ETV Bharat / state

LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 12, 2023, 4:07 PM IST

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଛି । ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି । ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରିରୁ ହିଁ ମୋ ପାଖକୁ ଆସିଥିଲା । ସେହିପରି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ଅଧିକ ପଢନ୍ତୁ

ରାଜ୍ୟରେ ଚାଲିବ ହଜାରେ ବସ; ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ :  ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଚାଲିବ ହଜାରେ ବସ; ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଚାଲିବ ହଜାରେ ବସ; ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରେ ଲକ୍ଷ୍ମୀ ବସ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଯୋଜନାର ପ୍ରଥମ ବସରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ କିଣି ମାଲକାନଗିରିରୁ ଏମଭି-୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଛି । ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି । ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରିରୁ ହିଁ ମୋ ପାଖକୁ ଆସିଥିଲା । ସେହିପରି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ । ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ- LAccMI Scheme: କାଲିଠୁ ଗଡ଼ିବ 'ଲକ୍ଷ୍ମୀ ବସ୍', ମାଲକାନଗିରିରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ମୀ ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ । ଗାଁ ଗାଁରେ ସମୃଦ୍ଧି ଆଣିବ । ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ ଚାଲିବ । ମାଲକାନଗିରିରେ ଆଜି ୩୬ଟି ବସ ଚାଲିଲା । ମାଲକାନଗିରିର ୧୧୧ଟି ପଞ୍ଚାୟତକୁ ବସ ସୁବିଧା ମିଳିଲା । ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳରେ ଲକ୍ଷ୍ମୀ ଯୋଜନାରେ ବସ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଯୋଗାଯୋଗ ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଘର ପାଖକୁ ଆସିବ ବସ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ । ଚାଷୀକୁ ମାର୍କେଟ ସହିତ ଯୋଡିବ । ରୋଗୀକୁ ହସ୍ପିଟାଲ ନେବ । ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ । ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଖୁବଶୀଘ୍ର ମାଲକାନଗିରି ଏଥିରେ ସାମିଲ ହେବ । ଏଥିରେ ଗାଁରେ ମିଳିବ ସହରର ସୁବିଧା । ବ୍ୟାଙ୍କିଂ, ଇଣ୍ଟରନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ ।

ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶର ଏକ ବଡ ମାଇଲଷ୍ଟୋନ । ଏହି ସେତୁ ଜରିଆରେ ସ୍ବାଭିମାନ ଅଞ୍ଚଳରେ ଆସିଛି ବିକାଶର ଆଲୋକ । ସେହିପରି ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଦୁଇ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ ସମୟରେ ଶେଷ ହେବ । ମାଲକାନଗିରିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ- LAccMI Scheme: ‘ଲକ୍ଷ୍ମୀ ବସରେ ମିଳିବ ସୁରକ୍ଷା, ସୁବିଧା ଓ ସମ୍ମାନ’

କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ବାଗତ ଭାଷଣ ଦେଇଛନ୍ତି । କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେତେ ସବୁ ନୂତନ ଯୋଜନା କରିଥାନ୍ତି, ତାହା ମାଲକାନଗିରି ଜିଲ୍ଲାରୁ ଆରମ୍ଭ । ତେଣୁ ମାଲକାନଗିରି ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଲକ୍ଷ୍ମୀ ବସ ଯୋଗୁ ମାଲକାନଗିରିର ଆଭ୍ୟନ୍ତରୀଣ ଅଞ୍ଚଳକୁ ବସ ଚଳାଚଳ ହେବା ଫଳରେ ଗାଁ ଗହଳିର ଲୋକମାନେ ବହୁଳ ଭାବେ ଉପକୃତ ହେବେ । ଅନ୍ୟତମ ଅତଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା କହିଛନ୍ତି ଯେ, ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆଜି ଦିନଟି ଏକ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ ଆମ ଅଞ୍ଚଳର ବହୁତ ବିକାଶ ହୋଇଛି ।

ଅଧିକ ପଢନ୍ତୁ- LAccMI Scheme: 12ରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା ଭାବନ୍ତି ତାକୁ ତୃଣମୂଳ ସ୍ତରରେ ଆରମ୍ଭ କରନ୍ତି । ଆଜି ୬ଟି ଜିଲ୍ଲାରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡି ଚଳାଚଳ କରିବ । ଗ୍ରାମାଞ୍ଚଳର କୃଷକ, ଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ପ୍ରତି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ହେଉଛି । ଏହା ବସ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବ ।

ଇଟିଭି ଭାରତ, ମାଲକାନଗିରି ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.