମା ବିବାଦ
students electricity problem for kotia dispute

କୋଟିଆ କଳିରେ ପେଶି ହେଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦରେ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ଥିବା ଏକ ସ୍କୁଲରୁ ବିଜୁଳି ସଂଯୋଗ କାଟି ଦେଇଛନ୍ତି ଆନ୍ଧ୍ର ସରକାର ଫଳର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ବିଦ୍ୟାଳୟରୁ ବିଜୁଳି ସଂଯୋଗ କାଟିଲା ଆନ୍ଧ୍ର ସରକାର

କୋରାପୁଟ: କୋଟିଆକୁ ନେଇ ସର୍ବଦା ରାଜନୀତି ସରଗରମ ରହିଛି । ସୀମା ବିବାଦକୁ ନେଇ କୋଟିଆ ସବୁବେଳେ ଚର୍ଚ୍ଚାରେ । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ କେଁ ଲାଗି ରହିଛି । ଏହାରି ଭିତରେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛି କୋଟିଆ କଳି । ବିଦ୍ୟାର୍ଥୀଙ୍କ ଉପରେ ଭାରି ପଡିଛି କୋଟିଆ କଳି । କୋଟିଆ ସୀମା ବିବାଦ ପାଇଁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି । କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟ ଜିଲ୍ଲା ଶେଷ ଗାଁ ତାଡିବାଲାସାଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହି ସ୍କୁଲକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜୁଳି ସଂଯୋଗ କରାଯାଇଥିଲା ମାତ୍ର ଏବେ କୋଟିଆ କଳି ଉପୁଜିବା ପରେ ବିଦ୍ୟାଳୟରୁ ବିଜୁଳି ସଂଯୋଗ କାଟି ଦେଇଛନ୍ତି ଆନ୍ଧ୍ର ସରକାର । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଜୁଳି ସଂଯୋଗ ନଥିବା ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ତାଡିବାଲାସା ଆବାସିକ ବିଦ୍ୟାଳୟ ବିଦ୍ୟାର୍ଥୀ ।

ତାଡିବାଲାସାଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମାତ୍ର ଏଠାରେ ଏବେ ସୂର୍ଯ୍ୟାସ୍ତ ଆସିବା ମାତ୍ର ମାଡି ଆସୁଛି ଅନ୍ଧାରର ରାଜୁତି । ସନ୍ଧ୍ୟା ସମୟରେ କେବଳ ଘଣ୍ଟେ ଦୁଇଘଣ୍ଟା ଆଲୁଅ ଦେଇ ବିଦ୍ୟାଳୟରେ ଲାଗିଥିବା ସୋଲାର ପ୍ରକଳ୍ପ ନୀରବ ହୋଇଯାଉଛି । ଫଳରେ ଏହି ଛାତ୍ରାବାସରେ ରହୁଥିବା ଶହେ ଜଣ ଛାତ୍ରଛାତ୍ରୀ ଅନ୍ଧକାରରେ ରାତ୍ରିଯାପନ କରିବାକୁ ବାଧ୍ୟ ହେଉଛନ୍ତି । ତାଡିବାଲାସା ଗ୍ରାମକୁ ଆନ୍ଧ୍ରସରକାର ବିଜୁଳି ଯୋଗାଇ ଦେଇଥିବା ବେଳେ ଓଡିଶା ସରକାରଙ୍କ ବିଜୁଳି ସଂଯୋଗ ତାର ଗାଁକୁ ପହଞ୍ଚି ପାରିନାହିଁ । ତେଣୁ ଘରେ ଆନ୍ଧ୍ର ସରକାରଙ୍କ ପ୍ରଦତ୍ତ ବିଜୁଳି ଉପଭୋଗ କରୁଥିବା ବେଳେ ପଡ଼ିଶାରେ ଥିବା ବିଦ୍ୟାଳୟଟି ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ବିଦ୍ୟାଳୟକୁ ବିଜୁଳି ସଂଯୋଗ କାଟି ଦେଇଛି ଆନ୍ଧ୍ର । କୋଟିଆ ସୀମା ବିବାଦକୁ ନେଇ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଦେବାକୁ ପାଇଁ ରୋକଠୋକ ମନା କରି ଦେଇଛନ୍ତି ଆନ୍ଧ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଭତ୍ରା ।

ବିଦ୍ୟାଳୟର ବିଦ୍ୟୁତ ସମସ୍ୟା ଦୂର କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ ନିଜ ବ୍ୟକ୍ତିଗତ ଗୃହ ନିମନ୍ତେ ବିଜୁଳି ସଂଯୋଗ ଆଣି ଆନ୍ଧ୍ର ସରକାରଙ୍କ ନିଷେଧାଜ୍ଞାଙ୍କୁ ଖାତିର ନ କରି ବିଦ୍ୟାଳୟକୁ ବିଜୁଳି ସଂଯୋଗ କରିଥିଲେ । କିନ୍ତୁ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ଏହା ଜାଣିପାରି ପିଲାଙ୍କ ପ୍ରତି ମାନବିକତାର ସମସ୍ତ ଦିଗକୁ ଭୁଲିଯାଇ ବିଦ୍ୟାଳୟରୁ ବିଜୁଳି ସଂଯୋଗକୁ ଛିନ୍ନ କରିବା ସହ ସଭାପତିଙ୍କୁ 10 ହଜାର ଟଙ୍କା ବିଲ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ଓଡ଼ିଶାର ବିଦ୍ୟାଳୟ ଓ ଆନ୍ଧ୍ରର ବିଜୁଳି ବିଭାଗ ମଧ୍ୟରେ ଏପରି ଛକାପଞ୍ଝା ଭିତରେ ଅନ୍ଧାରକୁ ଠେଲି ହୋଇଛି ପିଲାଙ୍କ ଭବିଷ୍ୟତ । ଓଡ଼ିଶା ସରକାରଙ୍କ ତରଫରୁ 2018 ମସିହାରେ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ସମୟରେ ବିଦ୍ୟାଳୟକୁ ଏକ ସୌର ବିଦ୍ୟୁତ ପ୍ରକଳ୍ପ ଦିଆଯାଇଥିଲା । ବ୍ୟାଟେରୀ ଦୁର୍ବଳ ହୋଇଯାଇଥିବା ଯୋଗୁଁ ସେଥିରୁ କେବଳ ଦିନବେଳେ ସୂର୍ଯ୍ୟାଲୋକ ପଡୁଥିବା ସମୟ ପର୍ଯ୍ୟନ୍ତ ଚାର୍ଜ ରହୁଛି । ଦିନକୁ ମାତ୍ର 2 ଘଣ୍ଟା କାମରେ ଆସୁଛି ସୋଲାର ସିଷ୍ଟମ ଏହାପରେ ସବୁ ଠପ ।

ବିଦ୍ୟାଳୟକୁ ଅନ୍ଧକାରରେ ବୁଡାଇ ଦେଇଛି ଏହି କୋଟିଆ ବିବାଦ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି । ରାତିରେ ବିଜୁଳି ନଥିବା ଯୋଗୁଁ ପିଲାମାନେ ପାଠ ପଢିବାରୁ ବଞ୍ଚିତ ହେବା ଟାଙ୍କିକୁ ପାଣି ଉଠାଇପାରୁନଥିବାରୁ ହଇରାଣ ହେଉଛନ୍ତି । ଏଥି ସହିତ ବର୍ତ୍ତମାନ ଗ୍ରୀଷ୍ମ ତାତିରେ ପିଲାମାନେ ସମସ୍ୟା ଭୋଗୁଛନ୍ତି । କୋଟିଆ ସୀମା ବିବାଦକୁ ନେଇ ରାଜନୈତିକ ନେତୃବୃନ୍ଦଙ୍କ ମଧ୍ୟରେ ବୟାନବାଜି ଜୋର୍‌ ଧରିଥିବା ବେଳେ ତାଡିବାଲାସା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ରାଜ୍ୟ ସରକାର ତୁରନ୍ତ ବିଦ୍ୟାଳୟର ଏହି ସମସ୍ୟାକୁ ସମାଧାନ କରି ପିଲାଏ କିପରି ଭଲ ଭାବେ ରହି ପାରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.