ETV Bharat / state

Republic Day: କୋରାପୁଟରେ ପତାକା ଉତ୍ତୋଳନ କରି ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ କ୍ରୀଡାମନ୍ତ୍ରୀ

author img

By

Published : Jan 26, 2023, 9:24 PM IST

କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟ: ଆଜି କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରେର ମନ୍ତ୍ରୀ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବଖାଣିଛନ୍ତି । ମୂଲ୍ୟବାନ ଖଣିଜ ସମ୍ପଦରେ ଭରପୂର କୋରାପୁଟ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ଗମନାଗମନ, ଭିତ୍ତିଭୂମି, କ୍ରୀଡା, ପର୍ଯ୍ୟଟନ, କଳା ଓ ସଂସ୍କୃତି କ୍ଷେତ୍ରରେ ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି ।

କୋରାପୁଟ ଜିଲ୍ଲାର ପବିତ୍ରଭୂମିରେ ବୀର ସହିଦ ଲକ୍ଷ୍ମଣ ନାୟକ, କୋରାପୁଟ ଗାନ୍ଧୀ ରାଧାକୃଷ୍ଣ ବିସ୍ବାଶରାୟ, ମହମ୍ମଦ ବାଜୀ, ସଦାଶିବ ତ୍ରିପାଠୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ନେତୃତ୍ବରେ ଆଦିବାସୀମାନେ ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ''ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଅଭୂତପୂର୍ବ ଅଗ୍ରଗତି ହାସଲ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଉନ୍ନତି ସାଧନ ନିମନ୍ତେ ଜୟପୁରର ଫୁଲବେଡା ଠାରେ 32 କୋଟି ଟଙ୍କା ବ୍ୟୟରେ ସମନ୍ବିତ କ୍ରୀଡା କମ୍ପ୍ଲେକ୍ସ, କୋରାପୁଟ ଠାରେ 3.54 କୋଟି ଟଙ୍କା ବ୍ୟୟରେ କ୍ରୀଡା କମ୍ପ୍ଲେକ୍ସ, ସୁନାବେଡା ଠାରେ 5 କୋଟି ଏବଂ କୋଟପାଡରେ 6 କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ଜାରି ରହିଛି ।''

ସେହିପରି ଜିଲ୍ଲାର 14ଟି ବ୍ଲକ ଏବଂ 4ଟି ପୌରାଞ୍ଚଳରେ ମିନି ଷ୍ଟେଡିୟମ କାର୍ଯ୍ୟ ଶେଷ ହୋଇଛି । ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲାରେ ବର୍ତମାନ ସୁଦ୍ଧା 21,546ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ 2 ଲକ୍ଷ 32 ହଜାରରୁ ଅଧିକ ମହିଳାଙ୍କୁ ବିକାଶ ଧାରାରେ ସାମିଲ କରାଯାଇଥିବା ମନ୍ତ୍ରୀ ଜଣାଇଛନ୍ତି । ଆହୁରିମଧ୍ୟ, ବ୍ଲକସ୍ତରରେ 50 ଲକ୍ଷ ଟଙ୍କା ଓ ଜିଲ୍ଲାସ୍ତରରେ 1 କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ମୋ ପୋଖରୀ ଯୋଜନାରେ ଜିଲ୍ଲାରେ ଅଦ୍ୟାବଧି 2570ଟି ପୋଖରୀ ଖନନ କରାଯାଇଛି ଏବଂ ତନ୍ମଧ୍ୟରୁ 1200ଟି ପୋଖରୀରେ ସମନ୍ବିତ କୃଷି ପ୍ରଣାଳୀ ମାଧ୍ୟମରେ ବତକ ଚାଷ ଓ ମାଛ ଚାଷ କରାଯାଉଛି ।

କୋଟିଆ ଅଞ୍ଚଳରେ ଆଦିବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହଯୋଗରେ ଷ୍ଟ୍ରବେରୀ ଚାଷ ସଫଳତାର ସହ ଆଗେଇ ଚାଲିଥିବା ସେ ଜଣାଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର 117ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ କରାଯାଇଛି । 5T ଉପକ୍ରମରେ ତୃତୀୟ ପର୍ଯ୍ୟାୟରେ ଆଉ 91ଟି ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ କାର୍ଯ୍ୟ ଜାରି ରହିଛି । କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତ ଉପାଦାନ ପୃଥକୀକରଣ ୟୁନିଟ ଏବଂ ସିକଲ ସେଲ ଓ ଥାଲସେମିୟା ରୋଗ ନିରୂପଣ ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ତରଳ କ୍ରମାଟୋଗ୍ରାଫି ସ୍ଥାପନ କରାଯାଇଛି ।

ଏଥିସହିତ 650 ଶଯ୍ୟା ବିଶିଷ୍ଟ ନୂତନ ଅଧ୍ୟାପନା ହସ୍ପିଟାଲ କୋରାପୁଟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ମନ୍ତ୍ରୀ ତୁଷାରକାନ୍ତି ବ୍ରହେରା ଜଣାଇଛନ୍ତି । ବିକାଶ ଏକ ନିରନ୍ତର ପ୍ରକ୍ରିୟା ଓ କୋରାପୁଟ ଜିଲ୍ଲାର ବିକାଶକୁ ତ୍ବରାନ୍ବତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.