ETV Bharat / state

ବିକାଶ ଧାରାରେ ସାମିଲ ହେବେ ସମ୍ବଲପୁରର ଗୋପାଳକ, ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପ ଅନୁମୋଦନ

author img

By ETV Bharat Odisha Team

Published : Sep 6, 2023, 9:46 AM IST

ସମ୍ବଲପୁରର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପକୁ ଅନୁମୋଦନ
ସମ୍ବଲପୁରର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପକୁ ଅନୁମୋଦନ

ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକଙ୍କୁ ବିକାଶ ଧାରାରେ ସାମିଲ କରିବାକୁ WODCର ଅଭିବନ ପଦକ୍ଷେପ । ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଅଧିକ ପଢନ୍ତୁ

ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପ ଅନୁମୋଦନ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(WODC) ପକ୍ଷରୁ ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଦୁଗ୍ଧ ଉତ୍ପାଦକ ଓ ବିତରଣକୁ ସୁପରିଚାଳନା କରିବା ଏବଂ ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହି ପରିପ୍ରେକ୍ଷୀରେ ଭିସି ଜରିଆରେ WODC ଟିମ୍ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନନ୍ୟା ଦାସ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଯାହାକୁ ଅନୁମୋଦନ କରିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ଦୁଗ୍ଧ ଉତ୍ପାଦକଙ୍କ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସର୍ବଦା ଚେଷ୍ଟିତ । ଏହି ନିବେଶ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ(ସାମୁଲ)କୁ ଅଧିକ ଉତ୍ସାହିତ କରିବ । ଏହାସହ ଗୋପାଳକଙ୍କ ସମୃଦ୍ଧି ଓ ପ୍ରଗତିରେ ସହାୟକ ହେବ । ଅନ୍ୟପକ୍ଷେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶା ଗୋପାଳନ ସମ୍ମିଳନୀର ଆୟୋଜନ କରାଯିବ । ଏନେଇ ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଛି । ଗୋପାଳକଙ୍କ ଜୀବିକା ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ମିଳନୀର ଆୟୋଜନ କରାଯାଉଛି ।

ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ପରିଷଦ ଯଥାସମ୍ଭବ ଆର୍ଥିକ ନିବେଶ ସହ ସକ୍ରିୟ ଯୋଗଦାନ କରିବ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାର, ଦୁଗ୍ଧ ଉତ୍ପାଦକ ଓ ବିତରଣ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୋଜନା ପ୍ରଣୟନକାରୀ ଆଦି ଯୋଗ ଦେବେ ।


ଏହାମଧ୍ୟ ପଢନ୍ତୁ: କୃଷକଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର, ରାଜଧାନୀରେ ଗର୍ଜିବ ଭାରତୀୟ କିଶାନ ସଂଘ


ସମ୍ବଲପୁର ଜିଲ୍ଲାର ଦୁଗ୍ଧଚାଷୀଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଦୁଗ୍ଧ ଶୀତଳ ଭଣ୍ଡାର, ମିଲ୍‌କ ଟ୍ୟାଙ୍କର, ଆଲୁମିନିୟମ ମିଲ୍‌କ କ୍ୟାନ, ଦୁଗ୍ଧର ମାନ ପରିଖିବା ପାଇଁ ଯନ୍ତ୍ର ଆଦି ଚାଷୀମାନଙ୍କୁ ଦିଆଯିବ । ଏହାର ସୁପରିଚାଳନା ନିମନ୍ତେ ୩୦ଟି ଦୁଗ୍ଧ ସମବାୟ ସମିତିର ଗଠନ କରାଯିବ । ପ୍ରାୟ ୧୫୦୦ ଦୁଗ୍ଧଚାଷୀଙ୍କ ପଞ୍ଜୀକରଣ କରାଯିବା ସହ ସେମାନଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ବିତରଣକୁ ମଧ୍ୟ ସୁନିଶ୍ଚିତ କରାଯିବ । ଏହି ଯୋଜନା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡିରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଯୋଜନାଗୁଡ଼ିକୁ ସଫଳ ରୂପାୟନ ଦେବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେଷ୍ଟିତ ବୋଲି କୁହାଯାଇଛି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.