ETV Bharat / state

କ୍ୟାମେରା ଲେନ୍ସରେ କଳା ବାଘ, ଏପରି ପରାମର୍ଶ ଦେଲେ ପିସିସିଏଫ

author img

By ETV Bharat Odisha Team

Published : Nov 30, 2023, 7:59 PM IST

କ୍ୟାମେରା ଲେନ୍ସରେ କଳା ବାଘ ଠାବ । କୌଣସି ସମସ୍ୟା ହେଲେ ବନ ବିଭାଗକୁ ଜଣାଇବାକୁ ପିସିସିଏଫଙ୍କ ପରାମର୍ଶ । ଅଧିକ ପଢନ୍ତୁ

PCCF Susanta Nanda
PCCF Susanta Nanda

କ୍ୟାମେରା ଲେନ୍ସରେ କଳା ବାଘ

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ଦେଖିବାକୁ ମିଳିଛି କଳା ରଙ୍ଗର କଲରା ପତରିଆ ବାଘ । ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ ଏହି ବିରଳ କଳା ରଙ୍ଗର ବାଘ କ୍ୟାମେରା ଲେନ୍ସରେ ଠାବ ହେବା ପରେ ଲୋକଙ୍କୁ ସଚେତନ କରାଇଛି ବନ ବିଭାଗ । ଲୋକଙ୍କ କୌଣସି ସମସ୍ୟା ହେଲେ ବାଘର କୌଣସି କ୍ଷତି ନକରି ତୁରନ୍ତ ବନ କର୍ମଚାରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ ସୁଶାନ୍ତ ନନ୍ଦ ।

ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, " ଏହା କୌଣସି ଅସ୍ବାଭାବିକ ନୁହେଁ । ଏହା ଏକ ମେଲାନଷ୍ଟିକ ବାଘ । ସିକ୍ରେସନ୍ ପିଗମେଣ୍ଟ ଅଧିକା ହେବା କାରଣରୁ ତା ଶରୀରରେ ଥିବା ଛିଟ ଦାଗ ଦେଖାଯାଏନି ବା ହଳଦିଆ ରଙ୍ଗ ଲୁଚିଯାଏ ଓ ବାଘଟି କଳା ରଙ୍ଗର ଦେଖାଯାଏ । ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ତେଣୁ ଏହା ନୂଆ କଥା ନୁହେଁ । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା । କିନ୍ତୁ ବାଘ କଳା ହେବା ଦ୍ଵାରା ଏହାର ବଂଶ ବୃଦ୍ଧି ହେବ ତାର କୌଣସି ନିର୍ଦ୍ଦିଷ୍ଟ ନାହିଁ । କିନ୍ତୁ ବାଘର ରଙ୍ଗ କଳା ହେଲେ ପରିବେଶରେ ତିଷ୍ଠି ରହିବା ତା ପାଇଁ ସମସ୍ୟା ହୋଇଯାଏ ।"

ଏହା ବି ପଢନ୍ତୁ- ଓଡ଼ିଶା ଜଙ୍ଗଲରେ ବୁଲୁଛି କଳା ବାଘ

ସେ ଆହୁରି କହିଛନ୍ତି, " ବର୍ତ୍ତମାନ ଗଜପତି ସୀମାନ୍ତରେ ମହାବଳ ବାଘ ଦେଖାଦେଇଛି । ଗଜପତି ବନ କର୍ମଚାରୀମାନେ ମହାବଳ ବାଘକୁ ଟ୍ରାକ କରିଛନ୍ତି । ତେବେ ମହାବଳ ବାଘର ଗତିବିଧି ଠିକ୍ ଭାବରେ ରହିଛି । ସେଭଳି କିଛି ଅସ୍ବାଭାବିକ ଭାବରେ ବ୍ୟବହାର କରୁନାହିଁ । ତେବେ ଜଙ୍ଗଲରେ ବିଭିନ୍ନ ବାରହା, ପଶୁପକ୍ଷୀ ଖାଇବା ସହ ଗାଈ ମଧ୍ୟ ଖାଇଛି । ଯଦି ବାଘ ଥିବା ଅଞ୍ଚଳରେ କିଛି ଗାଈ ନିଖୋଜ ରହୁଛି ତେବେ ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଜଣାନ୍ତୁ । ରାଜ୍ୟ ସରକାର ଏନେଇ ୨୦ ହଜାର ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ବାଘକୁ କିଛି ଅନିଷ୍ଟ ନକରି ବନ କର୍ମଚାରୀଙ୍କୁ ଜଣାନ୍ତୁ ।"

ସୂଚନା ଥାଉ କି ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଏହି ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର ୮ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳିଛି । କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ବିରଳ କଳାବାଘ ଦେଖିବାକୁ ମିଳିଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.