ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି: ବର୍ଷିଲେ ଛାତ୍ର କଂଗ୍ରେସ ଓ ଏବିଭିପି, ଛାତ୍ର ବିଜେଡି କହିଲା ଯୁଗାନ୍ତକାରୀ ନିଷ୍ପତ୍ତି

author img

By ETV Bharat Odisha Team

Published : Sep 13, 2023, 8:54 PM IST

ପ୍ରକାଶ ପାଇଛି ଚଳିତବର୍ଷର ଉଚ୍ଚଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର । ହେଲେ କ୍ରମାଗତ ଷଷ୍ଠ ଥର ପାଇଁ ଏବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନି ବୋଲି ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଛାତ୍ର କଂଗ୍ରେସ ଓ ଏବିଭିପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବାବେଳେ ଏହାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛି ଛାତ୍ର ବିଜେଡି । ଅଧିକ ପଢ଼ନ୍ତୁ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି
ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି

ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି

ଭୁବନେଶ୍ବର: ବଢ଼ିବାରେ ଲାଗିଛି ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି । ଥମୁନି ଛାତ୍ର ଅଶାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ଦିଆଯାଇନାହିଁ । ଯାହାକୁ ନେଇ ତେଜିଛି ରାଜନୀତି । ଛାତ୍ର କଂଗ୍ରେସ ଓ ଏବିଭିପି ଏହାକୁ ତୀବ୍ର ବିରୋଧ କରିଛନ୍ତି । ପୂର୍ବରୁ ଅନେକ ଥର ଏନେଇ ଦାବି ହୋଇଛି । ହେଲେ ଏଥର ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ନେଇ ତାରିଖ ଘୋଷଣା କର ବୋଲି ଚେତାବନୀ ଦେଇଛି ଏବିଭିପି । ସେପଟେ ବିଜୁ ଛାତ୍ର ଜନତା ଦଳ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛି । ଏଭଳି ନିଷ୍ପତ୍ତି ପାଇଁ ସରକାର ଓ ଉଚ୍ଚ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ବିସିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

'ଛାତ୍ରନେତାଙ୍କୁ ଭୟ କରୁଛନ୍ତି ବିଜେଡି ସରକାର': ପ୍ରକାଶ ପାଇଛି ଚଳିତବର୍ଷର ଉଚ୍ଚଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରରେ କେଉଁ କେଉଁ ଦିନ ଛୁଟି ରହିବ, କେବେ ପରୀକ୍ଷା କରାଯିବ ଓ କେବେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ସେନେଇ ଉଲ୍ଲେଖ ରହିଛି । ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ଏଥର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ । ଯାହାକୁ ନେଇ ରାଜନୈତିକ ତୁମ୍ବିତୋଫାନ ଆରମ୍ଭ ହୋଇଛି । ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ରାଜ୍ୟ ସରକାର ଛାତ୍ରନେତାଙ୍କୁ ଭୟ କରୁଛନ୍ତି । ଛାତ୍ରନେତା ରାଜନୀତିକୁ ନଆସିବା ପାଇଁ ଏହି ଷଡ଼ଯନ୍ତ୍ର । କାରଣ ସବୁ ବର୍ଗଙ୍କୁ ଭୂଆଁ ବୁଲାଇବା ସମ୍ଭବ, ହେଲେ ଛାତ୍ର ବର୍ଗଙ୍କୁ ନୁହେଁ । ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଯଦି ଛାତ୍ର ସମାଜ ମୁହଁ ଖୋଲିବେ, ତେବେ ରାଜ୍ୟ ସରକାର ଭାଙ୍ଗିଯିବ ।"

ତୁରନ୍ତ ନିର୍ବାଚନ ଘୋଷଣା କରିବାକୁ ଏବିଭିପିର ଚେତାବନୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, "ଦୀର୍ଘ ୬ ବର୍ଷ ଧରି ରାଜ୍ୟ ସରକାର ଓ ତାଙ୍କ ଉଚ୍ଚଶିକ୍ଷା ବିଭାଗ ଛାତ୍ରନେତାଙ୍କ ଭୃଣହତ୍ୟା କରିବାରେ ଲାଗିଛନ୍ତି । ଯାହା ଅତି ଦୁଃଖର ବିଷୟ । ହେଲେ ବହୁତ ଥର ଏନେଇ ଦାବି ହୋଇଛି । ଏଥର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଘୋଷଣା କର ବୋଲି ବିଦ୍ୟାର୍ଥୀ ପରିଷଦ ଚେତାବନୀ ଦେଉଛି ।" ଯଦି ତୁରନ୍ତ ଏନେଇ ଘୋଷଣା ନହୁଏ, ତେବେ ଛାତ୍ର ଶକ୍ତିକୁ ସାମ୍ନା କରିବା ପାଇଁ ନବୀନ ପଟ୍ଟନାୟକ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରକାଶ ପାଇଲା ବାର୍ଷିକ ଉଚ୍ଚଶିକ୍ଷା କ୍ୟାଲେଣ୍ଡର, ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ

'ଗଣତନ୍ତ୍ର ପାଇଁ ସଙ୍କଟ': ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଛନ୍ତି, "ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନହେବା ଦୁର୍ଭାଗ୍ୟର ବିଷୟ । ଏହା ଗଣତନ୍ତ୍ର ପାଇଁ ସଙ୍କଟ । ଓଡ଼ିଶାରେ ଆଉ ଛାତ୍ରନେତା ତିଆରି ହେଉନାହାନ୍ତି । ସବୁ ନିର୍ବାଚନରେ ହିଂସା ହେଉଛି । ଯଦି ହିଂସା କାରଣରୁ ଏହାକୁ ବନ୍ଦ କରାଯାଉଛି, ତେବେ ଏହା ରାଜ୍ୟ ସରକାରଙ୍କ ଅପାରଗତା ଯେ, ରାଜ୍ୟ ସରକାର ହିଂସାକୁ ଆୟତ୍ତ କରିପାରୁନାହାନ୍ତି ।"

ଛାତ୍ର ବିଜେଡି କହିଲା ଯୁଗାନ୍ତକାରୀ ପଦକ୍ଷେପ: ଅନ୍ୟପଟେ ଏହି ନିଷ୍ପତ୍ତିକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନ ହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥାଏ । ସେହିପରି ନିର୍ବାଚନରେ ଲିଙ୍ଗ୍‌ଡୋ କମିଶନଙ୍କ ନିୟମକୁ ବି କେହି ମାନନ୍ତିନାହିଁ । ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗକୁ ମୁଁ ଅଶେଷ ଧନ୍ୟବାଦ ଦେଉଛି ।" କେବଳ ସେତିକି ନୁହେଁ, ବିରୋଧୀଙ୍କ ପ୍ରତିକ୍ରିୟା ଉପରେ ବି କଡା ଜବାବ ରଖିଛନ୍ତି ଦେବୀ ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.