ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ପରିବାର ଲୋକେ କହିଲେ ହତ୍ୟାକାଣ୍ଡ, ତଦନ୍ତ ହେଲେ ସତ ପଦାକୁ ଆସିବ କହିଲେ ଦାମ

author img

By

Published : Dec 21, 2022, 11:05 PM IST

ଦାମ ରାଉତ ଓ ସାମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା
ଦାମ ରାଉତ ଓ ସାମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା

ମମିତା ମେହେର ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୋଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଗୋବିନ୍ଦଙ୍କ ପରିବାର କିନ୍ତୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତେବେ ଏହାରି ଭିତରେ ପ୍ରତିକ୍ରିୟା ରଖି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ ଓ ସାମ୍ବାଦିକ ରବି ଦାସ । ଅଧିକ ପଢ଼ନ୍ତୁ

ଦାମ ରାଉତ ଓ ସାମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ, ସେନେଇ ଉଠିଛି ପ୍ରଶ୍ନ । ଏହି ରହସ୍ୟ ଉପରୁ ଏବେବି ପରଦା ଉଠିନାହିଁ । ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ କହୁଥିବା ବେଳେ ଗୋବିନ୍ଦଙ୍କ ପରିବାରଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟାକାଣ୍ଡ ।

'ମାହାଙ୍ଗା ଡବଲ ମର୍ଡର ଘଟଣାରେ ବି ସେୟା ହୋଇଥିଲା'

ଏହାରି ଭିତରେ ମୃତ୍ୟୁ କେମିତି ହେଲା ସେନେଇ ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଜବତ ହୋଇଥିବା ଏନଭଲପରେ କଣ ରହିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଏନେଇ ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ଗୋବିନ୍ଦଙ୍କ ପରିବାର ଲୋକେ କହୁଛନ୍ତି ଏହା ଏକ ହତ୍ୟାକାଣ୍ଡ । ପାରିପାର୍ଶ୍ବିକ ସ୍ଥିତି କହୁଛି ଜେଲ୍‌ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ । ଏହାର ତଦନ୍ତ କରାଯାଉ ସତ ପଦାକୁ ଆସୁ । କାରଣ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ଅଭିଯୋଗ ଆସି ସାରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବି ସେୟା ହୋଇଥିଲା ।"

'ଡିଷ୍ଟ୍ରିକ୍ଟ ଜୁଡିସିଆଲ ଅଥରିଟିଙ୍କ ଦ୍ବାରା ତଦନ୍ତ ହେବା ଦରକାର'

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଯଦି ଜେଲରେ ସିସିଟିଭି ଲାଗିଛି, ତେବେ ଆତ୍ମହତ୍ୟା ହୋଇଥିଲେ ସିସିଟିଭିରୁ ଏହା ସ୍ପଷ୍ଟ ହୋଇଯିବ । ଘଟଣାର ୨୪ ଘଣ୍ଟା ପରେ ବି ଜେଲ କର୍ତ୍ତୃପକ୍ଷ ସାମ୍ନାକୁ ଆସି କିଛି ସ୍ପଷ୍ଟ ନକରିବା ସନ୍ଦେହକୁ ବଢାଇ ଦେଉଛି । ଗୋବିନ୍ଦ ତାଙ୍କ ପତ୍ନୀଙ୍କ ସହିତ ଫୋନରେ କଥା ହୋଇଥିଲେ । ମାନସିକ ଭାରସାମ୍ୟ ଠିକ ଥିବା ପରିବାର ଲୋକେ କହୁଛନ୍ତି । ଗୋବିନ୍ଦ କେବେବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ବଡ଼କଥା ହେଲା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମହାଲିଙ୍ଗ କଲେଜର ଅଧ୍ୟକ୍ଷ ଏବଂ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ସାକ୍ଷୀମାନଙ୍କୁ ମଧ୍ୟ ଧମକ ଚମକ ଦିଆଯାଉଥିବା ଅଭିଯୋଗ ଆସିଥିଲା । ଯଦି ଏହାଏକ ଆତ୍ମହତ୍ୟା ତେବେ ଏହା ପଛର କାରଣ କଣ । ଗୋବିନ୍ଦଙ୍କ ଉପରେ ଆଉ କିଛି ଚାପ ଥାଇପାରେ । ଯାହା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କଲା ।" ତେଣୁ ଡିଷ୍ଟ୍ରିକ୍ଟ ଜୁଡିସିଆଲ ଅଥରିଟିଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି ।

ବଡ଼ କଥା ହେଲା ମମିତାଙ୍କ ଡିଏନଏ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଗତକାଲି ଗୋବିନ୍ଦଙ୍କ ଓକିଲ ସୂଚନା ଦେଇଥିଲେ ଏହା ତାଙ୍କ ବାପା କିମ୍ବା ମାଆଙ୍କ ଡିଏନଏ ସହ ମ୍ୟାଚ୍‌ କରିନଥିଲା । କିନ୍ତୁ ଏନେଇ ଆଜି ଉତ୍ତରାଞ୍ଚଳ ଡିଆଇଜି ସ୍ପଷ୍ଟୀକରଣ ରଖିଛନ୍ତି । ପ୍ରଥମେ ମାଟି ତଳୁ ମିଳିଥିବା ହାଡ଼ ଖଣ୍ଡର ଡିଏନଏ ତାଙ୍କ ବାପାଙ୍କ ଡିଏନଏ ପ୍ରୋଫାଇଲ ସହିତ ମ୍ୟାଚ କରିଥିବା ସେ କହିଛନ୍ତି ।

ଏବେ ଦେଖିବାର କଥା ଗୋବିନ୍ଦଙ୍କ ପୋଷ୍ଟମର୍ଟମ ରିପୋର୍ଟ କଣ କହୁଛି । କାରଣ ୫ ଫୁଟର ଝରକାରେ କେମିତି କଲେ ଆତ୍ମହତ୍ୟା । ଯଦି ଆତ୍ମହତ୍ୟା କଲେ ଏତେ ବିଳମ୍ବରେ କାହିଁକି । ପତ୍ନୀଙ୍କ ସହିତ ଭଲ ଭାବେ କଥା ହୋଇଥିବା ବ୍ୟକ୍ତି କେମିତି ତା ପରଦିନ ଆତ୍ମହତ୍ୟା କରିପାରେ । ଏଭଳି ଅନେକ ପ୍ରଶ୍ନ ଭିତରେ ଏବେ ଜେଲର୍‌ ଏବଂ ଜେଲ ଅଧିକ୍ଷକଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.