ETV Bharat / state

ପ୍ରଶାସନର ବଡ ପଦକ୍ଷେପ, ଅପରାହ୍ନ 4ଟା ପରେ ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା

author img

By

Published : Jan 16, 2023, 6:59 AM IST

ଅପରାହ୍ନ 4ଟା ପରେ ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା । ଏନେଇ ସୂଚନା ଦେଇଛନ୍ତି ଚିଲିକା ତହସିଲଦାର । ଅଧିକ ପଢନ୍ତୁ

ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା
ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା

ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା

ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନର ବଡ ପଦକ୍ଷେପ । ଅପରାହ୍ନ ୪ଟା ପରେ ଚିଲିକାକୁ ଯାତ୍ରୀବାହୀ ଡଙ୍ଗା ମନା । ଏନେଇ ସୂଚନା ଦେଇଛନ୍ତି ଚିଲିକା ତହସିଲଦାର । ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ବରେ ବସିଥିବା ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରତି ମୁହୂର୍ତ୍ତରେ ଚିଲିକା ହ୍ରଦକୁ ଆଗତ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ସହ ନୌଯାତ୍ରାରେ ସୁରକ୍ଷା ଯୋଗାଇ ଦେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହିତ ବୋଟ ଆସୋସିଏସନ ତତ୍ପର ହୋଇଥିବା ଦେଖିବାକୁ ମିଳୁଛି । ଏହିପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ରବିବାର ପୂର୍ବାହ୍ନରେ ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତା ନେଇ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଦୀର୍ଘ ସମୟ ଧରି ଆଲୋଚନାରେ ଯାତ୍ରୀ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ, ନିୟମ ସଂଖ୍ୟକ ଯାତ୍ରୀ ନେବା, ଡଙ୍ଗାର ଫିଟନେସ, ଲାଇସେନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଡଙ୍ଗାରେ ଲାଇଫ ବୟ ଓ ଲାଇଫ ଜାକେଟ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରହିବା ନିହାତି ଜରୁରୀ ହୋଇଥିବା ବେଳେ ଅପରାହ୍ନ ୪ ଘଟିକା ପରେ ଯାତ୍ରୀବାହି ଡ଼ଙ୍ଗା ପର୍ଯ୍ୟଟକଙ୍କୁ ନେଇ ଭ୍ରମଣ ପାଇଁ ଯାଇପାରିବ ନାହିଁ ଏବଂ ସନ୍ଧ୍ୟା ୬ଟା ପୂର୍ବରୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଯାତ୍ରୀବାହି ଡ଼ଙ୍ଗା ଚିଲିକା କୂଳରେ ପହଞ୍ଚିବା ଲାଗି ପ୍ରଶାସନର ନିର୍ଦ୍ଦେଶ ରହିଛି ।

ଏପରିକି ପ୍ରତ୍ୟେକ ଡଙ୍ଗାରେ ସବିଶେଷ ବିବରଣୀ ତଥା ଚାଳକ ସମ୍ବନ୍ଧୀୟ ସୂଚନା, ଡଙ୍ଗାର ଫିଟନେସ, ଲାଇସେନ୍ସ ଅବଧି, ଜରୁରୀକାଳୀନ ମୋବାଇଲ ନମ୍ବର ସାର୍ବଜନୀନ କରିବା ସହ ବିଭିନ୍ନ ମୋଟର ବୋଟ ଆସୋସିଏସନ ଠାରେ ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ଗୃହୀତ ସମସ୍ତ ତଥ୍ୟ ଫଳକ ମାଧ୍ୟମରେ ଉଲ୍ଲେଖ ରହିବ । ଯେପରି କୌଣସି ମାଛମରା ଡଙ୍ଗାରେ ଯାତ୍ରୀମାନେ ନୌଯାତ୍ରା ନକରିବେ, ତାହା ଉପରେ ତୀକ୍ଷ୍ଣ ନଜର ରଖିବାସହ ଏହା ଉପରେ ଅଙ୍କୁଶ ଲଗାଯିବ । ଏଥିସହିତ ଅକସ୍ମାତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାଳକ ଏବଂ ଆସୋସିଏସନ ସଜାଗ ରହିବାସହ ବୋଟ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଛି । ଉକ୍ତ ନିୟମ ସବୁ ଯାତ୍ରୀବାହି ଡ଼ଙ୍ଗା ପାଳନ କରୁଛନ୍ତି ନାଇଁ ଜାଣିବା ପାଇଁ ଏକ ଫ୍ଲାଇଂ ସ୍କ୍ୱାର୍ଡ ଟିମ ଗଠନ କରାଯାଇ ନିୟମିତ ଚଢ଼ାଉ ଜାରି ରହିବା ନେଇ ତହସିଲଦାର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Nepal air crash: ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଆଇଏନଏସ ଚିଲିକା କମାଣ୍ଡର ଶିବନାରାୟଣ ସିଂ, ବିଭିନ୍ନ ପ୍ରାଇଭେଟ ମୋଟର ବୋଟ ଆସୋସିଏସନର ସଭାପତି ଓ ସମ୍ପାଦକ, ମତ୍ସ୍ୟଜୀବୀ ସଙ୍ଘର ସଭାପତି, ଅଗ୍ନିଶମ ବିଭାଗ, ଜଳପଥ ପରିବହନ ବିଭାଗ, ମତ୍ସ୍ୟ ବିଭାଗ, ରାଜସ୍ୱ ବିଭାଗ, ବନ୍ୟ ବିଭାଗ, ଶାନ୍ତି କମିଟି ସଦସ୍ୟ, ବ୍ୟବସାୟିକ ସଂଘ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.