ETV Bharat / state

ପ୍ରକଳ୍ପ ଓ ବ୍ୟୟ ବରାଦ ଧାର୍ଯ୍ୟ ସମୟରେ ଶେଷ କର: ଗ୍ରାମ୍ୟ ଉନ୍ନୟନ ସଚିବ

author img

By

Published : Jul 28, 2023, 8:43 AM IST

ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ । ପ୍ରକଳ୍ପ ଓ ବ୍ୟୟ ବରାଦ ଧାର୍ଯ୍ୟ ସମୟରେ ଶେଷ କର କହିଲେ ବିଭାଗୀୟ ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ଯୋଜନାର ସମୀକ୍ଷା କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଗୁରୁବାର ଲୋକସେବା ଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ଓ ବ୍ୟୟ ବରାଦ ଧାର୍ଯ୍ୟ ସମୟରେ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ସଚିବ କହିଛନ୍ତି ଯେ, ଗ୍ରାମାଞ୍ଚଳର ସଫଳତା ଏହାର ଭିତ୍ତିଭୂମି ବିକାଶ ଉପରେ ପର୍ଯ୍ୟବେଶିତ । ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ବ । ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ । ଏଣୁ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ରାଶି ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହେବା ଜରୁରୀ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ

ବିଭାଗ ଦ୍ବାରା ପ୍ରଥମ ତ୍ରୈମାସିକରେ ୩୦% ଓ ଦ୍ବିତୀୟ ତ୍ରୈମାସିକ ପାଇଁ ୨୦% ବଜେଟ ଅନୁଦାନ ଡିଭିଜନମାନଙ୍କୁ ପ୍ରଦାନ କରାଯାଇଛି । ବରଗଡ, କୋରାପୁଟ, ଜଗତସିଂପୁର ଓ ବାଲେଶ୍ବର ଭଳି ଡିଭିଜନମାନଙ୍କରେ ତ୍ରୈମାସିକ ବ୍ୟୟ ସନ୍ତୋଷଜନକ ରହିଛି । କେତେକ ଡିଭିଜନରେ ପ୍ରକଳ୍ପ ପାଇଁ ଦିଆଯାଇ ଥିବା ଅର୍ଥ ବିନିଯୋଗ ସନ୍ତୋଷଜନକ ହୋଇନାହିଁ । ତେଣୁ ବିଭାଗୀୟ ଅଧିକାରୀ ବିହିତ ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟୁନ ୩୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବେ । ଏହାସହ ଅଗଷ୍ଟ ମାସରେ ସମସ୍ତ ଡିଭଜନ ସର୍ବନିମ୍ନ ୮ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ

ଏହାମଧ୍ୟ ପଢନ୍ତୁ: ୩୧ ସୁଦ୍ଧା ଫସଲ ବୀମା ପଞ୍ଜିକରଣ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଏଥିସହିତ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରଖିବାକୁ ସେ କହିଛନ୍ତି । ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ସଚିବ ପଚାରି ବୁଝିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ପୂର୍ଣ୍ଣାଙ୍ଗ ରିପୋର୍ଟ ବିଭାଗକୁ ଅବଗତ କରାଇବା ସହିତ ଅସଂପୂର୍ଣ୍ଣ କାମ ଗୁଡିକ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାକି ଥିବା ୧୩ଟି ସର୍ବେକ୍ଷଣ ଅନୁସନ୍ଧାନ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦାଖଲ ପାଇଁ କ୍ଷେତ୍ରାଧିକାରୀମାନଙ୍କୁ କହିଛନ୍ତି । ୩୨୦ଟି ଟେଣ୍ଡରରୁ ଅନ୍ୟୁନ ୩୦୦ଟି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।

ଜିଏଡି ଓ ପ୍ରଶାସନିକ ଅନୁମୋଦନକୁ ମଧ୍ୟ ଏଥିରେ ସାମିଲ ହେବା ଦରକାର । ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା ପୂର୍ବକ ଏହି ସବୁ ପ୍ରକଳ୍ପଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହ ବର୍ଷା ଦିନେ ଯେପରି ରାସ୍ତା କାମ ପ୍ରଭାବିତ ନ ହୁଏ ସେଥିପାଇଁ କୋଲଡ଼ ବିଟୁମେନ ପଦ୍ଧତିରେ ପିଚୁ ସଡକ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ସମସ୍ୟା ଯୋଗୁ ଅଟକି ରହିଥିବା କାମ ଗୁଡିକ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରି ସମାଧାନର ରାସ୍ତା ବାହାର କରିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ଥର ଗତିରେ ଚାଲୁଥିବା ଏବଂ ସ୍ଥଗିତ ଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଯନ୍ତ୍ରୀମାନେ ଏଥିପ୍ରତି ଯତ୍ନବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରାଇବେ । ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆଯାଇଥିବା ଯୋଜନା ଓ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ସେହିପରି ମୋ ସରକାର ଅଧିନରେ ଆସୁଥିବା ଅଭିଯୋଗ ତଥା ଏହାର ଗୁରୁତ୍ବକୁ ଉପଲବ୍ଧି କରି ଏହାର ସମାଧାନ ଦିଗର ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଛନ୍ତି । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ସ୍ବତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ଅକ୍ଷୟ କୁମାର ପ୍ରଧାନ, ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.