ETV Bharat / state

ଅଟ୍ରି ଉଷ୍ମ ପ୍ରସବଣକୁ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ, ତୁଟୁନି ପାନୀୟଜଳ ସମସ୍ୟା

author img

By ETV Bharat Odisha Team

Published : Dec 10, 2023, 2:59 PM IST

Etv Bharat
Etv Bharat

Atri Drinking Water Problem: ପାନୀୟଜଳ ସମସ୍ୟାରେ ଜର୍ଜରିତ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣ । ଅସୁୂିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

Hot spring complex atri

ଖୋର୍ଦ୍ଧା: ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ଶୀତର ପହିଲି ଛୁଆଁରେ ପର୍ଯ୍ୟଟନ ସ୍ଥଳୀକୁ ଛୁଟାଲାଣି ପର୍ଯ୍ୟଟକଙ୍କ ସୁଅ । ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ କାଢ଼ି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବ୍ୟାକୁଳ ପର୍ଯ୍ୟଟକଙ୍କ ମନ । ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଟ୍ରି ଉଷ୍ମ ପ୍ରସବଣକୁ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବିଶେଷକରି ଶୀତୁଆ ସକାଳର ଏଠାରେ ମଜା ନେଇଥାନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ । କିନ୍ତୁ ଏହି ପର୍ଯ୍ୟଟନ ସ୍ଥଳୀରେ ରହିଛି ବ୍ୟାପକ ସମସ୍ୟା । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଦେବାକୁ ସକ୍ଷମ ହୋଇପାରୁନି ପର୍ଯ୍ୟଟନ ବିଭାଗ । ଯାହା ଫଳରେ ଥରେ ଏଠାକୁ ଆସୁଥିବା ପର୍ଯ୍ୟଟକ ପୁନର୍ବାର ଆସିବାକୁ ଇଚ୍ଛା କରୁନାହାନ୍ତି । ବିଶେଷ କରି ପିଇବା ପାଣିର ସୁବିଧା ଏଠାରେ ନାହିଁ ।

1979 ମସିହାରୁ ପର୍ଯ୍ୟଟନ ମାନ୍ୟତା ପାଇଛି ଅଟ୍ରି ଉଷ୍ମ ପ୍ରସବଣ । ପ୍ରାକୃତିକ ଉପାୟରେ ଏଠାରେ 55 ଡିଗ୍ରୀ ସେଲସିୟସ ତାପମାତ୍ରାରେ ବର୍ଷତମାମ ପାଣି ଫୁଟିଥାଏ । ଏହି ପାଣି ଗନ୍ଧକ ମିଶା ହୋଇଥିବାରୁ ଏହା ଚର୍ମ ଓ ପେଟ ରୋଗ ଭଲ କରିବା ପାଇଁ ମହୋଷ୍ୟଧି ବୋଲି କୁହାଯାଏ । ଏଥିପାଇଁ ଏଠାକୁ ଦୈନିକ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି । ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କ ପିଛା 5ଟଙ୍କା ରାଜସ୍ୱ ମଧ୍ୟ ଆଦାୟ କରୁଛି । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏଠାରେ ନ୍ୟୁନତମ ପାନୀୟ ଜଳର ବ୍ୟବସ୍ଥା ନାହିଁ ।

ଏହା ମଧ୍ୟ ପଢନ୍ତୁ-ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ବ୍ୟାନ, କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ସେହିପରି ପର୍ଯ୍ୟଟକଙ୍କ ପାଇଁ ଏହି ପର୍ଯ୍ୟଟନ ସ୍ଥଳୀ ଭିତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପନ୍ଥାନିବସ ଓ ଶୌଚାଳୟ ନିର୍ମାଣ ହୋଇଛି । କିନ୍ତୁ ପାଣି ନଥିବାରୁ ଏହା ଉପଯୋଗୀ ହଇପାରୁନି । ଏହି ସ୍ଥାନ ପିକ୍‌ନିକ୍‌ ଭୋଜି ପାଇଁ ଭଲ ସ୍ଥାନ ହୋଇଥିଲେ ମଧ୍ୟ ପାନୀୟଜଳର ସମସ୍ୟା ଥିବାରୁ ତାହା ହୋଇପାରୁନାହିଁ । ସେପଟେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏକ ପାନୀୟ ଜଳ ପ୍ରକଳ୍ପକୁ ଜଳଯୋଗାଣ ବିଭାଗ ଦୀର୍ଘଦିନ ଧରି ହସ୍ତାନ୍ତର କରୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ପର୍ଯ୍ୟଟନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ।

ସେହିପରି ପର୍ଯ୍ୟଟନ ସ୍ଥଳୀ ବାହାର ପଟେ ଏକ ନଳକୂପ ଜଳ ଯୋଗାଣ ବିଭାଗ ପକ୍ଷରୁ ଖୋଳା ଯାଇଛି । କିନ୍ତୁ ତାହା ପାନୀୟ ଜଳ ଉପଯୋଗୀ ନୁହଁ ବୋଲି ଘୋଷଣା କରିଛି ବିଭାଗ । ଏଠାକୁ ଆସୁଥିବା ପର୍ଯ୍ୟଟକ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ବାଧ୍ୟ ହୋଇ ପାଇଁ କିଣି କିଣୁଥିବା ଦେଖାଯାଉଛି । ପାଣି ନଥିବା କାରଣରୁ ଶୌଚାଳୟରେ ତାଲା ଝୁଲୁଥିବା ବେଳେ ପୁରା ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡିଛି । ତେବେ ବାର୍ଷିକ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କଠାରୁ ଲକ୍ଷାଧିକ ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ କାହିଁକି ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେଉନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରଚାର ପ୍ରସାର କରି ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିନ୍ତୁ ଅନ୍ୟପଟେ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନାହିଁ । ଯାହା ପର୍ଯ୍ୟଟନ ବିଭାଗର ଦୋମୁଁହା ନୀତିକୁ ପଦାରେ ପକାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.