ETV Bharat / state

ଆଗୁଆ ନିର୍ବାଚନ ହେଲେ କିଏ ରହିବ ଆଗରେ ? ବିଜେଡି ରେକର୍ଡ ସଂଖ୍ୟକ ସିଟ୍‌ ଜିତିବ କହିଲେ ଦାମ

author img

By

Published : May 24, 2023, 8:15 PM IST

Updated : May 24, 2023, 9:15 PM IST

ଆଗୁଆ ନିର୍ବାଚନ ହେଲେ କିଏ ରହିବ ଆଗରେ ?
ଆଗୁଆ ନିର୍ବାଚନ ହେଲେ କିଏ ରହିବ ଆଗରେ ?

ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି ତିନି ଦଳର ନେତା । ତେବେ ବରିଷ୍ଠ ନେତା ଦାମ ରାଉତ କହିଛନ୍ତି, ଆଗୁଆ ନିର୍ବାଚନ ହେଲେ ବିଜେଡି ରେକର୍ଡ ସଂଖ୍ୟକ ସିଟ୍‌ରେ ଜିତିବ । ସେପଟେ ରାହୁଲଙ୍କ ସଫଳତା ଉପରେ କଂଗ୍ରେସ, କେନ୍ଦ୍ର ନେତୃତ୍ବ ଉପରେ ବିଜେପିର ଭରସା ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଆଗୁଆ ନିର୍ବାଚନ ହେଲେ କିଏ ରହିବ ଆଗରେ ?

ଭୁବନେଶ୍ବର: ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଦଳୀୟ ରଣନୀତି ସ୍ଥିର କରିଛି । ଆସନ୍ତା ଏକମାସ ମଧ୍ୟରେ ବୁଥସ୍ତରରେ ସଂଗଠନ ମଜଭୁତ କରିବା ପାଇଁ ଦଳ ଯୋଜନା କରିଛି । ସେପଟେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରି ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଆଦିବାସୀ କାର୍ଡ ଖେଳିବା ସହିତ ପଶ୍ଚିମ ଓଡିଶାରେ ନିଜର ଦବଦବାକୁ ଜାହିର କରିବାକୁ ଉଦ୍ୟମ କରିଛି । କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ରାଜ୍ୟ କଂଗ୍ରେସ କର୍ମୀ ଉତ୍ସାହିତ । ୯ରୁ ୯୦ ମିଶନକୁ ଆଗେଇ ନେବା ପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହାରି ଭିତରେ ବଡ଼ ପ୍ରଶ୍ନଟି ହେଲା, ଯଦି ରାଜ୍ୟରେ ଆଗୁଆ ନିର୍ବାଚନ ହୁଏ, ତେବେ କେଉଁ ଦଳର ପଲ୍ଲା ଭାରି ରହିବ ? ବିଜେଡି, ବିଜେପି ନା କଂଗ୍ରେସ ?

ଆଗୁଆ ନିର୍ବାଚନ ହେଲେ...

'ରେକର୍ଡ ସଂଖ୍ୟକ ସିଟ୍‌ ଜିତିବ ବିଜେଡି': ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ଯଦି ମୋଦି ପାର୍ଲାମେଣ୍ଟ ନିର୍ବାଚନ କରନ୍ତି, ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବ । ବିଜେଡି ଜିତିବ । ନବୀନ ମୁଖ୍ୟମନ୍ତ୍ରୀ ହେବେ । ହେଲେ ବିରୋଧୀ ଦଳ ଭୂମିକା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ । କଂଗ୍ରେସର କର୍ଣ୍ଣାଟକ ବିଜୟ ରାଜ୍ୟରେ କର୍ମୀଙ୍କୁ ଉତ୍ସାହିତ କରିଥିବାରୁ କଂଗ୍ରେସ ପୂର୍ବଥର ଅପେକ୍ଷା ଭଲ ପ୍ରଦର୍ଶନ କରିପାରେ ।" ତେବେ ଆଗାମୀ ନିର୍ବାଚନରେ ବିଜେଡି ଜିତିବା ସହିତ ସରକାର ଗଠନ କରିବ ଏବଂ ନବୀନ ପଟ୍ଟନାୟକ ରେକର୍ଡ ସଂଖ୍ୟକ ଭୋଟରେ ଜିତି ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଦାମ ।

ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ଓଡ଼ିଶାବାସୀ: ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଆମେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଗତ କିଛିଦିନ ହେଲା ଅଗୁଆ ନିର୍ବାଚନ ନେଇ ଚର୍ଚ୍ଚା ହେଉଛି । ରାଜନୈତିକ କିମ୍ବା ଅନ୍ୟାନ୍ୟ ଦୃଷ୍ଟି କୋଣରୁ ଅଗୁଆ ନିର୍ବାଚନ ହେଲେ ଆମେ ପ୍ରସ୍ତୁତ ଅଛୁ । ବିଜୁ ଜନତା ଦଳକୁ କଡା ଟକ୍କର ଦେବୁ । ଲୋକଙ୍କ ବିଶ୍ୱାସ ଭାଜନ ପ୍ରକ୍ରିୟାରୁ ବିଜୁ ଜନତା ଦଳ ତଳକୁ ଯାଇସାରିଛି । ଉପନିର୍ବାଚନ କୌଣସି ମତେ ଜିତିବା ଭିନ୍ନ କଥା । ସାଧାରଣ ନିର୍ବାଚନରେ ଏଥର ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ।"

'ନବୀନ ଓ ମୋଦିଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇପାରେ': ଅନ୍ୟପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯଦି ୫ଟି ରାଜ୍ୟ ସହିତ ଆଗୁଆ ନିର୍ବାଚନ ହୁଏ, ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଗୁରୁତ୍ବ ଦେବେ ନାହିଁ । ଓଡ଼ିଶା ବିଜେପି ହିଁ ନିର୍ବାଚନ ଲଢିବ । ଯାହାକି ନବୀନଙ୍କୁ ଆଡ୍‌ଭେଣ୍ଟେଜ୍‌ ପୋଜିସନକୁ ନେଇଯିବ । ଯଦି ପାର୍ଲାମେଣ୍ଟ ନିର୍ବାଚନ ପରେ ହୁଏ, ତେବେ ଏହାକୁ ଗୁରୁତ୍ବ ଦେଇପାରନ୍ତି କେନ୍ଦ୍ରୀୟ ନେତା । ଯାହାକି ବିଜେପି ପାଇଁ ଆଡ୍‌ଭେଣ୍ଟେଜ ହୋଇପାରେ । ଦ୍ବିତୀୟ କଥାଟି ହେଲା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ୨୦୨୪ ସାଧାରଣ ନିର୍ବାଚନ ହେଲେ ସେ ପ୍ରଚାର କରିବାରେ ଅସୁବିଧା ହେବ । ତେବେ ନଭେମ୍ବର ଡିସେମ୍ବରରେ ନିର୍ବାଚନ ହେଲେ ନବୀନଙ୍କୁ ପ୍ରଚାର କରିବାରେ ସୁବିଧା ହେବ । ରାଜ୍ୟରେ ଯାହା ହେଲେ ବି ବିଜେଡିର ପଲ୍ଲା ଭାରି ରହିଛି ।" କିନ୍ତୁ ଆଗୁଆ ନିର୍ବାଚନ ପାଇଁ ନବୀନ ଓ ମୋଦିଙ୍କ ମଧ୍ୟରେ କିଛି ଗୋଟେ ଭିତିରି ବୁଝାମଣା ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।

ପ୍ରସ୍ତୁତ ଅଛନ୍ତି ତିନି ପ୍ରମୁଖ ଦଳ: ଆଗୁଆ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ କହିସାରିଛି, ସେମାନେ ପ୍ରସ୍ତୁତ ଅଛନ୍ତି । କଂଗ୍ରେସ ୯ରୁ ୯୦ ଲକ୍ଷ୍ୟ ରଖି ଏବେଠୁ ସାଙ୍ଗଠନିକ କ୍ଷେତ୍ର ସଜାଡିବା ଆରମ୍ଭ କରିଦେଇଛି । ଏପରିକି ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଆଣି ପ୍ରଚାର କରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପିସିସି ୧୦୦ଟି ନିର୍ବାଚନ ମଣ୍ଡଳୀରେ ରୋଡ ଶୋ' କରିବା ପାଇଁ ପ୍ରସ୍ତୁତ ହେଲେଣି । କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କଥା କହିଥିବା ବେଳେ ବିଜେପି କହିଛି, ଆଗୁଆ ନିର୍ବାଚନ ହେଲେ ବିଜେଡିକୁ ମହଙ୍ଗା ସାବ୍ୟସ୍ତ ହେବ ।

ରାହୁଲଙ୍କ ସଫଳତା ଉପରେ କଂଗ୍ରେସ, କେନ୍ଦ୍ର ନେତୃତ୍ବ ଉପରେ ବିଜେପିର ଭରସା: ଗୋଟିଏ ପଟେ ଭାରତ ଯୋଡ଼ ଯାତ୍ରା କରି ଭୋଟ ସାଉଁଟିବାରେ ସଫଳ ହୋଇଛନ୍ତି ରାହୁଲ ଗାନ୍ଧୀ । କର୍ଣ୍ଣାଟକ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇସାରିଛି । ନୀତିଶଙ୍କ ବିରୋଧୀ ମେଣ୍ଟ ପ୍ରତି ମଧ୍ୟ ରାହୁଲଙ୍କ ସମର୍ଥନ ରହିଛି । ପ୍ରଧାନମନ୍ତ୍ରୀ ଭାବେ ରାହୁଲ ଗାନ୍ଧୀ ମଧ୍ୟ ଦ୍ବିତୀୟ ପସନ୍ଦର ନେତା ବୋଲି ସର୍ଭେ କହୁଛି । ଏପରି ସ୍ଥିତିରେ ଆଗାମୀ ପାର୍ଲାମେଣ୍ଟ ନିର୍ବାଚନରେ ରାହୁଲଙ୍କ ପଲ୍ଲା ମଧ୍ୟ ଭାରି ରହୁଛି । କିନ୍ତୁ ରାଜ୍ୟ କଂଗ୍ରେସକୁ ଏହା କେତେ ଦୂର ଆଗକୁ ନେବ, ତାହା ଏକ ବଡ଼ ପ୍ରଶ୍ନ ରହିଛି । ଅନ୍ୟ ପକ୍ଷରେ ବିଜେପିର ଭାଗ୍ୟ ନିର୍ଭର କରୁଛି କେନ୍ଦ୍ର ନେତୃତ୍ବ ଉପରେ । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଚାଲିଥିବା ବିଜେଡି ପୁଣି ଥରେ କ୍ଷମତାକୁ ଆସିବ ବୋଲି ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି । ଦେଖିବାର କଥା, ଯଦି ଆଗୁଆ ନିର୍ବାଚନ ହୁଏ ତେବେ କାହାର ପଲ୍ଲା ଭାରି ରହୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 24, 2023, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.