ETV Bharat / state

ଓଡ଼ିଶା ପୋଲିସ ଆଣୁଛି କର୍ଣ୍ଣର ସଟ୍ ଗନ୍, ଇସ୍ରାଏଲ କମାଣ୍ଡୋ ପରି ଦିଆଯିବ ତାଲିମ

author img

By ETV Bharat Odisha Team

Published : Dec 21, 2023, 1:18 PM IST

Security Training Center: ଓଡିଶାରେ ଖୋଲିବାକୁ ଯାଉଛି ନୂଆ ସିକ୍ୟୁରିଟି ଟ୍ରେନିଂ ସେଣ୍ଟର । କର୍ଣ୍ଣର ସଟ୍ ଗନ୍‌ର ବ୍ୟବହାର ପାଇଁ ଦିଆଯିବ ଟ୍ରେନିଂ । ଅଧିକ ପଢନ୍ତୁ

corner shot pistols
Security Training Center

ଭୁବନେଶ୍ବର: ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ ପାଇଁ ଓଡିଶାରେ ଖୋଲିବ ନୂଆ ଏସଟିସି (Security Training Center) । ମାଓ ଅପରେସନ ବା ଆତଙ୍କବାଦୀ ଆକ୍ରମଣ ଭଳି ପରିସ୍ଥିତି ମୁକାବିଲା ପାଇଁ ଯବାନଙ୍କୁ ଦିଆଯିବ ତାଲିମ। ଖୁବଶୀଘ୍ର ଚନ୍ଦକା ଏସଓଜି କ୍ୟାମ୍ପରେ ଖୋଲିବ ଏହି ସିକ୍ୟୁରିଟି ଟ୍ରେନିଂ ସେଣ୍ଟର। ଏଥର ନୂଆ କର୍ଣ୍ଣର ସଟ୍ ଗନ‌୍‌ ବା ବନ୍ଧୁକ ସହ ମଗାଯାଇଛି ୬ଟି ଅତ୍ୟାଧୁନିକ ଡ୍ରୋନ୍‌ । ଏନେଇ ସୂଚନା ଦେଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ।


ସୂଚନା ଅନୁସାରେ, ଆଗକୁ ମାଓ ଅପରେସନ ଓ ଆତଙ୍କୀ ଆକ୍ରମଣ ପ୍ରତିହତ ପାଇଁ ଓଡ଼ିଶା ପୋଲିସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣୁଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି କ୍ରମେ ଏପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବେ ଓଡ଼ିଶାର ଯବାନ । ଏନେଇ ଇସ୍ରାଏଲ ଢାଞ୍ଚାରେ ପ୍ରସ୍ତୁତ କର୍ଣ୍ଣର ସଟ୍ ଭଳି ଅତ୍ୟାଧୁନିକ ବନ୍ଧୁକ ଏବଂ ଅତ୍ୟାଧୁନିକ ଡ୍ରୋନ୍‌ ମଧ୍ୟ ବ୍ୟବହାର କରିବେ ଓଡ଼ିଶା ଯବାନ । ଯାହାକି ଉପାନ୍ତ ଓ ଦୁର୍ଗମ ଅଞ୍ଚଳର ଅଣ ଆଢ଼ୁଆଳରେ ରହି ଏକା ଥରକେ ଅନେକ ମାଓବାଦୀ ଓ ଆତଙ୍କବାଦୀଙ୍କୁ ମୁକାବିଲା କରିହେବ । ତେଣୁ ଇସ୍ରାଏଲ ଢାଞ୍ଚାରେ ଓଡ଼ିଶା ଯବାନଙ୍କୁ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ ଦିଆଯିବା ପାଇଁ ସ୍ବତନ୍ତ୍ର ଭାବେ ଖୋଲାଯାଉଥିବା STCରେ ତାଲିମ ଦିଆଯିବ । ବିଶେଷ କରି ଦୁଇଟି ଢାଞ୍ଚାରେ ତାଲିମ ଦିଆଯିବ । ଗୋଟିଏ ଭିଭିଆଇପି ସୁରକ୍ଷା ଓ ଅନ୍ୟଟି ପବ୍ଲିକ୍‌ ସେଫ୍‌ଟି ଅପରେସନ୍‌ ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ଚିନ୍ତା, ଶୀତ ଦିନେ ଜୋରଦାର ହେବ ଅପରେସନ

ଅନେକ ସମୟରେ ଯବାନମାନେ ଭିଭିଆଇପି ସୁରକ୍ଷାରେ ନିୟୋଜିତ ହେଉଛନ୍ତି । କେନ୍ଦ୍ରିୟ SPG ଢାଞ୍ଚାରେ ଅନେକ ଭିଆଇପି ଓ ଭିଆଇପିଙ୍କ ଗସ୍ତ ବେଳେ ସୁରକ୍ଷାର ଆବଶ୍ୟକତା ରହିଥାଏ । ତେଣୁ ସେହି ସମୟରେ ନିୟୋଜିତ ଯବାନ ମାନେ କିଭଳି ଏସପିଜି ଢାଞ୍ଚାରେ ତାଲିମ ନେବେ ସେନେଇ ମଧ୍ୟ ତାଲିମ ଦିଆଯିବ । ଏପରିକି ଜେ ଜେ, ପ୍ଲସ, ଓ୍ବାଇ, ଓ୍ବାଇ ପ୍ଲସ, ବ୍ଲୁ ବୁକ୍ ସିକ୍ୟୁରିଟି ସହ ଭିଆଇପି ଓ ଭିଆଇପିଙ୍କ ସଭା ସ୍ଥଳରେ କିପରି କେଉଁ ଦିଗରେ ଜଗି ରହିବେ ଯବାନ, ସଭାସ୍ଥଳରେ କିଛି ଅଘଟଣ ହେଲେ କିପରି ମୁକାବିଲା ହେବ ସେନେଇ ତାମିଲ ଦିଆଯିବ । କୌଣସି ଭିଆଇପି ଗସ୍ତବେଳେ କିଛି ଅଜଣା ଆକ୍ରମଣ ବା ଅଘଟଣ ଘଟିଲେ ପ୍ରଥମେ ଭିଆଇପି ଓ ଭିଭିଆଇପିକୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଏହି STCରେ ତାଲିମ ନିଆଯିବ । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହିଭଳି ଭିଆଇପି ଭିଭିଆଇପି ସୁରକ୍ଷା ଏକ ପ୍ରକାର ପ୍ରାଥମିକତା ହୋଇଛି ।


କେବଳ ସେତିକି ନୁହେଁ ମାଓ ଅପରେସନ ବା ଆତଙ୍କି ଆକ୍ରମଣ ବା ଅଜଣା ବୋମା ବିସ୍ଫୋରଣ ଭଳି ପରିସ୍ଥିତି ମୁକାବିଲା ନେଇ ମଧ୍ୟ ତାଲିମ ଦିଆଯିବ । କେନ୍ଦ୍ରିୟ ଏନଏସଜି କମାଣ୍ଡୋ ଢାଞ୍ଚାରେ ମଧ୍ୟ ତାଲିମ ଦିଆଯିବ । ଯେଉଁଠି ଯବାନମାନେ କିଭଳି ନୂତନ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ତାଲିମ ନେଇ ଏସବୁର ବ୍ୟବହାର‌ କରିବେ ସେନେଇ ଜ୍ଞାନ ଆହରଣ କରିବେ। ନୂଆ ନୂଆ ଢାଞ୍ଚାରେ ନୁଆ ନୁଆ ଓ୍ବିପନ ବା ବନ୍ଧୁକର ବ୍ୟବହାର ଶିଖି କିଭଳି ତାକୁ ମାଓ ଅପରେସନ ରେ ବା ଆତଙ୍କି ଆକ୍ରମଣରେ ବ୍ୟବହାର କରିବେ ତାଉପରେ ଧ୍ୟାନ ଦିଆଯିବ।

କାରଣ ଏବେବି ମାଓ ଅପରେସନ ସମୟରେ କେନ୍ଦ୍ରିୟ ଫୋର୍ସ ବ୍ଯବହାର କରାଯାଉଛି । ସିଆରପିଏଫ ଓ ବିଏସ୍‌ଏଫ ଭଳି ଯବାନ ଅପରେସନରେ ସାମିଲ ହେଉଛନ୍ତି । ଧୀରେଧୀରେ ଓଡ଼ିଶା ଯବାନ ଏନେଇ ପୁରା ତାଲିମ ପ୍ରାପ୍ତ ହୋଇ ଏକା କିପରି ଲଢ଼ିପାରିବେ ସେନେଇ ତାଲିମ ଦିଆଯିବ । ମାଓ ଅଞ୍ଚଳରେ ବୋମା ରଖାଯାଇଥିଲେ କିପରି ବମ୍‌ ଡିସ୍ପୋଜ୍‌ ଟିମ୍ ବିନା ଡିଫ୍ୟୁଜ୍‌ କରାଯାଇପାରିବ ସେନେଇ ମଧ୍ୟ ତାଲିମ ଦିଆଯିବ । ଷ୍ଟିଲ୍‌ କଣ୍ଟେନର, ବ୍ୟାଗ୍‌ରେ ବା ମାଟି ତଳେ ଖଞ୍ଜା ହୋଇଥିବା ଆଇଡି, ଲ୍ୟାଣ୍ଡ୍‌ମାଇନକୁ କିପରି ଚିହ୍ନଟ କରିବେ ଓ ସେଥିରୁ କିପରି ବର୍ତ୍ତି ପାରିବେ ସେନେଇ ମଧ୍ୟ ତାଲିମ ନେବେ ଯବାନ ।

ଏସଓଜି ବା ଡିଭିଏଫର ଯବାନ କୁମ୍ବିଂ ଅପରେସନ ବେଳେ ଏଭଳି ଅନେକ ମାଓ ଟ୍ରାପରେ ଫସିଯାଇ ଯବାନ ଶହୀଦ ହୋଇଥାଆନ୍ତି । ଏସବୁକୁ କିପରି ମୁକାବିଲା କରିପାରିବ ସେନେଇ STC ସିକ୍ୟୁରିଟି ଟ୍ରେନିଂ ସେଣ୍ଟରରେ ତାଲିମ ଦିଆଯିବ । ଯବାନ ମାନେ ପୂର୍ବରୁ ଅନେକ ଜ୍ଞାନ କୌଶଳ ଆହରଣ କରିଛନ୍ତି ତଥାପି ମଝିରେ ମଝିରେ ନୂଆ ନୂଆ ତାଲିମ ଦେଇ ପ୍ରସ୍ତୁତ ରହିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.