ETV Bharat / state

ସାଇବର ଠକଙ୍କ ଟାର୍ଗେଟରେ ବିବାହିତା ମହିଳା: ବ୍ୟାଙ୍କ ମ୍ୟାନେଜର କହି ଲଗାଉଥିଲେ ଚୂନ, ବାନ୍ଧିଲା ପୋଲିସ

author img

By

Published : Feb 16, 2023, 11:57 AM IST

Updated : Feb 16, 2023, 3:17 PM IST

police arrested two cyber lootera
police arrested two cyber lootera

ବ୍ୟାଙ୍କ ମ୍ୟାନେଜରର ପରିଚୟ ଦେଇ ଠକୁଥିଲେ ଟଙ୍କା । ଚନ୍ଦନପୁରରେ ରହି ସାରା ଓଡିଶାରୁ କରୁଥିଲେ ଠକେଇ । ଦୁଇ ସାଇବାର ଠକଙ୍କୁ ଗିରଫ କରିବା ସହ ଟଙ୍କା, ମୋବାଇଲ ଏବଂ ସିମ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

police arrested two cyber lootera

ଭୁବନେଶ୍ବର: ସାବଧାନ ! ମାତିଛନ୍ତି ସାଇବର ଲୁଟେରା । ଏଥର ସାଇବର ଠକଙ୍କ ଟାର୍ଗେଟରେ ମହିଳା । ବ୍ୟାଙ୍କରୁ କହୁଛି କହି ମହିଳାଙ୍କୁ ଫୋନ କରୁଥିଲେ । ସ୍ବାମୀଙ୍କ ନାଁରେ ଥିବା ଡିପୋଜିଟର ମାଚ୍ୟୁରିଟି ହୋଇଛି କହି ସ୍ୱାମୀର ତଥ୍ୟ ନେଉଥିଲେ । ପରେ ମହିଳାମାନଙ୍କ ସ୍ବାମୀଙ୍କୁ ଫୋନ କରି ସେମାନଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କରୁ କହୁଛି କହି ଆକାଉଣ୍ଟରୁ ଟଙ୍କା ଖାଲି କରୁଥିଲେ । ତାହା ପୁଣି ହିନ୍ଦି କି ଇଂରାଜୀ ନୁହେଁ ଖୋଦ ଓଡ଼ିଆରେ କଲ କରି ଠକ ଏପରି ଢଙ୍ଗରେ ଠକାମି କରୁଥିଲେ । ଏମିତି ଲୋଭନୀୟ କଥା କହି ବ୍ୟାଙ୍କ ଜମାକାରୀଙ୍କୁ ଚୂନ ଲଗାଉଥିବା ଜଣେ ସାଇବର ଠକଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ମୁଖ୍ୟ ସାଇବର ଠକଙ୍କ ଘର ପୁରୀ ଜିଲ୍ଲା ଚନ୍ଦନ ପୁରର ସୁପ୍ରଭାତ ମହାପାତ୍ର ଓ ତାଙ୍କ ସହଯୋଗୀ ସୁଶାନ୍ତ ବାରିକ । ଏହାସହ ସେମାନଙ୍କ ନିକଟରୁ ୨ ଲକ୍ଷ ୫ହଜାର ଟଙ୍କା, ମୋବାଇଲ ଫୋନ ଏବଂ ସିମକାର୍ଡ ଜବତ କରିଛି ପୋଲିସ । ପୋଲିସର କହିବା ଅନୁସାରେ, "ଡିପ୍ଲୋମା ଇଞ୍ଜିନିୟର କରିଥିବା ଏହି ଅଭିଯୁକ୍ତ ଜଣକ ବେକାର ଥିବା ଯୋଗୁଁ ଏଭଳି ଠକେଇର ବାଟ ଆପଣାଇଥିଲା‌ । ଘର ପାଖ ସିମକାର୍ଡ ଦୋକାନରୁ ପ୍ରି ଆକ୍ଟିଭ ସିମ ଆଣି ଠକେଇ ପାଇଁ ବ୍ୟବହାର କରୁଥିଲା । ପରେ କେବଳ ମହିଳା ଉଠାଇଲେ ସେମାନଙ୍କୁ ସେମାନଙ୍କର ସ୍ବାମୀ ଅଛନ୍ତି କି ନାହିଁ ପଚାରୁଥିଲେ । ପରେ ନିଜକୁ ବ୍ୟାଙ୍କ ମ୍ୟାନେଜରର ପରିଚୟ ଦେଇ ସେହି ମହିଳାଙ୍କ ସ୍ବାମୀଙ୍କ ନାଁରେ ଥିବା ଇନସୁରାନସ ଡିପୋଜିଟ ଏବଂ ବ୍ୟାଙ୍କ ଡିପୋଜିଟ ବିଷୟରେ ଡାଟା କାଢୁଥିଲେ । ପରେ ସେହି ତଥ୍ୟ ଆଧାରରେ ସ୍ବାମୀ ମାନଙ୍କୁ କଲ କରି ଏଥିପାଇଁ ପ୍ରୋସେସ ଫି ଓ ଅନ୍ୟାନ୍ୟ ଚାର୍ଜ ଦେବାକୁ କହି ଟଙ୍କା ଠକିନେଉଥିଲା ।"

ଏହିପରି ଢଙ୍ଗରେ ଦୁଇଜଣ ଅଭିଯୋଗକାରୀ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଥାନାରେ ଅଭିଯୋଗ କରିଥିଲେ। ୨ଲକ୍ଷ ୫ହଜାର ଟଙ୍କାର ଠକେଇ ନେଇ ରିପୋର୍ଟ ପରେ ପୋଲିସ ସାଇବର ଠକଙ୍କୁ ଗିରଫ କରିଛି । ଏହା ସହ ତାକୁ ପ୍ରି ଆକ୍ଟିଭ ସିମ ଯୋଗାଉଥିବା ଦୋକାନୀକୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଠକେଇ ହୋଇଥିବା ଟଙ୍କା ଆକାଉଣ୍ଟରେ ଫ୍ରିଜ୍ କରିବା ସହ ଦୁଇଟି ମୋବାଇଲ କିଛି ସିମକାର୍ଡ ଓ ଆକାଉଣ୍ଟ୍ ଠାବ କରିଛି ପୋଲିସ । ଏନେଇ ସେମାନଙ୍କୁ ଆଇଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ୨୦ଟି କେସ ରହିଥିବା ଜାଣିବାକୁ ପାଇଛନ୍ତି । ଯଦି ସେଭଳି କିଛି ଠକେଇ ଶିକାର ହୋଇଥାଏ ନିକଟସ୍ଥ ଥାନାରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି‌ ଜୋନ ନମ୍ବର ୫ର ଏସିପି ସଞ୍ଜୀବ ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 16, 2023, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.