ETV Bharat / state

ମହରଗ ଦୁନିଆରେ ମଧ୍ୟାହ୍ନ ଭୋଜନ ଟେନସନ୍; ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

author img

By

Published : Jul 6, 2023, 9:37 PM IST

Updated : Jul 6, 2023, 9:54 PM IST

Mid day meal
Mid day meal

ସ୍କୁଲ ପିଲାଙ୍କ ଖାଇବା ଥାଳିରେ ମହଙ୍ଗା ମାଡ଼ । ମଧ୍ୟାହ୍ନ ଭୋଜନ ଅନୁଦାନଠାରୁ ବଳି ଯାଉଛି ରୋଷେଇ ଖର୍ଚ୍ଚ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନେଇ ଚିନ୍ତାରେ ପରିଚାଳନା କମିଟି । ମଧ୍ୟାହ୍ନ ଭୋଜନରେ ସରକାର ଦେଉଥିବା ଅନୁଦାନ ରାଶିକୁ ବୃଦ୍ଧି କରିବା ଲାଗି ଦାବି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

ଦରଦାମ ଆକାଶଛୁଆଁ, ଘାରିଲାଣି ମଧ୍ୟାହ୍ନ ଭୋଜନ ପରିଚାଳନା ଚିନ୍ତା

ଭୁବନେଶ୍ବର/ଖୋର୍ଦ୍ଧା: ହୁ ହୁ ହୋଇ ଦରଦାମ ବୃଦ୍ଧି ପାଉଛି । ହରଡ଼ ଡାଲି କିଲୋ ୧୪୦ ଟଙ୍କା ଛୁଇଁଲାଣି । ଅଣ୍ଡା ଗୋଟା ୭ଟଙ୍କା ହେଲାଣି । ପନିପରିବା ଦର ପାଖାପାଖି ୧୦୦ ଟଙ୍କା ତଳକୁ ନାହିଁ । ଖାଇବା ତେଲ ଦର ମଧ୍ୟ ଉଚ୍ଚା ରହୁଛି । ଏଭଳି ଆକାଶଛୁଆଁ ଦରଦାମ ବେଳେ ପ୍ରାଥମିକ ବିଦ୍ୟାଳୟ ପିଲା ୫ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ପିଲା ୮ ଟଙ୍କା ୮୨ ପଇସାରେ ପୁଷ୍ଟିକର ଖାଦ୍ୟ କିପରି ପାଇବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନକୁ ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଏବେ ଚିନ୍ତାରେ ପଡିଛନ୍ତି । ମଧ୍ୟାହ୍ନ ଭୋଜନରେ ସରକାର ଦେଉଥିବା ଅନୁଦାନ ରାଶିକୁ ବୃଦ୍ଧି କରିବା ଲାଗି ଦାବି ହୋଇଛି ।


ପ୍ରାଥମିକ ବିଦ୍ୟାଳୟରେ ଏବେ ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ଗ୍ରାମ ଚାଉଳ ବାଦ୍‍ ଡାଲି, ତେଲ, ପନିପରିବା ଓ ଅନ୍ୟାନ୍ୟ ବାବଦକୁ ୫ ଟଙ୍କା ୯୦ ପଇସା ପ୍ରଦାନ କରାଯାଉଛି। ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତି ପିଲାଙ୍କ ପାଇଁ ୧୫୦ ଗ୍ରାମ ଚାଉଳ ବାଦ ସରକାର ୮ ଟଙ୍କା ୮୨ ପଇସା ଯୋଗାଇ ଦେଉଛନ୍ତି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ସପ୍ତାହରେ ୪ ଦିନ ନିରାମିଷ ଖାଦ୍ୟ ଦିଆଯାଉଥିବାବେଳେ ଦୁଇଦିନ ଭାତ ସହିତ ଅଣ୍ଡା ତରକାରି ଯୋଗାଯାଉଛି। ନିରାମିଷ ଖାଦ୍ୟରେ ପିଲାଙ୍କୁ ସାଧାରଣତଃ ଭାତ ସହିତ ଡାଲମା ଦିଆଯାଇଥାଏ। ଡାଲମା ପ୍ରସ୍ତୁତର ମୁଖ୍ୟ ଉପାଦାନ ହରଡ଼ ଡାଲି କିଲୋ ଏବେ ୧୪୦ ଟଙ୍କା। ଡାଲମା ପାଇଁ ଆବଶ୍ୟକ ପନିପରିବାର ଦର ବି କିଲୋପ୍ରତି ପାଖାପାଖି ୧୦୦ ଟଙ୍କା ରହିଛି। ଡାଲି ଓ ପନିପରିବାର ଏଭଳି ଚଢ଼ାମୂଲ୍ୟରେ ପିଲାଙ୍କୁ କିଭଳି ଡାଲମା ପରଷା ଯିବା ତାହା ଚିନ୍ତାର କାରଣ ପାଲଟିଛି।

ଏହା ବି ପଢନ୍ତୁ- ଆକାଶ ଛୁଆଁ ପରିବା ଦର, ଅସନ୍ତୋଷ ଖାଉଟି

ସେହିପରି ସପ୍ତାହରେ ପିଲାଙ୍କୁ ଦୁଇଦିନ ଅଣ୍ଡା ତରକାରି ଦିଆଯାଉଛି। ବର୍ତ୍ତମାନ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୬ ରୁ ୭ ଟଙ୍କା ଦରରେ ବିକ୍ରି ହେଉଛି। ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଳୁଥିବା ସବୁତକ ପଇସା ଅଣ୍ଡାରେ ସରି ଯାଉଥିବାବେଳେ ଉଚ୍ଚ ପ୍ରାଥମିକରେ ଅଣ୍ଡାଟିଏ କିଣିବା ପରେ ପିଲା ପିଛା ମିଳୁଥିବା ଅର୍ଥରୁ ପାଖାପାଖି ୨ ଟଙ୍କା ବଳୁଛି। ଅଣ୍ଡା ତରକାରୀ ପାଇଁ ପିଆଜ, ରସୁଣ, ଅଦା ସହିତ ତେଲ ଓ ଅନ୍ୟାନ୍ୟ ମସଲାଗୁଣ୍ଡ ଦରକାର। ବଜାରରେ ଏବେ ଅଦା କିଲୋ ୩୦୦ ଟଙ୍କା ଛୁଇଁଥିବାବେଳେ ରସୁଣ କିଲୋ ପ୍ରାୟ ୧୫୦ ଟଙ୍କା ରହିଛି। ସେହିଭଳି ସୋରିଷ ତେଲ ଦର ଲିଟର ପିଛା ପ୍ରାୟ ୧୫୦ ଟଙ୍କା । ଏଭଳି ଦରଦାମରେ ଗାଁ ଗହଳରେ ଥିବା ବିଦ୍ୟାଳୟରେ ପିଲାଙ୍କୁ କିଭଳି ଭାତ ସହିତ ଡାଲମା ଓ ଅଣ୍ଡା ତରକାରି ଦିଆଯିବ, ତାହାକୁ ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ଚିନ୍ତାରେୱ । ସହରାଞ୍ଚଳ ସମେତ ଅନ୍ୟ ଯେଉଁସବୁ ସ୍ଥାନରେ ସ୍ବେଚ୍ଛାସେବୀ ସଂସ୍ଥାମାନେ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି, ସେମାନେ ବି ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ଏହା ବି ପଢନ୍ତୁ- ହୋସ ଉଡ଼ାଉଛି ପରିବା ଦର, ଯେଉଁଥିରେ ହାତ ମାରିଲେ ୧୦୦; ଟମାଟୋ ପରେ ଡରେଇଲାଣି କଞ୍ଚା ପରିବା

ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦେବୀ କହିଛନ୍ତି, " ଆମକୁ ଦରଦାମ ବୃଦ୍ଧିରେ ମଧ୍ୟାହ୍ନ ଭୋଜନ ଚଳାଇବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଯେହେତୁ ପିଲାମାନେ ଏହାକୁ ଖାଉଛନ୍ତି, ତେଣୁ ବିଶେଷ ଭାବରେ ଦୃଷ୍ଟି ଦେଉଛୁ । ଖାଦ୍ୟର ମାନରେ ଅପରିବର୍ତ୍ତିତ ରଖୁଛୁ । କିନ୍ତୁ ପରିବାର ପରିମାଣ କମାଇ ଦିଆଯାଉଛି । ନିଜ ବାଡ଼ି ବଗିଚାରୁ କିଛି ପନିପରିବା ସଂଗ୍ରହ କରାଯାଉଛି ଯାହା ଫଳରେ ପିଲାମାନେ ପୁଷ୍ଟିକର ଖାଦ୍ୟ ଖାଇପାରିବେ । ଯଦି ସରକାର ମଧ୍ୟାହ୍ନ ଭୋଜନରେ ଅନୁଦାନ ରାଶିରେ ବୃଦ୍ଧି କରନ୍ତେ, ତେବେ ପିଲାମାନେ ସଠିକ ପରିମାଣରେ ପୁଷ୍ଟିକର ଖାଦ୍ୟ ପାଇପାରନ୍ତେ।"

ଆକାଶଛୁଆଁ ପରିବା ଦର ଲୋକଙ୍କୁ କଲବଲ କରିଛି । ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତିଙ୍କ କହିବା କଥା ପୂର୍ବରୁ ଏପରି କେବେ ଦର ବୃଦ୍ଧି ହୋଇନାହିଁ । ସେପଟେ ମିଡ-ଡେ ମିଲ ନିର୍ଦ୍ଦେଶକ ଅଭିରାମ ଆର ଆୟର କହିଛନ୍ତି ଆମ ପାଖରେ ଏବେ ଯାହା ନିୟମ ଆସିଛି ସେହି ଅନୁସାରେ ଫଣ୍ଡ ରିଲିଜ ହେବ ।



ଇଟିଭି ଭାରତ, ଭୁବନେଶ୍ବର/ଖୋର୍ଦ୍ଧା

Last Updated :Jul 6, 2023, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.