ETV Bharat / state

କୋଟିଏ ଘରେ ମୋଦିଙ୍କ ବାର୍ତ୍ତା ପହଞ୍ଚିଲେ ବି ସରକାର ଗଢିବେ ନବୀନ: ବିଜେଡି

author img

By ETV Bharat Odisha Team

Published : Dec 23, 2023, 8:52 PM IST

2024 Election: ନିର୍ବାଚନ ଜିତିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି ପରେ ତାଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି । କୋଟିଏ ଘରେ ମୋଦିଙ୍କ ବାର୍ତ୍ତା ପହଞ୍ଚିଲେ ବି ନବୀନ ହିଁ ସରକାର ଗଢିବେ ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ

୨୦୨୪ ନିର୍ବାଚନ
2024 election

2024 election

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ମାହୋଲ । କ୍ଷମତା ହାତେଇବାକୁ ନିଜ ନିଜ ଦଳ ପାଇଁ ଲାଗିପଡିଛନ୍ତି ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକପ୍ରିୟ ନେତା । ଓଡ଼ିଶାର 80 ଭାଗ ଲୋକ ତାଙ୍କୁ ପସନ୍ଦ କରୁଛନ୍ତି । ବିଜେପି ଓଡ଼ିଶାରେ ବଡ଼ ଦଳ ଭାବେ ଉଭା ହୋଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳ 1 କୋଟି ଘରେ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତା ପହଞ୍ଚାଇବ ।" ସେପଟେ ବିଜେଡି କହିଛି, "କୋଟିଏ ଘରେ ବିଜେପି ପହଞ୍ଚିଲେ ବି ରାଜ୍ୟରେ ବଢୁଛି ବିଜେଡିର ଲୋକପ୍ରିୟତା । 2024ରେ ନବୀନ ପଟ୍ଟନାୟକ ପୁନର୍ବାର କ୍ଷମତାକୁ ଫେରିବେ।"

"ରାଜ୍ୟର ବିଜେପି ଦଳୀୟ ନେତୃବୃନ୍ଦମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତାମାନଙ୍କୁ ଭେଟି ପରାମର୍ଶ ଓ ଆଶୀର୍ବାଦ ନେଇଛନ୍ତି। ଓଡ଼ିଶାର 1 କୋଟି ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ବାର୍ତ୍ତାକୁ ପହଞ୍ଚାଇବା ଓ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖିଛି ବିଜେପି । ଆସନ୍ତା ନିର୍ବାଚନ ପାଇଁ ଆମର ଯାହା ଦାୟିତ୍ବ ଅଛି ଆମେ କରୁଛୁ", ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି ପରେ ତାଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି ।



ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଦରଦାମ ବୃଦ୍ଧି ବେଳେ ବିଜେପି ନେତା କେଉଁଠି ଥିଲେ ? ଏମାନେ ଓଡିଶା ପାଇଁ କ'ଣ କରିଛନ୍ତି, 1 କୋଟି ଘରେ ପହଞ୍ଚିବେ । କ୍ଷମତାକୁ ଆସିବା ଲାଗି ଦେଶ ସମେତ ଓଡ଼ିଆ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଲେ । 2 କୋଟି ଲୋକଙ୍କୁ ବର୍ଷକୁ ନିଯୁକ୍ତି ଦେବୁ । 15 ଲକ୍ଷ ଟଙ୍କା ପ୍ରତ୍ୟେକଙ୍କୁ ଦେବୁ । ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ପାଣିର ଗାର ହୋଇଛି । ଓଡ଼ିଶାରେ ଏହାର କିଛି ପ୍ରଭାବ ପଡିବ ନାହିଁ ।"



ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି, "ଓଡିଶା ତଥା ଭାରତର ଲୋକେ ଜାଣିଛନ୍ତି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାର ଶାସନ ଭାର ନେବେ । ସବୁଠାରୁ ଅଧିକ ଦିନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ ନବୀନ । ବିରୋଧୀ ଲୋକଙ୍କ ପାଖକୁ ଯିବେ ବୁଝିବେ ଅସୁବିଧା ନାହିଁ । ଓଡ଼ିଶାର ଲୋକେ ଯେମିତି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି, ସେମିତି ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଇବା ଖୁସିର କଥା । ପୂର୍ବ ପଞ୍ଚମ ଥର ଭଳି ଷଷ୍ଠ ଥର ବି ବିଜେଡିକୁ ବହୁତ ଭଲ ପ୍ରଦର୍ଶନ କରିବ । ବିଧାନସଭା ଜିତିବୁ । ଆମ ସାଂସଦ ବି ଅଧିକ ବିଜୟ ଲାଭ କରିବେ । ଆଜି ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ରକ୍ଷା କରିଆସିଛି । କିନ୍ତୁ କେନ୍ଦ୍ରରେ ଯିଏ ଶାସନରେ ରୁହେ ଆମେ ଓଡ଼ିଶାର ସ୍ବାର୍ଥ ପାଇଁ ସମର୍ଥନ କରୁଛୁ । ବିଲ ହେଉ କି ନୀତି ନିୟମରେ ତାଙ୍କୁ ଆମେ ସମର୍ଥନ କରୁ । ପୂର୍ବରୁ ୟୁପିଏ ଆଉ ଏବେ ଏନଡିଏକୁ ସମର୍ଥନ କରିଛୁ । ତାଙ୍କ ପ୍ରୟାସ ପ୍ରୟାସରେ ରହିବ ।"

ଏହା ମଧ୍ୟ ପଢନ୍ତୁ...ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର


ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ନିର୍ବାଚନ ଆସିଲେ ସବୁ ରାଜନୈତିକ ଦଳ ବିଭିନ୍ନ ଦାବି କରନ୍ତି । ବିଜେଡି ଓ ବିଜେପି ନୁହେଁ, ଆମେ ବିକଳ୍ପ ବୋଲି କଂଗ୍ରେସ କହିଛି । ଓଡିଶା ଲୋକେ କ'ଣ ଚିନ୍ତା କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି । କେଉଁ ଆଧାରରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବାବଦରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଜାଣିନାହିଁ । କିନ୍ତୁ ବିଜେଡି ପ୍ରତି ଜନ ସମର୍ଥନ ଆହୁରି ବଢ଼ିବାରେ ଲାଗିଛି । କେବଳ ବିଜେଡିକୁ ଲୋକେ ଆପଣାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରୁଛନ୍ତି ।"



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.