ETV Bharat / state

ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ: ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

author img

By

Published : May 20, 2023, 10:15 PM IST

ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ
ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ଉଭୟ ଛତିଶଗଡ ଏବଂ ଓଡିଶା ସରକାର ବୁଝାମଣାକୁ ଯିବେ, ତେବେ ସୁଫଳ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଟଣାଓଟରା ହେଲେ କିଛି ସୁଫଳ ମିଳିବ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ

ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଟିମ୍ । ତେବେ ଏହି ଟିମ କ୍ଷେତ୍ର ପରିଦର୍ଶନ କରିସାରିବା ପରେ ଯାହା ଅନୁଭବ ହେବ, ନିଷ୍ପତ୍ତି ନେବେ । ତେଣୁ ଏଥିରେ କୌଣସି ଟିପ୍ପଣୀ ଦେବା ଠିକ୍ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଯଦି ଉଭୟ ଛତିଶଗଡ ଏବଂ ଓଡିଶା ସରକାର ବୁଝାମଣାକୁ ଯିବେ, ତେବେ ସୁଫଳ ମିଳିବ । କିନ୍ତୁ ଟଣା ଓଟରା ହେଲେ କିଛି ସୁଫଳ ମିଳିବ ନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କର ଭୂମିକା ଅଛି ବୋଲି ଚ୍ରିବ୍ୟୁନାଲ ଗଠନ ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ଉଦ୍ୟମ କଲେ ଏହାର ସମାଧାନ ହେବ ବୋଲି କହିଛନ୍ତି ବିଶ୍ବେଶ୍ବର ।

ସୂଚନାଯୋଗ୍ୟ ଯେ, ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆଜିଠାରୁ କ୍ଷେତ୍ର ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ ଓଡ଼ିଶାରେ ମହାନଦୀର ଉଭୟ ଉପର ଓ ନିମ୍ନ ଅବବାହିକା ଅଞ୍ଚଳ ଅନୁଧ୍ୟାନ କରିବେ । ଆଜି ହୀରାକୁଦ ଜଳଭଣ୍ଡାର, ବୁର୍ଲା ପାୱାର ହାଉସ ଏବଂ ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ଯୋଜନା ପରିଦର୍ଶନ କରିଥିଲେ ଏହି ଟିମ । ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଝାରସୁଗୁଡାରରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରାଯାଇଛି । ଏହାରି ଭିତରେ ମହାନଦୀ ଟ୍ରିବ୍ୟୁନାଲ, ଓଡିଶା ଓ ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବ, ସେନେଇ ପୁଣି ରାଜନୀତି ଆରମ୍ଭ ହୋଇଛି । ମହାନଦୀ ସମସ୍ୟା ପାଇଁ କିଏ ଦାୟୀ ସେନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ବିଜେଡି ପାଲଟା ଅଭିଯୋଗ ଆଣିଛି ।

ପ୍ରକାଶ ଥାଉ କି, ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, "ମହାନଦୀ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନିଜ ଭୁଲ ପାଇଁ ହରାଇ ସାରିଛନ୍ତି । କେନ୍ଦ୍ର ସରକାର ମଧ୍ୟସ୍ତତା ମାଧ୍ୟମରେ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବା ପାଇଁ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମହାନଦୀକୁ ରାଜନୈତିକ ମୋହରା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଶୁଣିନଥିଲେ । ୨୦୧୯ ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଏବଂ ଶାସକ ଦଳ ଉଭୟ ମହାନଦୀ ସମସ୍ୟାକୁ ଭୁଲିଗଲେ । ରାଜ୍ୟ ସରକାର ନିଜର ରାଜନୈତିକ ସ୍ବାର୍ଥ ପାଇଁ ଓଡିଶାକୁ ଏବଂ ମହାନଦୀର ଅବସ୍ଥାକୁ ସମ୍ପୂର୍ଣ୍ଣ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.