ETV Bharat / state

ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି ୨୫ ପରିବାର

author img

By

Published : May 11, 2022, 9:12 PM IST

Updated : May 11, 2022, 9:25 PM IST

ସକାଳ ଧୂପ ଠୁ ନେଇ ସଞ୍ଜ ଆଳତୀ, କାଳିଆ ଠାକୁରର କେତେ ନୀତିକାନ୍ତି । ଯିଏ ଏହି ନୀତିକାନ୍ତି ଆୟୋଜନର ଟିକିଏ ସୁଯୋଗ ପାଏ ନିଜକୁ ଧନ୍ୟ ମଣେ । ଏହିକ୍ରମରେ ନିଜକୁ ଧନ୍ୟ ମଣୁଛନ୍ତି ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ପାଟ ପ୍ରସ୍ତୁତିରେ ଲାଗିଥିବା ବୁଣାକାର । ଅଧିକ ପଢନ୍ତୁ

ଧନ୍ୟ ମଣୁଛନ୍ତି ସ୍ନାନଯାତ୍ରା ପାଟଲୁଗା ପ୍ରସ୍ତୁତିରେ ନିୟୋଜିତ ସାନପଦର ବୁଣାକାର
ଧନ୍ୟ ମଣୁଛନ୍ତି ସ୍ନାନଯାତ୍ରା ପାଟଲୁଗା ପ୍ରସ୍ତୁତିରେ ନିୟୋଜିତ ସାନପଦର ବୁଣାକାର

ଖୋର୍ଦ୍ଧା: ସକାଳ ଧୂପ ଠୁ ନେଇ ସଞ୍ଜ ଆଳତୀ, କାଳିଆ ଠାକୁରର କେତେ ନୀତିକାନ୍ତି । ଯିଏ ଏହି ନୀତିକାନ୍ତି ଆୟୋଜନର ଟିକିଏ ସୁଯୋଗ ପାଏ ନିଜକୁ ଧନ୍ୟ ମଣେ । କେବଳ ଭାଗ୍ୟବାନ ଆଉ ପୂଣ୍ୟକର୍ମାଙ୍କୁ ଚକାଆଖିଆ ତା' ସେବାର ସୁଯୋଗ ଦିଏ ବୋଲି ଭକ୍ତଟିର ବିଶ୍ବାସ । ଏଥିପାଇଁ ଭଗବାନଙ୍କ ସେବାର ସୁଯୋଗକୁ ଚାହିଁ ରହିଥାଏ ଭକ୍ତ । ଆଉ ଏହି ଅପୂର୍ବ ସେବାର ସୁଯୋଗ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦର ଗ୍ରାମରେ ବୁଣାକାରମାନଙ୍କୁ । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପାଟ ପ୍ରସ୍ତୁତିରେ ଲାଗି ପଡିଛନ୍ତି 25 ରୁ ଊର୍ଦ୍ଧ୍ବ ବୁଣାକାର । ଆଉ ଏ ସେବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମଣିଛନ୍ତି ବୁଣାକାର ।

ଧନ୍ୟ ମଣୁଛନ୍ତି ସ୍ନାନଯାତ୍ରା ପାଟଲୁଗା ପ୍ରସ୍ତୁତିରେ ନିୟୋଜିତ ସାନପଦର ବୁଣାକାର



ପାଖେଇ ଆସୁଛି ଓଡିଆ ଜାତିର ଦେବତା ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା । ଏବେ ରଥକାମ ଆଗେଇ ଚାଲିଛି । ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ଅଣସର । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଚାଲିଛି । ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦର ଗ୍ରାମର ବୁଣାକାର । ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥାର ସ୍ବତ୍ୱାଧିକାରୀ ପ୍ରଭାସ ନାୟକଙ୍କ ତତ୍ତ୍ୱାବଧାନରେ ୨୫ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି ।

ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟନିକା ଯୋଗାଇଥାଏ । ଗତ ୨୦୧୮ ମସିହାରୁ ପ୍ରଭାସ ବୟାନିକା ଠାରୁ ଏହି ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତି କରୁଛନ୍ତି । ସ୍ନାନଯାତ୍ରା ପୂର୍ବରୁ ବୟନିକାକୁ ଏହା ହସ୍ତାନ୍ତର କରିଥାନ୍ତି । ୭୦ ପ୍ରତିଶତ କାର୍ଯ୍ୟ ସରିଲାଣି । ମେ’ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରଭାସ କହିଛନ୍ତି ।



ତେବେ ମହାପ୍ରଭୁଙ୍କ ପାଟ ପ୍ରସ୍ତୁତି ପାଇଁ ବୟନିକା ଯୋଗାଏ କଞ୍ଚାମାଲ, ଆଉ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଏହି ଗାମୁଛା ବୁଣା କାମ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ବୟନିକା ଠାରୁ ଅର୍ଡର ପାଇବା ପରେ କାମ ଆରମ୍ଭ ହୋଇଥିଲା । ତ୍ୱରିତ ଗତିରେ ଚାଲିଛି କାମ । ମହାପ୍ରଭୁଙ୍କ ଅଣସର ଲାଗି ୧୯୧ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୯୧ଟି ୫ହାତି ଗାମୁଛା ବୁଣା ଚାଲିଛ । ପ୍ରଭୁଙ୍କ ଏହି ଗାମୁଛାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇ ଥିବାବେଳେ କୁମ୍ଭପକା(ଡିଜାଇନ) ଥାଇ ପାଢିର ରଙ୍ଗ କମଳା ଏବଂ ପହଣ୍ଡି ଗାମୁଛାର ରଙ୍ଗ କମଳା ରଙ୍ଗ କରାଯାଇଛି । ସେହିପରି କୁମ୍ଭ ଥାଇ ପାଢିର ରଙ୍ଗର ସବୁଜ ରଖାଯାଇଛି ।

ପ୍ରଭୁଙ୍କ ଏହି ବସ୍ତ୍ର ପାଇଁ ପ୍ରଭାସ ସୂତା ଓ ରଙ୍ଗ ଆଣି କାରିଗରମାନଙ୍କୁ ଯୋଗାଇଥାନ୍ତି । ପ୍ରହଣ୍ଡି ଗାମୁଛା ବୁଣିବା ପାଇଁ ୬ଟି ହସ୍ତତନ୍ତରେ ୨୫ ଜଣ କୁଶଳୀ ବୁଣାକାର କାରିଗରମାନଙ୍କୁ ନେଇ ଏହି କାର୍ଯ୍ୟ ଚାଲିଥାଏ । କବିତୀର୍ଥ ସାନପଦର ଗାଁର ବୁଣାକାରଙ୍କ ପାଇଁ ଗ୍ରାମବାସୀମାନେ ଗର୍ବିତ ହୋଇ ଥିବାବେଳେ ମେହାପ୍ରଭୁଙ୍କ ସେବାର ସୁଯୋଗପାଇ ବୁଣାକାର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 11, 2022, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.