ETV Bharat / state

କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

author img

By ETV Bharat Odisha Team

Published : Dec 14, 2023, 3:52 PM IST

CM Launches LAccMI Yojana In Koraput: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । କୋରାପୁଟରେ ୬୩ଟି ବସ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ । ଉପକୃତ ହେବେ ୧୩ ଲକ୍ଷ ଲୋକ । ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ଲକ୍ଷ୍ମୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ
କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । କୋରାପୁଟରେ ୬୩ଟି ବସ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ । ଫଳରେ ଉପକୃତ ହେବେ ୧୩ ଲକ୍ଷ ଲୋକ । କୋରାପୁଟ ନୂଆ ବସଷ୍ଟାଣ୍ଡ ପାଇଁ ଜମି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ଯୋଜନା ଗାଁ ଲୋକଙ୍କ ପାଇଁ ଆଶୀର୍ବାଦ । ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ଲକ୍ଷ୍ମୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲକ୍ଷ୍ମୀ ଯୋଜନାର ବସକୁ ନିଜ ସମ୍ପତ୍ତି ପରି ରକ୍ଷଣାବେକ୍ଷଣ କରିବା ପାଇଁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ- କାଲିଠୁ ରାୟଗଡ଼ାରେ ଗଡିବ ୪୦ଟି 'ଲକ୍ଷ୍ମୀ ବସ୍'

ଉପକୃତ ହେବେ ୬୩ ଲକ୍ଷ ଲୋକ: କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ ସେବା ପାଇଲେ । ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ ସୁବିଧା ମିଳିଲା । ଏସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା । ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବ । ଏହା ସହିତ ଲୋକମାନେ ସୁବିଧାରେ କମ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ।

ବିକାଶର ଆଲୋକକୁ କରିଛି ଉଜ୍ଜଳ: ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣିଲା । ତେଣୁ ଏହି ଯୋଜନା ଆରମ୍ଭ କରାଯାଇଛି । ଲକ୍ଷ୍ମୀ ବସ ସମସ୍ତଙ୍କୁ ଯୋଡିବା କାମ କରିବ । ପିଲାମାନଙ୍କୁ ସ୍କୁଲ କଲେଜ ନେବ । ରୋଗୀକୁ ହସ୍ପିଟାଲ ନେବ । ଚାଷୀକୁ ମାର୍କେଟ ସହିତ ଯୋଡିବ । ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ । ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ ଏକ ଆଶୀର୍ବାଦ । ଏହା ସହିତ ଲକ୍ଷ୍ମୀ ବସ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ।

ପଞ୍ଚାୟତରେ ଆସିଛି ନୂଆ ଜାଗରଣ: ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି । ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି । ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି । ଗାଁର ରୂପାନ୍ତର ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି । ଓଡିଶା ଆମ ସମସ୍ତଙ୍କର । ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର । ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ଆଶା ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ- LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ଲକ୍ଷ୍ମୀ ବସକୁ ନିଜ ସମ୍ପତ୍ତି ପରି ରକ୍ଷଣାବେକ୍ଷଣ କର: 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଲକ୍ଷ୍ମୀ ଯୋଜନାର ବସ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି । ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କୋରାପୁଟର ନୂଆ ବସଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି ।

ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ: ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ପିତମ ପାଢୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.