ETV Bharat / state

ପୂଜା ପାଇଁ ବିଏମ୍‌ସିର ପ୍ରସ୍ତୁତି ବୈଠକ, ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ

author img

By ETV Bharat Odisha Team

Published : Oct 9, 2023, 8:57 AM IST

ପୂଜା ପାଇଁ ବିଏମ୍‌ସିର ପ୍ରସ୍ତୁତି ବୈଠକ
preparatory meeting for durga puja

ଆସୁଛି ଶାରଦୀୟ ଦୁର୍ଗାପୂଜା । ଏନେଇ ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

preparatory meeting for durga puja

ଭୁବନେଶ୍ବର:ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ମା' ଦୁର୍ଗା । ଏନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ଦୁର୍ଗା ପୂଜା, ଭସାଣି ଓ ରାବଣ ପୋଡ଼ି ପାଇଁ ବୈଠକ ହୋଇଯାଇଛି ।

ତେବେ ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୮୫ଟି ମଣ୍ଡପରେ ପୂଜା ପାଇବେ ଜଗତଜନନୀ ମା' ଦୁର୍ଗା । ତେଣୁ ପୂଜା ପୂର୍ବରୁ ରାସ୍ତାରେ ଥିବା ଖାଲଖମାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ବୈଠକରେ ଆଲୋଚନା ସହ ପ୍ରତିଶୃତି ଦେଇଛନ୍ତି ମେୟର । ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା, ବିଦ୍ୟୁତ୍ ଆଲୋକ ଏବଂ ଆବଶ୍ୟକସ୍ଥଳେ ଗଛ କାଟିବା ଆଦି ବ୍ୟବସ୍ଥା କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଏହାସହ ପୂଜା ସମୟରେ ଯେପରି କୌଣସି ମଣ୍ଡପରେ ଅଘଟଣ ନଘଟେ, ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ଏଥିସହ ପୂଜା କମିଟିଗୁଡିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ମଣ୍ଡପ ନିକଟରେ ବାଲିବସ୍ତା ମହଜୁଦ୍ ରଖିବେ ବୋଲି ଉପସ୍ଥିତ ଅଗ୍ନିଶମ ଅଧିକାରୀ ସୂଚାଇଥିଲେ ।

ସେହିପରି ଭସାଣି ସମୟରେ ମେଢ଼ଗୁଡିକ ଯିବା ପାଇଁ ରାସ୍ତା ସଫା କରାଯିବାକୁ କୁହାଯାଇଛି । ବଡ଼ ବଡ଼ ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ଟଏଲେଟ୍ ଏବଂ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଭସାଣି ଦିନ ବାଣୀ ବିହାରଠାରୁ ରାଜ ମହଲ ଛକ ମଧ୍ୟରେ ୪ଟି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ପୂଜା କମିଟିଗୁଡିକ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ ପୂଜା କମିଟିକୁ ଅନୁରୋଧ କରିଛନ୍ତି ମେୟର । ଏହାସହ ମଣ୍ଡପଗୁଡିକରେ ମହିଳା ସ୍ୱେଚ୍ଛାସେବୀ ନିୟୋଜନ ଉପରେ ମଧ୍ୟ ମେୟର ଗୁରୁତ୍ୱାରୋପ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିରାଜିବେ ମା' ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ପୂଜା ପ୍ରସ୍ତୁତି ଆରମ୍ଭ

ଅନ୍ୟପଟେ ଦୁର୍ଗାପୂଜାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବାକୁ ସବୁ ପୂଜା ମଣ୍ଡପ କର୍ମକର୍ତ୍ତା ନିଜର ଡଷ୍ଟବିନ ରଖିବାକୁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତିଦିନ ବିଏମ୍‌ସି ଗାଡି ଦିନକୁ ଦୁଇଥର ସେଠାରୁ ଅଳିଆ ଉଠାଇବ । ଚଳିତ ବର୍ଷ ପୂଜାର ଥିମ୍ ସ୍ୱଚ୍ଛ, ସବୁଜ ଏବଂ ପ୍ଲାଷ୍ଟିକ ମୁକ୍ତ ଭୁବନେଶ୍ୱର କରିବାକୁ ଅନୁରୋଧ କରିଛନ୍ତି କମିଶନର । ଏଥିସହ ମୂର୍ତ୍ତି ବିସର୍ଜନ ପାଇଁ ଚଳିତ ବର୍ଷ ଅଧିକ ଏବଂ ବଡ଼ବଡ଼ ପୋଖରୀ ଖୋଳାଯିବ । ତେବେ ମୂର୍ତ୍ତିଗୁଡ଼ିକ ବଡ଼ବଡ଼ ହୋଇଥିବାରୁ ସେଗୁଡ଼ିକୁ ଲୋକମାନେ ହାତରେ ଟେକି ନେଇ ବସର୍ଜନ କରିବାରେ ବହୁ ଅସୁବିଧା ହେଉଛି । ଏଥିପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ଜେସିବି ଯୋଗାଇ ଦେବାକୁ କେତେକ ପୂଜା କମିଟି ଅନୁରୋଧ କରିଥିଲେ । ଏହାକୁ ସୁପାରିଶ କରିଥିଲେ କମିଶନର । ତେବେ ଏହି ବୈଠକରେ BMC କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ, ସିଟି ଇଂଜିନିୟର ସମେତ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, କର୍ପୋରେଟର, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ସଂଯୁକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.