ETV Bharat / state

ଚାଷୀଙ୍କୁ ମିଳିବ ଉନ୍ନତମାନର ଆଳୁ ବିହନ: କୃଷି ସଚିବ

author img

By ETV Bharat Odisha Team

Published : Oct 19, 2023, 11:05 AM IST

Review meeting of different schemes
Review meeting of different schemes

କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଚାଷୀଙ୍କ ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ବ ଦେଇଛି କୃଷି ବିଭାଗ । ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଛନ୍ତି । ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଭବନରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରମୁଖ ଶାସନ ସଚିବ ଯୋଜନାଗୁଡ଼ିକରେ ଜିଲ୍ଲା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ କ୍ଷେତ୍ରସ୍ତରର ଅଧିକାରୀମାନେ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପନିପରିବା ଆଦି କୃଷିଜାତ ଦ୍ରବ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତା ବିଶିଷ୍ଟ ଏକ ହଜାରରୁ ଉର୍ଦ୍ଧ୍ବ କୋଲ୍‌ଡ ରୁମ୍‌ ସ୍ଥାପନ କରାଯିବ । ଏଥି ସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ ଆଳୁ ଚାଷ କରାଯାଇଥିବାବେଳେ ରବି ଋତୁରେ ଆଳୁ ଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ୱ ପ୍ରଦାନ କରୁଥିବା ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ।

ଏହା ବି ପଢନ୍ତୁ...ଓରମାସ କର୍ମଶାଳା, ମହିଳା ଉତ୍ପାଦକ ସଂଗଠନର ଜୀବିକା ବିକାଶ ପାଇଁ ବୁଝାମଣାପତ୍ର

ବୈଠକରେ ପିଆଜ, ହାଇବ୍ରିଡ୍‌ ପନିପରିବା, ମସଲା, ଅଦା, ହଳଦୀ, ଲଙ୍କା ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । କମ୍ପାନୀମାନଙ୍କ ସହିତ ନିୟମିତ ବୈଠକ କରି ଜିଲ୍ଲାରେ ଅଏଲ ପାମ୍‌ ଚାଷ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଯୋଜନା ଅଧିନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ଆଦି ଚାଷ ସଂପର୍କରେ ସବିଶେଷ ଆଲୋଚନା ହୋଇଛି ।

ବୈଠକରେ ଫାର୍ମ ପଣ୍ଡ୍‌ ପ୍ଲସ୍‌ ଯୋଜନାରେ ସମନ୍ୱିତ କୃଷି, ଚାରା ରୋପଣ କାର୍ଯ୍ୟକ୍ରମ, ଜଳସେଚନ ସୁବିଧା, କଫି ଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂଅ ଖନନ, ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍କିମ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.