ETV Bharat / state

ସ୍ଥିତି ଅଣାୟତ୍ତ ପରେ ଚେତା ପଶିଲା, ଏଣିକି ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ

author img

By

Published : Mar 17, 2023, 5:25 PM IST

ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ
ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ

ଆଗକୁ ଖରା ବଢିବାର ସମ୍ଭାବନାକୁ ଦେଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବନ ବିଭାଗ । ଏଣିକି ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ । ଏପଟେ ବର୍ଷା ପରେ ବର୍ତ୍ତମାନ ମାତ୍ର ୧୦୦ରୁ ୨୦୦ ସ୍ଥାନରେ ଲାଗିଛି ବନାଗ୍ନି । ଦୁଇ ଦିନ ପୂର୍ବରୁ ୧୭୦୦ରୁ ୧୮୦୦ ସ୍ଥାନରେ ଜଳୁଥିଲା ଜଙ୍ଗଲ । ଅଧିକ ପଢ଼ନ୍ତୁ

ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ

ଭୁବନେଶ୍ବର: ସ୍ଥିତି ଅଣାୟତ୍ତ ପରେ ଚେତା ପଶିଲା । ଏଣିକି ଜଙ୍ଗଲ ନିଆଁ ଲିଭାଇବାରେ ନିୟୋଜିତ ହେବେ ଓଡ୍ରାଫ ଟିମ । ଆଗକୁ ଖରା ବଢିବାର ସମ୍ଭାବନାକୁ ଦେଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବନ ବିଭାଗ । ଅନ୍ୟପଟେ ବର୍ଷା ଆଣିଛି ବଡ଼ ଆଶ୍ବସ୍ତି । ଝିପିଝିପି ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାଜ୍ୟରେ ଦୁଇ ଦିନ ହେବ ଢେର କମିଛି ଜଙ୍ଗଲ ନିଆଁ । ଏବେ ଆଉ ମାତ୍ର ୧୦୦ରୁ ୨୦୦ ସ୍ଥାନରେ ଲାଗିଛି ବନାଗ୍ନି । ପୂର୍ବରୁ ଏହି ସଂଖ୍ୟା ୧୭୦୦ରୁ ୧୮୦୦ ରହିଥିଲା ।

ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ‌ଦେବୀଦତ୍ତ ବିଶ୍ବାଳ । ସେ କହିଛନ୍ତି, "ରାଜ୍ୟରେ ନିଆଁ ଲିଭା ପାଇଁ ହେଲିକପ୍ଟରର ଆବଶ୍ୟକତା ନାହିଁ । ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ବିଶେଷ ଭାବରେ ଗ୍ରାଉଣ୍ଡ ଫାୟର । ଅର୍ଥାତ୍ ଜଙ୍ଗଲର ତଳେ ତଳେ ପଡିଥିବା ଶୁଖିଲା ପତ୍ର ଓ ଶୁଖିଲା କାଠରେ କୁହୁଳି କୁହୁଳି ଲାଗୁଛି ନିଆଁ । ଯେଉଁଠି ପୁରା ଗଛ ଜଳିଥାଏ, ସେଠାରେ ହେଲିକପ୍ଟର ବ୍ୟବହାର ଆବଶ୍ୟକ ପଡ଼େ । ତେଣୁ ଓଡ଼ିଶାରେ ଜଙ୍ଗଲ ନିଆଁ ଲିଭାଇବାକୁ ହେଲିକପ୍ଟର ଆବଶ୍ୟକ ପଡ଼ିବ ନାହିଁ । କାରଣ ବିଶେଷ ଭାବରେ ଶାଳ ଓ ଦେବଦାରୁ ଗଛରେ ସାଧାରଣ ଭାବରେ ନିଆଁ ଲାଗିଥାଏ । ଅପରପକ୍ଷରେ ରାଜ୍ୟରେ ଲାଗୁଥିବା ୯୮% ଜଙ୍ଗଲ ନିଆଁକୁ ତୁରନ୍ତ ଲିଭାଯାଇ ପାରୁଛି । ମୁଖ୍ୟ ଚ୍ୟାଲେଞ୍ଜ ହେଉଛି, କିଭଳି ନିଆଁ ନଲାଗିବ । ସେଥିପାଇଁ ଅଧିକରୁ ଅଧିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ କରାଯାଉଛି । ଏହାଛଡ଼ା ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।"

ଆଗାମୀ ଆକ୍ସନ ପ୍ଲାନ୍: ଆଗକୁ ଗ୍ରୀଷ୍ମରେ ଜଙ୍ଗଲ ନିଆଁ ବଢ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି ବନ ବିଭାଗ । ଏହି ଆକ୍ସନ ପ୍ଲାନ ଅନୁସାରେ ଏଣିକି ଜଙ୍ଗଲ ନିଆଁ ଲିଭାରେ ସାମିଲ ହେବେ ଓଡ୍ରାଫ ଟିମ୍ । ସମ୍ବେଦନଶୀଳ ଥିବା ସ୍ଥାନକୁ ଓଡ୍ରାଫ ଟିମ୍ ପଠାଇବାର ବ୍ୟବସ୍ଥା ହୋଇଛି । ଏନେଇ ଆଗାମୀ ଦିନରେ ଜଙ୍ଗଲରେ ନିଆଁ ଲାଗିଲେ ଖୁବ୍ ଶୀଘ୍ର ଓଡ୍ରାଫ ଟିମ୍ ସେହି ସ୍ଥାନରେ ପହଞ୍ଚି ନିଆଁ ଲିଭାଇବ । ଅପରପକ୍ଷରେ ଜଙ୍ଗଲ ନିଆଁ ଘଟଣାରେ ରୋକ୍ ଲଗାଇବାକୁ କଠୋର ହୋଇଛି ବନ ବିଭାଗ । ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ୬୦ ମାମଲା ରୁଜୁ କରିଛି । ଏହି ମାମଲାରେ ଅନେକ ବ୍ୟକ୍ତି ସଂପୃକ୍ତ ଥିବା ସୂଚନା ମିଳିଛି । ଏନେଇ ଆଗକୁ ବନ ବିଭାଗ ଆହୁରି କଠୋର ହେବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.