ETV Bharat / state

ବର୍ଷା ଲାଗି ରହିଛି, ଡେଙ୍ଗୁ କେତେଦିନ ରହିବ ଆକଳନ କଷ୍ଟକର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By ETV Bharat Odisha Team

Published : Aug 25, 2023, 4:57 PM IST

Updated : Aug 25, 2023, 5:45 PM IST

dengue situation in odisha
ରାଜ୍ୟରେ ଡେଙ୍ଗୁ ସ୍ଥିତି

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ ବର୍ଷା ଜାରି ରହିଥିବାରୁ ଡେଙ୍ଗୁ କେତେଦିନ ରହିବ ଆକଳନ କରିବା କଷ୍ଟକର । ଅଧିକ ପଢ଼ନ୍ତୁ

ରାଜ୍ୟରେ ଡେଙ୍ଗୁ ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏବେ ତିନି ହଜାର ମୁହାଇଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୩୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଭୁବନେଶ୍ଵର ହଟ୍‌ସ୍ପଟ୍‌ ପାଲଟିଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀ ବାରଣ୍ଡାରେ ଶୋଇଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ ହେଉଛି ।


ସ୍ୱାସ୍ଥ୍ୟ ବିଭାଗର ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୩ ତାରିଖ ସୁଦ୍ଧା ୪୦ ହଜାର ୬୧୭ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ ହଜାର ୭୩୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୧୩୩୨ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି । ସେହିପରି ପୁରୀ ଜିଲ୍ଲାରେ ୨୭୦, ବାଲେଶ୍ୱରରେ ୨୪୮, କଟକରେ ୧୭୩, ଜଗତସିଂହପୁରରେ ୧୫୬ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ନୟାପଲ୍ଲୀ ଅଞ୍ଚଳ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି । ତଥ୍ୟ ଅନୁଯାୟୀ ନୟାପଲ୍ଲୀରେ ୧୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟ ବିହାରରେ ୧୦୫, ଜୟଦେବ ବିହାରରେ ୬୬, ୟୁନିଟ-୯ରେ ୫୯, ଶହୀଦନଗରରେ ୫୬ ଓ ସତ୍ୟନଗରରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବହୁ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଏହାର ପ୍ରକୃତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ । ତେଣୁ ରାଜ୍ୟରେ ପ୍ରକୃତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୋଲି ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବରରେ ସମସ୍ତ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ
ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ସାଧାରଣତଃ ଭାବେ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁ ରୋଗ ଦେଖିବାକୁ ମିଳେ । କିନ୍ତୁ ଯେହେତୁ ରାଜ୍ୟରେ ଏବେ ବି ବର୍ଷା ଚାଲିଛି, କେତେ ଦିନ ଡେଙ୍ଗୁ ରହିବ ଆକଳନ କରିବା କଷ୍ଟକର ହୋଇପଡିବ। କିନ୍ତୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବଢ଼ାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ବେଡ଼ ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କର ରୋଗ ସାମାନ୍ୟ ରହିଛି, ସେମାନେ ସେଠାରେ ଚିକିତ୍ସିତ ହୋଇପାରିବେ । ଏହାସହ କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବାକୁ ରାଜଧାନୀର ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ଅନ୍ୟ CHCରୁ ରକ୍ତ ନମୁନା ନେଇ ସମସ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଉଛନ୍ତି । ଏହାସହ ୨ ରୁ ୩ ଦିନ ମଧ୍ୟରେ IRC ଭିଲେଜ ଅର୍ବାନ PHCରେ ଚାଲୁହେବ ଡେଙ୍ଗୁ ପରୀକ୍ଷା ଲ୍ୟାବ। ଏହାପରେ ପଟିଆ CHCରେ ମଧ୍ୟ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟୋରି ଖୋଲାଯିବ ।" ଫଳରେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ, AIIMS ଭୁବନେଶ୍ଵର ଓ RMRC ବ୍ୟତୀତ ଲୋକମାନେ ଆଗକୁ ଏସବୁ ସ୍ଥାନରେ ମଧ୍ୟ ଡେଙ୍ଗୁ ପରୀକ୍ଷା କରିପାରିବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।


ଏପଟେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୁନା ସିକ୍ୟୁଏନ୍ସିଂ କରୁଛି । ଏଥିରେ 70% ନମୁନା ଡେଙ୍ଗୁ-2 (ଡିଇଏନଭି-୨) ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ଏହା ସହ ସେରୋ ସର୍ଭିଲାଂସରେ ଡେଙ୍ଗୁର ୪ ପ୍ରକାରର ଭୂତାଣୁ ଦେଖିବାକୁ ମିଳିଥାଏ । ଏବେ ଡେଙ୍ଗୁ ୨ ଭୂତାଣୁ ଭୁବନେଶ୍ଵର ସମେତ ରାଜ୍ୟରେ ଅନେକ ସ୍ଥାନରେ ନଜରକୁ ଆସିଛି । ୨୮ ପ୍ରତିଶତ ନମୁନା ଡେଙ୍ଗୁ ୧, ଗୋଟିଏ ନମୁନାରେ ଡେଙ୍ଗୁ ୩ ଓ ଦୁଇଟି ନମୁନା କୋ ଇନଫେକ୍ସନ୍ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 25, 2023, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.