ETV Bharat / state

ସରକାରୀ ବ୍ୟବସ୍ଥାର ବିଚିତ୍ର ଚିତ୍ର: ମୃତକଙ୍କୁ ଭତ୍ତା ମିଳୁଥିବା ମାନିଲେ ସରକାର, ଚିଠି ଲେଖିଲେ ସଚିବ

author img

By ETV Bharat Odisha Team

Published : Nov 15, 2023, 8:15 PM IST

ସରକାରୀ ବ୍ୟବସ୍ଥାର ବିଚିତ୍ର ଚିତ୍ର: ମୃତକଙ୍କୁ ଭତ୍ତା; ମାନିଲେ ସରକାର, ଚିଠି ଲେଖିଲେ ସଚିବ
ସରକାରୀ ବ୍ୟବସ୍ଥାର ବିଚିତ୍ର ଚିତ୍ର: ମୃତକଙ୍କୁ ଭତ୍ତା; ମାନିଲେ ସରକାର, ଚିଠି ଲେଖିଲେ ସଚିବ

ମୃତକଙ୍କୁ ମିଳୁଛି ଭତ୍ତା । ଜଣେ ଦୁଇ ଜଣ ନୁହଁନ୍ତି, ଶହ ଶହ ଏଭଳି ଅଛନ୍ତି । ହେଲେ ଜିଲ୍ଲାପାଳ ପ୍ରଶାସନ ତାଙ୍କୁ ଭତ୍ତା ଦେଇ ଚାଲିଛନ୍ତି । ଏଭଳି କେବଳ ମୃତକଙ୍କୁ ଭତ୍ତା ଦେଉ ନାହାନ୍ତି । ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଜାଗାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରୁନାହାନ୍ତି । ଫଳରେ ଶହ ଶହ ଯୋଗ୍ୟ ହିତାଧିକାରୀ ଭତ୍ତା ନପାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ଅଧିକ ପଢ଼ନ୍ତୁ

ସରକାରୀ ବ୍ୟବସ୍ଥାର ବିଚିତ୍ର ଚିତ୍ର: ମୃତକଙ୍କୁ ଭତ୍ତା; ମାନିଲେ ସରକାର, ଚିଠି ଲେଖିଲେ ସଚିବ

ଭୁବନେଶ୍ବର: ମୃତକ ତଥା ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା । ଏନେଇ ଦୀର୍ଘ ହେବ ହେଉଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୃତ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ଭତ୍ତା ଦେଇଚାଲିଛନ୍ତି । ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନେବାକୁ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହିତାଧିକାରୀଙ୍କ ମୃତ୍ୟୁକୁ ବର୍ଷ ବର୍ଷ ବିତିଗଲାଣି । ହେଲେ ମୃତକଙ୍କୁ ମିଳୁଛି ଭତ୍ତା । ଜଣେ ଦୁଇ ଜଣ ନୁହଁନ୍ତି, ଶହ ଶହ ଏଭଳି ଅଛନ୍ତି । ହେଲେ ଜିଲ୍ଲାପାଳ ପ୍ରଶାସନ ତାଙ୍କୁ ଭତ୍ତା ଦେଇ ଚାଲିଛନ୍ତି । ଏଭଳି କେବଳ ମୃତକଙ୍କୁ ଭତ୍ତା ଦେଉ ନାହାନ୍ତି । ବରଂ ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଜାଗାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରୁନାହାନ୍ତି । ଫଳରେ ଶହ ଶହ ଯୋଗ୍ୟ ହିତାଧିକାରୀ ଭତ୍ତା ନପାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଅଧିକାରୀଙ୍କ ଅପାରଗତା ଯୋଗୁ ଯୋଜନା ସଫଳ ହେଉନାହିଁ । ତେଣୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । ତୁରନ୍ତ ଏହାର ସମୀକ୍ଷା କରି ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ଲୋକଙ୍କୁ ଚିହ୍ନଟ କରନ୍ତୁ ।

ଅଧିକ ପଢନ୍ତୁ- ଏବେ ବଢ଼ିବନି ବାର୍ଦ୍ଧକ୍ୟ-ବିଧବା ଭତ୍ତା, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ସଚିବ ଆହୁରି ଲେଖିଛନ୍ତି ଯେ, ସରକାର ମଧୁବାବୁ ପେନସନ ଯୋଜନା ଓ ଜାତୀୟ ନିରାପତ୍ତା ସହାୟତା ପେନସନ ଭଳି ବ୍ୟବସ୍ଥା କରିଛନ୍ତି । ଏହାକୁ ସୁଗମ କରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନର ଦାୟିତ୍ବ । ଉଦାହରଣ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିତ୍ର ନେବା । ଖୋର୍ଦ୍ଧା ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୧୨୪୦୫ ଓ ଜାତୀୟ ନିରାପତ୍ତା ସହାୟତା ପେନସନରେ ୬୬୧୪ଟି ଖାଲି ପଡ଼ିଛି । ଜାତୀୟ ନିରାପତ୍ତା ସହାୟତା ପେନସନ ଯୋଜନାରେ ୪୧,୦୪୬ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଅର୍ଥରାଶି ଦିଆଯାଇ ପାରୁନାହିଁ । ଗୋଟିଏ ପଟେ ଉଭୟ ଯୋଜନାରେ ଖାଲି ପଡ଼ିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ମଞ୍ଜୁର ହୋଇ ପଡ଼ିରହିଛି । କିନ୍ତୁ କାହାକୁ ଦିଆଯାଉନାହିଁ । ଯଦିଓ ଖାଲି ‌ହେବା ମାତ୍ରେ ଯୋଗ୍ୟ ହିତାଧିକାରୀଙ୍କୁ ଦେଇ ଦିଆଯିବା କଥା ।

ସେହିଭଳି ଜାତୀୟ ନିରାପତ୍ତା ସହାୟତା ପେନସନ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ପୋର୍ଟାଲରେ ୭୪,୧୩୬ ଜଣ ପଞ୍ଜୀକୃତ ହୋଇଛନ୍ତି । କିନ୍ତୁ ‌ସେମାନଙ୍କ ମଧ୍ୟରୁ ୭୩,୭୬୧ ଜଣଙ୍କ ଆକାଉଣ୍ଟକୁ ଅର୍ଥରାଶି ଡିବିଟି ହୋଇପାରୁଛି । ୩୭୫ ହିତାଧିକାରୀଙ୍କ ଖାତାକୁ ଅର୍ଥରାଶି କାହିଁକି ସିଧାସଳଖ ଯାଇ ପାରୁ ନାହିଁ ସେ ନେଇ ସୂଚନା ନାହିଁ । ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କ ନାମ ତାଲିକାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା କଥା ତାହା ହେଉନାହିଁ । ଏଣୁ ବିଡିଓ ଓ ବିଏମସି କମିସନର ପ୍ରତ୍ୟେକ ମାସରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଅକ୍ଟୋବର ମାସର ସମୀକ୍ଷା ବେଳେ ପ୍ରମୁଖ ସଚିବଙ୍କ ସାମ୍ନାକୁ ଏଭଳି ଚିତ୍ର ଆସିଛି । ଉଭୟ ଯୋଜନାରେ ବିଏମ୍‌ସିରେ ୩୪୧ ଖାଲି ପଡ଼ିଛି । ଏହାର ସମୀକ୍ଷା କରି ତୁରନ୍ତ ଯୋଗ୍ୟଙ୍କୁ ପ୍ରଦାନ କରିବା ପାଇଁ ତାଗିଦ କରାଯାଇଛି ।

ଅଧିକ ପଢନ୍ତୁ- ଭତ୍ତା କରାଇଦେବା ନାଁରେ ଅର୍ଥ ଆତ୍ମସାତ !

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି ଯେ, ସାମାଜିକ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ପ୍ରତି ପଞ୍ଚାୟତରେ ବ୍ୟବସ୍ଥା ହୋଇଛି । ୯୦ ପ୍ରତିଶତରୁ ଅଧିକ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଟାର୍ଗେଟ ଲୋକଙ୍କୁ ଭତ୍ତା ଦେବା ଲାଗି ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.