ETV Bharat / state

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ତାଗିଦ: ରାସ୍ତା ଓ ସେତୁ ଯୋଜନାରେ ସ୍ଥଗିତ ପ୍ରକଳ୍ପ ଡିପିଆର ୭ ଦିନରେ ଦିଅ

author img

By ETV Bharat Odisha Team

Published : Aug 25, 2023, 7:17 AM IST

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପ ଗୁଡିକ ଧାର୍ଯ୍ୟ ସମୟ ସୀମା ଏବଂ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବାକୁ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନର ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ବାନ ହଲରେ ପ୍ରମୁଖ ଶାସନ ସଚିବ ବିଭାଗର ମାସିକ ସମୀକ୍ଷା କରିଛନ୍ତି । ବୈଠକରେ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ବ । ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ । ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଗୁଡିକର ତ୍ବରିତ ସମାଧାନ ପୂର୍ବକ ଏହାର ରିପୋର୍ଟ ବିଭାଗରେ ପହଞ୍ଚିବା ଆବଶ୍ୟକ । ଏଣିକି ଏ ଦିଗରେ ବିଭାଗୀୟ ଯନ୍ତ୍ରୀମାନେ ସମସ୍ତ ଡିଭିଜନ ମୁଖ୍ୟଙ୍କୁ ଫୋନ କରି ସମାଧାନ ଦିଗରେ ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରାସ୍ତା ଓ ସେତୁ ଯୋଜନା ଅଧିନରେ ସ୍ଥଗିତ ଥିବା ପ୍ରକଳ୍ପ ଗୁଡିକର ଡିପିଆର ୭ ଦିନ ଭିତରେ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅନୁମୋଦିତ ହୋଇଥିବା ପ୍ରକଳ୍ପର ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରି ଆସନ୍ତା ୩ ଦିନ ମଧ୍ୟରେ ବିଭାଗକୁ ପଠାଇବାକୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଭାଗର ପ୍ରକଳ୍ପ ଜନିତ ବ୍ୟୟ ୪୩ ପ୍ରତିଶତରୁ ଊର୍ଦ୍ଧ୍ବ । ଯାହା ସନ୍ତୋଷଜନକ ଅଟେ । ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟୁନ ୪୫ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବ । ଏହାସହ ସମସ୍ତ ଡିଭଜନ ସର୍ବନିମ୍ନ ୧୦ କୋଟି ଟଙ୍କା ଖର୍ଚ୍ଚ କରି ରିର୍ପୋଟ ପ୍ରଦାନ କରିବ । ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବ ।

ସେହିପରି ବିଜୁ ସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଯେଉଁ ଡିଭିଜନ ମାନଙ୍କରେ ଆପ୍ରୋଚ ରୋଡ ବାକି ରହିଛି, ସେ ସବୁକୁ ଆସନ୍ତା ଅକ୍ଚୋବର ଶେଷ ସୁଦ୍ଧା ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ୧୩ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ୧୫ ସେପ୍ଟେମ୍ବର ସୁଦ୍ଧା ସାରିବାକୁ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ରହିଛି ।

ଏହାମଧ୍ୟ ପଢନ୍ତୁ: ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା : ଖୁବଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

ସେହିଭଳି ବିଭାଗର ସମସ୍ତ ସିସିଇଙ୍କ ନେତୃତ୍ବରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପ ଗୁଡିକର ଡିପିଆର ଫାଇନାଲ କରି ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସାରିବାକୁ ପରାମର୍ଶ ଦିଆଯାଇଛି । ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୂର୍ଣ୍ଣ କାମ ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ସାରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଅସମ୍ପୂର୍ଣ୍ଣ ଥିବା ୧୫ଟି ପ୍ରକଳ୍ପକୁ ସମ୍ପୁକ୍ତ ମୁଖ୍ୟ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ବିଭାଗକୁ ରିର୍ପୋଟ ପ୍ରଦାନ କରିବେ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ସଚିବ କହିଛନ୍ତି ।

୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚୁଡାନ୍ତ କରିବାକୁ କୁହାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ଯ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଛନ୍ତି । ବୈଠକରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ଅକ୍ଷୟ କୁମାର ପ୍ରଧାନ, ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.