ETV Bharat / state

ଝାରସୁଗୁଡ଼ା ପରାଜୟର ପୋଷ୍ଟମଟର୍ମ କରିବ କଂଗ୍ରେସ, ଏକତା ଓ ଅର୍ଥ ଅଭାବରୁ ହାରିଲୁ କହିଲେ ସୁର

author img

By

Published : May 15, 2023, 7:05 PM IST

ଝାରସୁଗୁଡ଼ା ପରାଜୟର କାରଣ ଖୋଜିବ କଂଗ୍ରେସ
ଝାରସୁଗୁଡ଼ା ପରାଜୟର କାରଣ ଖୋଜିବ କଂଗ୍ରେସ

ଝାରସୁଗୁଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି କଂଗ୍ରେସ । ବିଜେଡି ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ହାସଲ କରିଥିବା ବେଳେ ବିଜେପିର ଭୋଟ ହାର ମଧ୍ୟ ବଢ଼ିଛି । ତେବେ ଅମାନତ ହରାଇବାର କାରଣ ଜାଣିବା ପାଇଁ ଏକ କମିଟି ଗଠନ କରି ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ପରାଜୟର କାରଣ ଖୋଜିବ କଂଗ୍ରେସ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନରେ ହାରିବାର କାରଣ ଖୋଜିବ କଂଗ୍ରେସ । ଅମାନତ ହରେଇବା କାରଣ ଖୋଜିବ ଦଳ । ତୃଣମୂଳସ୍ତରରେ ଏତେ ପ୍ରଚାର ସତ୍ତ୍ବେ କାହିଁକି ମିଳିଲା ଶୋଚନୀୟ ପରାଜୟ । ଏପରିକି ୨୦୧୯ରେ ୧୮ ହଜାର ଭୋଟ ମିଳିଥିବା ବେଳେ ଏହି ଉପନିର୍ବାଚନରେ ତାହା ବି ହରାଇଲା ଦଳ । ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର କାହିଁକି ଏଭଳି ଶୋଚନୀୟ ବିପର୍ଯ୍ୟୟ ହେଲା, ସେନେଇ ପୋଷ୍ଟ ମର୍ଟମ କରିବ ଏକ ସ୍ବତନ୍ତ୍ର କମିଟି । ଏକ ୩ ଜଣିଆ କମିଟି ଦ୍ବାରା ଅନୁଧ୍ୟାନ କରାଯିବ । ସମସ୍ତ ତଥ୍ୟ ଆସିବା ପରେ ଏନେଇ ସମୀକ୍ଷା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ଏକତା ଓ ଅର୍ଥ ଅଭାବରୁ ଶୋଚନୀୟ ପରାଜୟ ମିଳିଥିବା ସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପରାଜୟର ସମୀକ୍ଷା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର କିଛି ନେତା କଂଗ୍ରେସ ବିରୋଧରେ ବୟାନ ଦେବା କଥା ହାଇକମାଣ୍ଡଙ୍କୁ ଜଣାଇ ଦିଆଯାଇଛି । ୩ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯିବ । ସେମାନେ ପରାଜୟର ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବେ । କଂଗ୍ରେସର ସମସ୍ତ ନେତା ଆମ ପାଇଁ ବଡ ଆସେଟ । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ତେଣୁ ଆମକୁ ଏକ ହୋଇ ବିଜେଡି ଓ ବିଜେପି ସରକାର ବିରୋଧରେ ଲଢ଼ିବାର ଅଛି । କଂଗ୍ରେସ ପରିବାର କଥା ପରିବାର ଭିତରେ ହିଁ ଆଲୋଚନା ହେଲେ ଭଲ ।"

ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆମ ଦଳ ଭିତରେ ଏକତା ନାହିଁ । ଆମ ଆମ ଭିତରେ ପଡୁନାହିଁ । ବିଜେଡି ଓ ବିଜେପି ବିପୁଳ ଅର୍ଥ ପ୍ରଲୋଭନ ଦେଖାଇ ଭୋଟ କିଣିନେଲେ । ଆମ ପାଖରେ ଅର୍ଥର ଅଭାବ । ସେଥିପାଇଁ ଏଭଳି ପରାଜୟ ହେଲା । ଆମର ସ୍ଥାନୀୟ ପ୍ରାର୍ଥୀ ହେଲେ ଭୋଟ ପାଇଲୁ ନାହିଁ । ରାହୁଲ ଗାନ୍ଧୀଙ୍କୁ ଏବେ ଦେଶ ଭରସା କରୁଛି । ତାର ଫଳାଫଳ କର୍ଣ୍ଣାଟକ ନିର୍ବାଚନରେ ମିଳିଲା । କଂଗ୍ରେସ ଏବେ ଓଡ଼ିଶାରେ ମଧ୍ୟ ଭଲ କରିବ । ସଂଗଠନକୁ ଅଧିକ କାର୍ଯ୍ୟକ୍ଷମ କରାଯିବ ।" ତେବେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ୧ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାରରୁ ଅଧିକା ଭୋଟ ମିଳିଥିଲା । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ କେବଳ ୪ ହଜାର ୪୯୬ ଖଣ୍ଡ ଭୋଟ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.