ETV Bharat / state

ଡ୍ରାଇଭରଙ୍କୁ ଚ୍ୟାଲେଞ୍ଜ ଦେବେ ଡ୍ରାଇଭର, ଆସନ୍ତାକାଲି ରାଜଧାନୀରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ

author img

By

Published : Mar 15, 2023, 10:14 PM IST

auto driver to strike in bhubaneswar
ଆନ୍ଦୋଳନକୁ ଓହ୍ଲାଇବ ଅଟୋ ଚାଳକ ସଂଘ

ଆସନ୍ତାକାଲି ରାଜଧାନୀରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ । ଡ୍ରାଇଭର ସଂଘ ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ କଟାକ୍ଷର ପ୍ରତିବାଦ କରିବ ଅଟୋ ଚାଳକ ସଂଘ । ଅଧିକ ପଢ଼ନ୍ତୁ

ଡ୍ରାଇଭରଙ୍କୁ ଚ୍ୟାଲେଞ୍ଜ ଦେବେ ଡ୍ରାଇଭର

ଭୁବନେଶ୍ବର: ଡ୍ରାଇଭର ସଂଘକୁ ଚ୍ୟାଲେଞ୍ଜ ଦେବେ ଅଟୋ ଚାଳକ ସଂଘ । ଆନ୍ଦୋଳନ ଡାକରା ଦେଲା ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ଗୁରୁବାର) ଭୁବନେଶ୍ବରରେ ଅଟୋ ଚଳାଚଳ ବନ୍ଦ ରହିବ । ଏହି ପ୍ରତିବାଦ ଆନ୍ଦୋଳନରେ ୧୦ ହଜାର ଅଟୋ ଡ୍ରାଇଭର ସାମିଲ ହେବେ । ରାଜଧାନୀର ଲୋୟର ପିଏମଜି ଓ ଜନପଥକୁ କବଜା କରିବାକୁ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଘୋଷଣା କରିଛି ।

୧୦ ଦଫା ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମିଳିତ ମହାମଞ୍ଚ । ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଓ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ଆନ୍ଦୋଳନର ପ୍ରଥମ ଦିନରେ ସମର୍ଥନ କରୁନଥିବା ଡ୍ରାଇଭରଙ୍କୁ ସାମିଲ କରିବା ପାଇଁ ଭିନ୍ନଭିନ୍ନ ପନ୍ଥା ଆପଣାଇଥିଲା ଡ୍ରାଇଭର ମହାସଂଘ । ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ଅଟକାଇ ମୁଣ୍ଡିଆ ମାରିବା, ଫୁଲ ମାଳ ପିନ୍ଧାଇବା ଓ ଚକୋଲେଟ ଦେଇଥିଲା ଆନ୍ଦୋଳନକାରୀ ଡ୍ରାଇଭର ମହାମଞ୍ଚ । କିନ୍ତୁ 'ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ' ଲେଖାଯାଇଥିବା ପ୍ଲାକାର୍ଡ ଧରାଇ ଫଟୋ ଉଠାଇବା ସହ ଅପମାନିତ କରାଯାଇଥିବା ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଅଭିଯୋଗ କରିଛି ।

ଏହାଦ୍ବାରା ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା କହିଛି ଅନଲାଇନ ଅଟୋ ଗ୍ରୁପ । ତେଣୁ ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ କଟାକ୍ଷର ପ୍ରତିଯବାବ ଦେବ ଅଟୋ ଚାଳକ ଗ୍ରୁପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅଟୋ ଚାଳକ ସଂଘ ଆନ୍ଦୋଳନକୁ ଓହ୍ଲାଇବ । ଏହି ଆନ୍ଦୋଳନରେ ୧୦ ହଜାର ଅନଲାଇନ ଅଟୋ ଏବଂ କାର ଚାଳକ ସାମିଲ ହେବେ । ଲୋୟର ପିଏମଜି ସମେତ ଜନପଥକୁ କବଜା କରିବେ ବୋଲି ଅଟୋ ଚାଳକ ସଂଘର ସଭାପତି ଦୀନବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ସରକାରଙ୍କ ପାଖରେ ୧୦ ଦଫା ଦାବି ରଖି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିଅରିଂ ଛାଡ଼ ଡାକରାରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଏବଂ ସଦର ମହକୁମାରେ ଏହି ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ନେଇ ଗାଡ଼ି ଚଳାଚଳ ବନ୍ଦ ରହିଛି । ୧୦ଟି ମଧ୍ୟରୁ ୮ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡ଼ି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଭଳି ଅନେକ ସମସ୍ୟାକୁ ଦୂର କରିବାକୁ ଦାବି ହୋଇଥିଲା । କିନ୍ତୁ ଏହି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସରକାର ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରି ଡ୍ରାଇଭର ମହାମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି । ଯଦି ସରକାର ସେମାନଙ୍କ ଆନ୍ଦୋଳନରେ ପ୍ରଭାବିତ ନହୁଅନ୍ତି ବା ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.