ETV Bharat / state

ନବ ଦାସ ହତ୍ୟାକାଣ୍ଡ, ପୁଣି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେନି ପୋଲିସ ଡିଜି

author img

By

Published : Feb 20, 2023, 10:00 PM IST

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଘଟଣା ନେଇ ମୁହଁ ଖୋଲିନାହାନ୍ତି ପୋଲିସ ଡିଜି । ବିଧାନସଭା ସୁରକ୍ଷା ତଦାରଖ ସମୟରେ ଡିଜିଙ୍କୁ ପ୍ରଶ୍ନ କରାଯାଇଥିଲେ ମଧ୍ୟ ସେ ଚୁପ ରହିଛନ୍ତି । ଅଧିକ ପଢନ୍ତୁ

Police DG
Police DG

ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେନି ପୋଲିସ ଡିଜି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ବିତିଲାଣି ୨୩ ଦିନ । ହେଲେ ଆଜି ପର୍ଯ୍ୟନ୍ତ ଘଟଣା ନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନାହାନ୍ତି ପୋଲିସ ଡିଜି । ସେପଟେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ନବ ଦାସ ହତ୍ୟାକାଣ୍ଡର ଗୁମର ଫିଟିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କାରଣ ବିଧାନସଭା ଅଧିବେଶନ ସମୟରେ କେବଳ ବିଭାଗୀୟ ମୁଖ୍ୟ ତଥା ମନ୍ତ୍ରୀଙ୍କୁ ଛାଡିଦେଲେ ମୁହଁ ଖୋଲିବେ ନାହିଁ ବିଭାଗର ଅଧିକାରୀ । ଏଣୁ ଏହା ପୂର୍ବରୁ ବିଧାନସଭା ସୁରକ୍ଷା ତଦାରଖ ସମୟରେ ଡିଜିଙ୍କୁ ଗଣମାଧ୍ୟମର ପ୍ରଶ୍ନ କରିଥିଲେ ମଧ୍ୟ ଡିଜି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ବିଧାନସଭା ସୁରକ୍ଷା ତଦାରଖ ସମୟରେ ପୋଲିସ ଡିଜିଙ୍କୁ ଗଣମାଧ୍ୟମ ନବଦାସ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ଡିଜି ଏହାକୁ ଏଡାଇ ଦେଇ ଚାଲିଯାଇଛନ୍ତି । ଏପରିକି ନା ଏସମ୍ପର୍କରେ ପଦୁଟିଏ ମୁହଁ ଖୋଲିଛନ୍ତି ନା ଏସମ୍ପର୍କରେ କିଛି ତଥ୍ୟ ଉପସ୍ଥାପିତ କରିଛନ୍ତି । ରାଜ୍ୟର ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କ ହତ୍ୟା କରାଗଲା । ପୁଣି ଏହି ହତ୍ୟାକାଣ୍ଡରେ ଗୃହ ବିଭାଗର ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଲା । ହେଲେ ନା ଏ ଘଟଣାର‌ ପରଦା ହଟିଲା ନା ଏ ଘଟଣାର ମୁହଁ ଖୋଲୁଛନ୍ତି ପୋଲିସ ଡିଜି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଏହି ଘଟଣାକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାରେ ପୋଲିସ ଅସମର୍ଥ ହୋଇଛି। ପୋଲିସ ବିଭାଗର ମୁଖିଆ ହିସାବରେ ତଦନ୍ତ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି କି ରାଜ୍ୟବାସୀଙ୍କୁ ସେମାନଙ୍କ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପଛରେ ସତ କହୁନାହାନ୍ତି‌ । ଡିଜିଙ୍କ ନୀରବତା ଅନେକ ଦିଗ ଆଡ଼କୁ ଏବେ ଇସାରା କରୁଛି। ଡିଜି ତଦନ୍ତ ସମ୍ପର୍କରେ ମଧ୍ୟ ପଦୁଟିଏ କହିନାହାନ୍ତି । ଅନ୍ୟପଟେ ସମସ୍ତ ଅପରାଧର ନଥିପତ୍ର ରେକର୍ଡ କରାଯାଉଥିବା ସଂସ୍ଥା ବା CCTNS ଦାୟିତ୍ବରେ ଥିବା ଓଡ଼ିଶା ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଆଇପିଏସ ବିନୟତୋଷ ମିଶ୍ର ମୁହଁ ଖୋଲିଛନ୍ତି।

ଏହା ବି ପଢନ୍ତୁ- ନବଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ ନୁହେଁ: ନରସିଂହ

ପୋଲିସ ଡିଜିଙ୍କ ସହ ସିସିଟିଏନସ ସମ୍ପର୍କିତ ଏକ ବୈଠକ ପରେ ନବଦାସ ହତ୍ୟାକାଣ୍ଡର କାହିଁକି FIR ଅପଲୋଡ଼ କରାଯାଇନି ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ଏ ନେଇ ବିନୟ ତୋଷ ମିଶ୍ର ଉତ୍ତର ରଖିଛନ୍ତି। ସେ କହିଛନ୍ତି, " ତାହା ମୁଁ ଜାଣିନି । ମୁଁ ଗୋଟେ କେସ ବିଷୟରେ କହିବିନି । ଆମର ଗୋଟେ ପ୍ରୋଭିଜନି ଅଛି ଯେ ଯଦି କୌଣସି କେସ ସେନ୍ସଟିଭ ଅଛି, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ଜିଲ୍ଲାର ଏସପି ଯେକୌଣସି ସେନ୍ସଟିଭ ମାର୍କ କଲେ ତାହାର ଅପଲୋଡ଼ କରାଯିବନି। ଏ ନେଇ ଝାରସୁଗୁଡ଼ା ଏସପି କହିପାରିବେ । ମୋ ପାଖେ ୧୫ଲକ୍ଷ କେସ ରହିଛି ନିର୍ଦ୍ଦିଷ୍ଟ କେସ ବିଷୟରେ କିଛି କହିପାରିବିନି ।"

ଥାନାର ଦାୟିତ୍ବ କେସ ଅପଲୋଡ଼ କରିବା କଥା କିନ୍ତୁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ ସେ ବିଷୟରେ କିଛି କହିପାରିବିନି କହି କଥାକୁ ଏଡାଇ ଦେଇଛନ୍ତି ବିନୟ । ଏପରିକି ବୈଠକ ପରେ ନା ପୋଲିସ ଡିଜି ଏ ସମ୍ପର୍କରେ ବି ମୁହଁ ଖୋଲି ନାହାନ୍ତି। ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ସିସିଟିଏନସ କ'ଣ ? :- ଏହା ଏକ ଏପରି ବ୍ୟବସ୍ଥା ଯେଉଁଥିରେ ସମସ୍ତ ପୋଲିସ କେସ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏପରିକି ସାଧାରଣତଃ ଥାନାରୁ ରେଜିଷ୍ଟ୍ରି ହେଉଥିବା କେସ ଡିଟେଲ ସହ ସମସ୍ତ ତଥ୍ୟ ସିସିଟିଏନସରେ ଅପଲୋଡ଼ କରାଯାଇଥାଏ। କୌଣସି କେସ ରେଜିଷ୍ଟରର ୪୮ ଘଣ୍ଟା ଭିତରେ ସିସିଟିଏନସରେ FIR ଅପଲୋଡ଼ କରାଯାଇଥାଏ । ଯେଉଁଥିରେ ଜଣେ ଥାନାରୁ ହେଉଥିବା ପୋଲିସର ଆକ୍ସନ ଓ ଅଭିଯୋଗ ଉପରେ ଉପର ସ୍ତରର ଅଧିକାରୀ ମଧ୍ୟ ଜାଣିପାରିବେ। କେଉଁ କେସ ରେଜିଷ୍ଟର‌ ହୋଇଛି ଏବଂ କେସର କଣ ରହିଛି ପ୍ରାବଧାନ ? କେସ କ୍ଲୋଜ କେତେ ଦିନ‌ ଭିତରେ‌ ହେଉଛି ? ସେ ସବୁର ଷ୍ଟାଟସ ମଧ୍ୟ ପୋଲିସ ଅଧିକାରୀ ଦେଖିପାରିବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.