ETV Bharat / state

ଲଗାଣ ବର୍ଷା ଯୋଗୁ ରାଜଧାନୀରେ କୃତ୍ରିମ ବନ୍ୟା, 20 ଯାଏଁ ପ୍ରବଳ ଛେଚିବ

author img

By

Published : Jul 15, 2023, 8:38 PM IST

ପ୍ରବଳ ବର୍ଷା ଯୋଗୁ ରାଜଧାନୀରେ ଉପୁଜିଛି କୃତ୍ରିମ ବନ୍ୟା ପରିସ୍ଥିତି। ସେପଟେ ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର
ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର

ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର

ଭୁବନେଶ୍ବର: ପ୍ରବଳ ବର୍ଷାରେ ବେହାଲ ଭୁବନେଶ୍ୱର। ଟ୍ବିନସିଟିରେ ୨ ଘଣ୍ଟା ଧରି ରାଜଧାନୀରେ ପ୍ରବଳ ବର୍ଷା ହୋଇଥିବାବେଳେ ଉପୁଜିଛି କୃତ୍ରିମ ବନ୍ୟା ପରିସ୍ଥିତି। ବର୍ତ୍ତମାନ ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ପୁଣି ୧୮ ତାରିଖ ବେଳକୁ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଯାହା ଲଘୁଚାପର ରୂପ ନେବା ସହ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ୧୯ ତାରିଖ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି।



ତେବେ ବର୍ଷା କାରଣରୁ ଗରମରୁ ଆଶ୍ୱସ୍ତି ମିଳିଛି । କାରଣ ସକାଳୁ ଉପକୂଳ ଓଡିଶା ସମେତ ରାଜଧାନୀରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। କେତେବେଳେ ଝିପିଝିପି ବର୍ଷା ହେଉଛି ତ ଆଉ କେତେବେଳେ ପ୍ରବଳ ଛେଚୁଛି । ଯାହା ଫଳରେ ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। କେଉଁଠି କାର ବୁଡିଯାଉଛି ତ ଆଉ କେଉଁଠି ଲୋକେ ପହଁରି ପହରିଁ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି ।ଏଥିସହ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିବା ଦ୍ଵାରା ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀବସୀ। ବିଶେଷକରି ଭୁବନେଶ୍ୱରର ଇସ୍କନ ସମ୍ମୁଖ , ଓଲ୍ଡ ଟାଉନ , ପଳାଶୁଣି ପ୍ରାଚୀ ବିହାରର ୧୮ ନମ୍ୱର୍ ୱାର୍ଡ, ହଂଶପାଳ ଛକ ଆଦି ଅଞ୍ଚଳରେ ଏଭଳି ସହରୀ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି।




ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଯାହା ବାୟୁମଣ୍ଡଳରେ ୫.୮ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଯିବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୨୦ ତାରିଖ ଯାଏଁ ବର୍ଷା ହେବା ସହ ବର୍ଷାର ପରିମାଣ ଧିରେ ଧିରେ ବଢ଼ିବ ।

ଏହା ମଧ୍ୟ ପଢନ୍ତୁ...ଜଳବନ୍ଦୀ କଟକ: ଲୋକଙ୍କ ଘର ଭିତରେ ପଶିଲା ପାଣି

ଏଥିସହ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଲଘୁଚାପର ରୂପେ ନେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଂଜ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ଭୁବନେଶ୍ଵରରେ ଆସନ୍ତା କିଛି ଘଣ୍ଟା ଯାଏଁ ବର୍ଷା ହେବାର ସମ୍ଭାବନା ଥିବାରୁ ରାସ୍ତାଘାଟ, ଅଣ୍ଡର ପାସ୍ ଭଳି ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୮୮.୬, ଢେଙ୍କାନାଳରେ ୭୦, ନୟାଗଡ ୪୩.୧ରେ, କଟକ ୪୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.