ETV Bharat / state

ସରିଲା ପଲ୍ଲିଶ୍ରୀ ମେଳା, ୫ଦିନରେ ୪ କୋଟିର ବ୍ୟବସାୟ

author img

By

Published : Jan 25, 2023, 7:45 AM IST

pallishree-mela-concluded-in-rayagada
ସରିଲା ପଲ୍ଲିଶ୍ରୀ ମେଳା

ଶେଷ ହେଲା ପଲ୍ଲିଶ୍ରୀ ମେଳା । 5 ଦିନରେ 4କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସରିଲା ପଲ୍ଲିଶ୍ରୀ ମେଳା

ରାୟଗଡା: ଚଇତି ପର୍ବ ଅବସରରେ ଜିଲ୍ଲାରେ ଚାଲିଥିବା ପଲ୍ଲିଶ୍ରୀ ମେଳା ଶେଷ ହୋଇଯାଇଛି । ୫ଦିନ ଧରି ଚାଲିବା ଏହି ମେଳାରେ 30ଟି ଜିଲ୍ଲର ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରି ଶେଷ ଦିନରେ 1.14 କୋଟିର ବ୍ୟବସାୟ କରିଛନ୍ତି । ଯାହା ରେକର୍ଡ ସୃଷ୍ଟି କରିଛି । ପାଞ୍ଚ ଦିନରେ ମୋଟ 4 କୋଟି 17 ଲକ୍ଷ 31 ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି ।

ପଲ୍ଲିଶ୍ରୀ ମେଳାର ପ୍ରଥମ ଦିନରେ 45 ଲକ୍ଷ 62 ହଜାର, ଦ୍ୱିତୀୟ ଦିନରେ 62 ଲକ୍ଷ 54 ହଜାର 860, ତୃତୀୟ ଦିନରେ 96 ଲକ୍ଷ 54 ହଜାର 500, ଚତୁର୍ଥ ଦିନରେ 98 ଲକ୍ଷ 24 ହଜାର 400 ଟଙ୍କାର ବ୍ୟବସାୟ ହୋଇଥିଲା । ମେଳାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଫୁଲଝାଡୁଠାରୁ ଆରମ୍ଭ କରି ହସ୍ତତନ୍ତ , ଖାଦ୍ୟ ସାମଗ୍ରୀ, ପାଟ ଶାଢି, ବାଡି, ପାମ୍ପଡ ଏବଂ ଘର ସାଜଶଯ୍ୟା ସାମଗ୍ରୀର ବେଶ ଚାହିଦା ରହିଥିଲା । ଏହି ସବୁ ଷ୍ଟଲ୍‌ରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ମେଳାରେ ସୋନପୁର ଜିଲ୍ଲା ଖଜୁରାର ମା ତାରିଣୀ ଉତ୍ପାଦକ ଗୋଷ୍ଠୀ ସବୁଠାରୁ ଅଧିକ 24 ଲକ୍ଷ 12 ହଜାର ଟଙ୍କାର କେବଳ ପାଟ ଶାଢି ବ୍ୟବସାୟ କରିଛି । ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନୀ ଷ୍ଟଲ୍‌, ଉତ୍ପାଦକ ଗୋଷ୍ଠୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା । ଷ୍ଟଲ୍‌ ସାଜସଜ୍ଜା ପାଇଁ ଚାଟିକଣା ସ୍ଥିତ ଡ଼ଙ୍ଗରିଆ କାନ୍ଧ ଉନ୍ନୟନ ପରିଷଦର ଷ୍ଟଲ ପ୍ରଥମ ପୁରସ୍କାର ପାଇଥିବା ବେଳେ ଜଙ୍ଗଲ ବିଭାଗ ଷ୍ଟଲକୁ ଦ୍ବିତୀୟ ଏବଂ ଉଦ୍ୟାନ କୃଷି ବିଭାଗ ଷ୍ଟଲକୁ ତୃତୀୟ ପୁରସ୍କାର ମିଳିଥିଲା । ସେହିଭଳି ଆଞ୍ଚଳିକ ଶିଳ୍ପ କେନ୍ଦ୍ରକୁ ଶ୍ରେଷ୍ଠ ଇନୋଭେଟିବ ଷ୍ଟଲ ଭାବେ ପୁରସ୍କୃତ କରା ଯାଇଥିଲା । ଉଦଜାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଳସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ , ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେଇ କୃତି ଷ୍ଟଲଗୁଡିକୁ ପୁରସ୍କୃତ କରିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.