ETV Bharat / state

Note Exchange: ଗରିବଲୋକଙ୍କୁ କରାଯାଉଛି କି ମୋହରା ? ଆଜି ବି ୨ ହଜାର ନୋଟ ବଦଳାଇବାକୁ ଲମ୍ବା ଲାଇନ

author img

By ETV Bharat Odisha Team

Published : Nov 1, 2023, 4:46 PM IST

ରାଜଧାନୀରେ ଜାରି ରହିଛି କଳା ଟଙ୍କା ସ୍କାମ ! ଗତ 4 ଦିନ ହେବ 2ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ଆଗରେ ଲାଗୁଛି ଲମ୍ବା ଲାଇନ। ଅଧିକ ପଢନ୍ତୁ

long queues outside rbi office
long queues outside rbi office

୨ ହଜାର ନୋଟ ବଦଳାଇବାକୁ ଲମ୍ବା ଲାଇନ

ଭୁବନେଶ୍ବର: ବ୍ୟାଙ୍କ ଖୋଲିବା ଆଗରୁ ଲାଗୁଛି ଲମ୍ବା ଲାଇନ । ହାତରେ 2 ହଜାର ନୋଟ ବିଡା ଧରି ଖରାରେ ଛିଡା ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଆଜି ନୁହେଁ ବରଂ ଲଗାତାର 3ରୁ 4 ଦିନ ହେବ ଭୁବନେଶ୍ବର RBI ଶାଖା ଆଗରେ ଦେଖାଯାଉଛି ସମାନ ସ୍ଥିତି । ଥରକେ 20 ହଜାର ଟଙ୍କାର 2 ହଜାର ନୋଟ ବଦଳ କରିଲେ ମଜୁରୀ ମିଳୁଛି 2 ଶହରୁ 3ଶହ ଟଙ୍କା । ଗରିବଙ୍କୁ ମୋହରା କରି କଳା ଟଙ୍କାକୁ ଧଳା କରୁଛନ୍ତି ପୁଞ୍ଜିପତି । ବଡ ବଡ ବ୍ୟବସାୟୀଙ୍କ କଳା ଟଙ୍କା ଧଳା ହେଉଥିବାରୁ ସେମାନେ ଖୁସି ହେଉଥିବା ବେଳେ ଦୈନିକ ପାରିଶ୍ରମିକ ପାଇ ଧାଡିରେ ଠିଆ ହେଉଥିବା ମଜୁରୀଆ ମଧ୍ୟ ବେସ ଖୁସି ହେଉଛନ୍ତି । ତେବେ ହଠାତ ଏତେ ସଂଖ୍ୟକ ଟଙ୍କା କୁଆଡୁ ଆସିଲା ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଟଙ୍କା ବଦଳାଇବା ପାଇଁ କିଏ ସେମାନଙ୍କୁ ଟଙ୍କା ଦେଇଛି ତାହାର ଉତ୍ତର ମଧ୍ୟ ନାହିଁ ମଜୁରୀଆଙ୍କ ପାଖରେ ।

ଲଗାତାର 4ଦିନ ହେବ ଲାଗିଛି ଲମ୍ବା ଲାଇନ: ଖବର ଅନୁସାରେ, ୨୦୦୦ ଟଙ୍କା ବଦଳ ପାଇଁ ଆଜି ପୁଣି ଦିନ ମଜୁରିଆ ଶ୍ରମିକ ଶ୍ରେଣୀର ଲୋକମାନେ ଜଣେ ପିଛା ୧୦ ହଜାରରୁ ୨୦ ହଜାର ଟଙ୍କାର ବଦଳ କରୁଛନ୍ତି। ଲଗାତାର ୪ ଦିନ ଧରି ଲୋକମାନେ ଆସି ଆରବିଆଇରେ ଟଙ୍କା ଫେରାଉଛନ୍ତି । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମିଳୁଥିବା କଥା କହିଛନ୍ତି ସାଧାରଣ ଲୋକେ।

ଆରବିଆଇ କାର୍ଯ୍ୟାଳୟ ଆଗରେ EOW ଟିମ୍: ଟଙ୍କା ବଦଳ କରିବା ପାଇଁ ଆରବିଆଇ ଆଗରେ ଲମ୍ବା ଲାଇନ ନେଇ ଖବର ପ୍ରସାରଣ ହେବା ପରେ ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ଆଗରେ EOW ଟିମ୍ ଆସି ଏହାର ସତ୍ୟାସତ୍ୟ ଯାଞ୍ଚ କରିଛନ୍ତି। ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହିତ ଇଡି ଓ ଈଓଡବ୍ଲୁ ଟିମର ଅଧିକାରୀ ମାନେ କଥା ହେବା ସହ ସେମାଙ୍କର ଆଧାର କାର୍ଡ ଓ ପାନ କାର୍ଡ ଯାଞ୍ଚ କରିଛନ୍ତି। ଏତେ ସଂଖ୍ୟକ ଲୋକ କେଉଁଠୁ ହଠାତ ଆସିଲେ ଓ କଣ ପାଇଁ ଭିଡ ଜମାଇଛନ୍ତି କଣ ସେମାନଙ୍କର ବୃତ୍ତି କଣ ରହିଛି ସେନେଇ ଯାଞ୍ଚ କରୁଥିବା କଥା କହିଛଜନ୍ତି ଅଧିକାରୀ। କୌଣସି ଅଭିଯୋଗ ହୋଇନି ଆମେ କେବଳ ଭିଡ ଓ ହଠାତ ଏତେ ସଂଖ୍ୟକ ଟଙ୍କା ବଦଳର ଯାଞ୍ଚ କରିବାକୁ ଆସିଛୁ ବୋଲି କହିଛନ୍ତି । ତେବେ ଯାଞ୍ଚ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି EOW ସଦସ୍ୟ।

ଗରିବଙ୍କ ପେଟକୁ କରାଯାଉଛି ମୋହରା: ତେବେ ଗତ 4 ଦିନ ହେବ ଏହି ଖବର ଭୁବନେଶ୍ବର ସମେତ ସାରା ଓଡିଶାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଟଙ୍କା ବଦଳ କରିବା ପାଇଁ ଗରିବ ଲୋକଙ୍କୁ ଵ୍ୟଵହାର କରି ଲୋକଙ୍କ ପେଟର ଭୋକକୁ ମୋହରା ସଜାଇ ଚାଲିଛି କାରବାର। ତେବେ ପୂର୍ବଦିନ ପରି ଆଜି ଅରବିଆଇ ସମ୍ମୁଖରେ ଭିଡ ଜମିଥିବା ବେଳେ ହଙ୍ଗମା ଓ ହୋ ହଲ୍ଲା ଦେଖିବାକୁ ମିଳିଛି। କିଛି ଲୋକ ତଦନ୍ତ ଅଧିକାରୀ ଟିମକୁ ଦେଖି ଖସି ପଳାଇଥିବା ବେଳେ ଆଉ କିଛି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ: ଲମ୍ବା ଲାଇନ ପଛରେ କିଏ ? 2ହଜାର ଟଙ୍କିଆ ନୋଟ ବଦଳାଇଲେ ମଜୁରୀ 200 ଟଙ୍କା

ସୃଷ୍ଚି ହେଉଛି ପ୍ରଶ୍ନବାଚୀ: ତେବେ ଏହାରି ଭିତରେ ବଡ ପ୍ରଶ୍ନ ଉଠିଛି ଯଦି ଏମାନଙ୍କ ପକ୍ଷରେ ଟଙ୍କା ଥିଲା ତେବେ ସେ ଟଙ୍କା ଫେରସ୍ତର ଅବଧି ଭିତରେ ଫେରାଇଲେ ନାହିଁ କାହିଁକି । ଯଦି ଆଜି ଫେରାଉଛନ୍ତି ତେବେ ନିଜେ ପୁଞ୍ଜିପତି ଆସୁନାହାନ୍ତି କାହିଁକି। ଏହା ଧଳା ଟଙ୍କା ନା କଳା ଟଙ୍କା ରହିଛି। ନା କଳା ଟଙ୍କାକୁ ଧଳା କରିବା ପାଇଁ ମଜୁରିଆ ସାଜିଛନ୍ତି ମୋହରା? କଳା ଟଙ୍କା ଆକାଉଣ୍ଟକୁ ଗଲେ ଧରାପଡିଯିବା ଭୟ ରହୁଛି କି?

RBI ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: ଅନ୍ୟପଟେ ଏହି ଲମ୍ବାଧାଡ଼ି କରି କମିଶନ ପାଇଁ ଟଙ୍କା ବଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅରବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ସେ କହିଛନ୍ତି, "ଆମର ସାଢେ ଚାରିମାସ ଧରି ଆରବିଆଇରେ ଓ ବିଭିନ୍ନ ବ୍ୟାଙ୍କରେ ୨୦୦୦ ଟଙ୍କିଆ ବଦଳ ପ୍ରକ୍ରିୟା ଚାଲୁରହିଥିଲା । ହେଲେ ୯ ତାରିଖ ପର ଠାରୁ କେବଳ ଆରବିଆଇରେ ଏହି ବଦଳ ହେଉଛି । ୧୦ଟି ନୋଟ ଅଫିସିଆଲ ଡକୁମେଣ୍ଟ ଦେଇ ଆପଣ ବଦଳାଇପାରିବେ। ଯାହା ଏକ ଲିଗାଲ ଟେଣ୍ଡର ପ୍ରକ୍ରିୟା ଭାବରେ ଜାରି ରହିଛି। ଏହାର ସମୟ ସୀମା ଏଯାଏଁ ଘୋଷଣା ହୋଇନାହିଁ ।

ଏବେବି ଲୋକ ଟଙ୍କା ବଦଳ କରୁଛନ୍ତି । ଏହାକୁ ନେଇ ଲମ୍ବା ଧାଡି ରହିଛି ସଠିକ କାଗଜପତ୍ର ଯାଞ୍ଚ ସହ ଲୋକମାନଙ୍କୁ ଟଙ୍କା ବଦଳ କରାଯାଉଛି। ଇଡି କି ଇଓଡବ୍ଲୁ ଅଧିକାରୀ ଏନେଇ କିଛି ଆମକୁ ପଚାରି ନାହାନ୍ତି । ଯଦି କେହି ଅନ୍ୟର ଟଙ୍କା ଫେରାଉ ଥିବେ ତେବେ ସେନେଇ ଯାଞ୍ଚ କରିବା ଆରବିଆଇର ପରିସର ନୁହେଁ। ଆମେ ଅରବିଆଇର ଯାହା ନିୟମ ରହିଛି ସେହି ମୁତାବକ ଟଙ୍କା ବଦଳ କରାଉଛୁ । ଏନେଇ ତଦନ୍ତ ଏଜେନ୍ସିର କାମ ଆବଶ୍ୟକ ପଡିଲେ ଆମେ ସହଯୋଗ କରିବୁ ବୋଲି ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.