ETV Bharat / state

୪ ଜିଲ୍ଲାର ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ WODC ଅଧ୍ୟକ୍ଷ

author img

By ETV Bharat Odisha Team

Published : Jan 9, 2024, 8:33 PM IST

WODC meeting: ପଶ୍ଚିମ ଓଡିଶାର ୪ଟି ଜିଲ୍ଲାର ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ

WODC meeting
WODC meeting

୪ ଜିଲ୍ଲାର ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ WODC ଅଧ୍ୟକ୍ଷ

ଭୁବନେଶ୍ବର: ପଶ୍ଚିମ ଓଡିଶାର ୪ଟି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଦେବଗଡ, ନୂଆପଡା, ଝାରସୁଗୁଡା, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ ଭିତ୍ତିଭୂମୀର ସେ ସମୀକ୍ଷା କରିଛନ୍ତି । ଏହା ସହ ସେ ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ପରିଷଦ ପାଣ୍ଠିରୁ ଅନୁଦାନ ମଞ୍ଜୁର କରିଛନ୍ତି ।

ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଜାତୀୟସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପରିଷଦ କାର୍ଯ୍ୟ କରିଆସୁଛି । ଜିଲ୍ଲାରୁ ଗ୍ରାମପଞ୍ଚାୟତ ସ୍ତରରେ ମୌଳିକ ଭିତ୍ତିଭୂମୀର ବିକାଶ ହୋଇପାରିଲେ ସାମାଜିକ, ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ଓ ସମସ୍ତ ଭିତ୍ତିଭୂମିର ରକ୍ଷଣାବେକ୍ଷଣାକୁ ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପରିଷଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଖାରବେଳ ଭବନରେ ୪ ଟି ଜିଲ୍ଲାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ୪ ଟି ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ୪୦୦ କ୍ଷମତା ବିଶିଷ୍ଟ ଏକ ଅଡିଟୋରିୟମ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ସମୀକ୍ଷା କରି ପରିଷଦ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି । ଉକ୍ତ ଅଡିଟୋରିୟମର ଛାତରେ ସୋଲାର ପ୍ୟାନେଲ୍ ସଂଯୋଗ କରିବା ସହ ସମ୍ପୃଣ୍ଣ ଅଡିଟୋରିୟମକୁ ଶୂନ୍ୟ ନିର୍ଗମନ ବା ଜିରୋ ଏମିସନ ଭିତ୍ତିରେ ନିର୍ମାଣ କରିବା ପାଇଁ ଅସିତ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ବିନକା ଓ ଡୁଙ୍ଗୁରିପାଲୀ ବ୍ଲକରେ ଶବଦାହ ନିମନ୍ତେ ଶ୍ମଶାନ ସ୍ଥାନ ଚିହ୍ନଟ କରାଯାଇଛି । ଉକ୍ତ ସ୍ଥାନରେ ସ୍ବର୍ଗଦ୍ବାର ଭଳି ଭିତ୍ତିଭୂମୀ ବିକାଶ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଉକ୍ତ କ୍ଷେତ୍ରରେ ପରିମଳ ବ୍ୟବସ୍ଥା, ଜଳାଶୟ, ଶବଦାହ ପାଇଁ ବ୍ୟବହୃତ ସାମଗ୍ରୀ ଆଦିର ସୁବ୍ୟବସ୍ଥା କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସ୍ଥାନର ବିକାଶ ପାଇଁ ୯୦ ଲକ୍ଷ ଲେଖାଏଁ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ଅନ୍ୟପକ୍ଷେ ଅଧ୍ୟକ୍ଷ ଜିଲ୍ଲାର ଖେଳାଳୀଙ୍କ ଉଦ୍ଦେଶ୍ୟରେ ଷ୍ଟାଡିୟମର ଉନ୍ନତିକରଣ ଉପରେ ଧ୍ୟାନ ଦେଇଛନ୍ତି । ତରଭା ମିନି ଷ୍ଟାଡିୟମର ଭୂମି ବିକାଶ ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲାଇବ୍ରେରୀ ତଥା ରିଡିଂ ରୁମ ନିର୍ମାଣ କରିବା ପାଇଁ ୮୩ ଲକ୍ଷ ୯୧ ହଜାର ଟଙ୍କା ମଞ୍ଜୁର ହୋଇଛି ।

ଏହା ବି ପଢନ୍ତୁ- କଳାହାଣ୍ଡିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

ଦେବଗଡ ଜିଲ୍ଲାରେ ଇ-ଲାଇବ୍ରେରୀ ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହାକୁ ଜିଲ୍ଲା ପାଠାଗାର ଭାବେ ନିର୍ମାଣ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ନୂଆପଡା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସିନାପାଲି ବ୍ଲକରେ ଏକ ଟାଉନ ହଲ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି । ବୈଠକରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଦେବଗଡ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଝାରସୁଗୁଡା ଜିଲ୍ଲାପାଳ ଏବୋଲି ସୁନୀଲ ନରବଣେ, ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାଏକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.