୧୦ ବର୍ଷ ତଳେ ସ୍ବାମୀକୁ ହତ୍ୟା କରିଥିଲେ, ଏବେ ଜେଲରୁ ମିଳିଲା ଝୁଲନ୍ତା ମୃତଦେହ

author img

By

Published : May 22, 2023, 12:53 PM IST

under trial prisoner dies
under trial prisoner dies ()

ଝାରପଡା ଜେଲରୁ ଝୁଲନ୍ତା ଅବସ୍ଥାରେ ଆଉ ଜଣେ ବିଚାରଧୀନ କଏଦୀଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଭୁବନେଶ୍ବର: ଝାରପଡା ଜେଲରେ ଆଉ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲେ ଜେଲ କର୍ତ୍ତୃପକ୍ଷ । ମୃତକ ଜଣକ ହେଉଛନ୍ତି ବିଚାରଧୀନ କଏଦୀ ସୁକାନ୍ତି ଦାସ । ସେ ଗତ 10 ବର୍ଷ ତଳେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା ଅଭିଯୋଗରେ ଝାରପଡା ଜେଲରେ ବିଚରାଧିନ କଏଦୀ ଭାବେ ରହି ଆସୁଥିଲେ । କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନେଲେ ଏନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତକାଲି(ରବିବାର) ରାତି ପ୍ରାୟ ୧୨.୩୦ମିନିଟରେ ଝାରପଡ଼ା ଜେଲରେ ସୁକାନ୍ତିଙ୍କୁ ଝୁଲୁ ଥିବାର ଦେଖିଥିଲେ ଅନ୍ୟ କଏଦୀ । ସେ ଜେଲର ଗାଧୁଆ ଘରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଜେଲର ଅନ୍ତେବାସୀ ଓ ଓ୍ବାର୍ଡର ଜରିଆରେ ଉଦ୍ଧାର କରାଯାଇ ଜେଲ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ପୋଲିସ ତାଙ୍କର ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ପାଇଁ ଯୋଗାଯୋଗ କରିଥିଲା । ଏଥିସହ ସାଇଣ୍ଟିଫିକ୍ ଟିମ୍ ଜରିଆରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ସ୍ଥାନକୁ ଯାଇ ତଦନ୍ତ କରିବ ବୋଲି ପୋଲିସ ସୂଚନା ଦେଇଛି ।

ପ୍ରକାଶ ଥାଉକି, ପରକୀୟା ପ୍ରୀତି ନେଇ ହତ୍ୟାକାଣ୍ଡ ଘଟଣାରେ ବିଚାରଧିନ କଏଦୀ ଥିଲେ ସୁକାନ୍ତି । ଗତ ୧୦ବର୍ଷ ତଳେ ପ୍ରେମିକ ସହ ମିଶି ନିଜ ସ୍ବାମୀକୁ ହତ୍ୟା କରିଥିଲା । ଏନେଇ ହତ୍ୟା ମାମଲାରେ ଗିରଫ ହୋଇଥିଲେ ସେ । ଜଟଣୀ ଥାନା ଅଞ୍ଚଳରେ ସ୍ବାମୀକୁ ହତ୍ୟା କରିବା ଅଭିଯୋଗରେ ମାର୍ଚ୍ଚ ୨୯ ତାରିଖରେ ଗିରଫ କରିଥିଲା ପୋଲିସ । ସେବେଠୁ ସେ ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ । ପରେ ନିଜର ଭୁଲ ପାଇଁ ଅନେକ ସମୟରେ ପଶ୍ଚାତାପ ସହ ଏକୁଟିଆ ଅନୁଭବ କରୁଥିଲେ । ଏପରିକି ତାର ଏପରି କାଣ୍ଡ ନେଇ ତାକୁ ଦେଖା କରିବାକୁ କେହି ଝାରପଡା ଜେଲକୁ ଆସୁନଥିବା ନେଇ ସୂଚନା ମିଳିଛି । ଏକ ପ୍ରକାର ଏକୁଟିଆ ଅନୁଭବ କରିବା ସହ ମାନସିକ ଅବସାଦରେ ଜୀବନ କାଟୁଥିଲେ । ଏହାକୁ ନେଇ ସେ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ସେହିପରି କିଛି ଦିନ ତଳେ ମାନସିକ ରୋଗୀ ବା ମାନସିକ ଅବସାଦ ଥିବା କଏଦୀଙ୍କ ଚିକିତ୍ସା ପାଇଁ ଜେଲ ଓ କାରଗାର ବିଭାଗ ପକ୍ଷରୁ ମନସ୍ତତ୍ବବିତ୍ ନିଯୁକ୍ତ ହୋଇଥିଲେ । ଏନେଇ ଜେଲ ଡିଜି ସେତେବେଳେ କହିଥିଲେ ଯେ ଆମେ ଏ ଉପରେ ଅଧିକ ଯତ୍ନବାନ ଅଛୁ ଏ ଦିଗରେ କାମ କରୁଛୁ । ଯେହେତୁ ଅଧିକାଂଶ କଏଦୀ ମାନସିକ ଅବସାଦରେ ଶିକାର ଅଛନ୍ତି । କିନ୍ତୁ ଏହାର ମାସକ ମଧ୍ୟରେ ଏପରି ଏକ ଘଟଣା ଘଟିବା ଜେଲ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଖୁବଶୀଘ୍ର ଏନେଇ ଜେଲ ବିଭାଗ ପକ୍ଷରୁ ହାଜତ ମୃତ୍ୟୁ ନେଇ ଏକ ଜୁଡିସିଆଲ ତଦନ୍ତ ହେବ । ଅନ୍ୟପଟେ ଜେଲ ବିଭାଗର ସୁପରିଟେଣ୍ଡ ଓ ଜେଲରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.