ETV Bharat / state

ଗତବର୍ଷ ଅପେକ୍ଷା କମିଛି ଡେଙ୍ଗୁ ପଜିଟିଭ୍ ସଂଖ୍ୟା; ହଟସ୍ପଟ୍ ପାଲଟିଛି ଭୁବନେଶ୍ଵର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ କେମିତି ବର୍ତ୍ତିବେ ?

author img

By

Published : Jul 24, 2023, 3:45 PM IST

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଗତ ବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ ସଂଖ୍ୟା କମିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

dengue situation in odisha
ରାଜ୍ୟରେ ଡେଙ୍ଗୁ ସ୍ଥିତି

ରାଜ୍ୟରେ ଡେଙ୍ଗୁ ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗତବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ ସଂଖ୍ୟା କମିଛି । ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨ ଦିନରେ ରାଜ୍ୟରେ ୨ ଜଣଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ଅଭିଯୋଗ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ୬୨ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ରିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ମହିଳା ଡେଙ୍ଗୁ ଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ ସମ୍ପର୍କରେ ସେ କହିଛନ୍ତି, "ଆମ୍ରି ହସ୍ପିଟାଲ ଘଟଣାର ବାସ୍ତବତା ସ୍ୱାସ୍ଥ୍ୟ ବିଭାଗ ଟିମ ଯାଞ୍ଚ ପରେ ସତ ଜଣାପଡ଼ିବ । ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଯାଏଁ ୨୦ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତା' ଭିତରୁ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ପାଲଟିଛି । କେବଳ ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ଵର ସମେତ)ରୁ ୩୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ୭ ଜିଲ୍ଲାରେ ୧୦ରୁ ୪୦ ଭିତରେ ରୋଗୀ ଥିବା ବେଳେ ବାକି ୧୨ ଜିଲ୍ଲାରେ ୧୦ ଭିତରେ ଡେଙ୍ଗୁ ରୋଗୀ ସୀମିତ ଅଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ନାଳ ନର୍ଦ୍ଦମା ପାଣିରେ ଭାସୁଛି ଚକାଚକ୍‌ ରାଉରକେଲା, ଡେଙ୍ଗୁ ଆଶଙ୍କାରେ ସହରବାସୀ

ଗତ ବର୍ଷ ଏହି ସମୟ ସୁଦ୍ଧା ୧୦ ହଜାର ୧୮୬ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଥିଲା ବେଳେ ୭୫୫ ଜଣ ପଜିଟିଭ ବାହାରିଥିଲେ । ତେଣୁ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି କମ ରହିଛି । ଡେଙ୍ଗୁ ଭୟାବହତା କମ ରହିଛି । ଲୋକ ସଚେତନ ହେଲେ ଡେଙ୍ଗୁ ପ୍ରତିକାର କରାଯାଇପାରିବ । ଜ୍ଵର, ଘୋଳାବିନ୍ଧା, ଆଖି ପଛ ପଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରାନ୍ତୁ । ରାଜ୍ୟର ୪୦ଟି ସେଣ୍ଟରରେ ମାଗଣାରେ ଏଲିଶା ପଦ୍ଧତିରେ ଡେଙ୍ଗୁ ଟେଷ୍ଟ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଏପଟେ ପୂର୍ବାପେକ୍ଷା କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ ଏଲ.ଡି ସାହୁ । ପୂର୍ବରୁ ୧୦ ଜଣ ରୋଗୀ ପ୍ରତିଦିନ ଆସୁଥିବା ବେଳେ ଦିନକୁ ପ୍ରାୟ ୮୦ ସାମ୍ପଲରୁ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ହସ୍ପିଟାଲରେ ଆବଶ୍ୟକ ମୁତାବକ ବେଡ୍ ଓ ବ୍ଲଡ୍ ମହଜୁଦ ରହିଛି । ଏ ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ କୌଣସି ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିନାହିଁ । ଗତକାଲି ଜଣେ ବୃଦ୍ଧା କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ତାଙ୍କ ମଳଦ୍ୱାରରୁ ରକ୍ତ ବାହାରୁଥିଲା । ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ହେଲେ ତାହା ଡେଙ୍ଗୁ ଜନିତ ମୃତ୍ୟୁ ନୁହେଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.