ETV Bharat / state

GST Collection: ଜୁଲାଇରେ ୭୨୨୫.୨୫ କୋଟି ଜିଏସଟି ସଂଗ୍ରହ, ଗତବର୍ଷ ତୁଳନାରେ ୧୯.୨୬% ଅଭିବୃଦ୍ଧି

author img

By

Published : Aug 2, 2023, 7:22 AM IST

GST Collectio
GST Collectio

ଜିଏସଟି ସଂଗ୍ରହରେ ପୁଣି ରେକର୍ଡ କଲା ଓଡ଼ିଶା । ଜୁଲାଇ ସୁଦ୍ଧା ୭୨୨୫.୨୫ କୋଟି ଟଙ୍କାର ଜିଏସଟି ସଂଗ୍ରହ । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାମାରୀ ଯୋଗୁଁ ନିମ୍ନଗାମୀ ହୋଇଥିବା ଅର୍ଥନୀତି ଏବେ ଟ୍ରାକକୁ ଫେରୁଛି । ସୁଦୃଢ ହେବାରେ ଲାଗିଛି ରାଜ୍ୟ ଅର୍ଥନୀତି । ଗତ କିଛି ମାସ ହେଲା ରାଜ୍ୟରେ ଜିଏସଟି ସଂଗ୍ରହ ନୂଆ ନୂଆ ରେକର୍ଡ କରୁଛି । ଚଳିତ ଆର୍ଥିକ ବର୍ଷର ଜୁଲାଇ ସୁଦ୍ଧା ଜିଏସଟି ସଂଗ୍ରହ ୭୨୨୫.୨୫ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ୧୯.୨୬ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନର ସଞ୍ଜୟ କୁମାର ସିଂ ।

GST Collection
GST Collection

ଚଳିତ ଆର୍ଥିକ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଅର୍ଥରାଶି ୭୨୨୫.୨୫ କୋଟି ଟଙ୍କା ପହଞ୍ଚିଛି । ଫଳରେ ୨୦୨୨ ମସିହା ଜୁଲାଇ ମାସ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ୬୦୫୮.୨୭ କୋଟି ଟଙ୍କାର ସଂଗ୍ରହ ପରିମାଣ ତୁଳନାରେ ୧୯.୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି କେବଳ ୨୦୨୩ ମସିହା ଜୁଲାଇ ମାସରେ ଏ ବାବଦରେ ୧୭୧୬.୪୯ କୋଟି ଟଙ୍କା ସଂଗୃହୀତ ହୋଇଛି । ଅପରପକ୍ଷରେ ରାଜ୍ୟ ଜିଏସଟି ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଜୁଲାଇ ମାସରେ ୧୩୦୦.୩୩ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ, ୨୦୨୨ ମସିହା ଜୁଲାଇ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୧୧୨.୬୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୬.୮୭ ପ୍ରତିଶତ ।

ଏହାମଧ୍ୟ ପଢନ୍ତୁ: LPG Price Cut: ୧୦୦ ଟଙ୍କା କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍

ଯଦି ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ମୋଟ ରାଜ୍ୟ ଜିଏସଟି ସଂଗ୍ରହକୁ ବିଚାରକୁ ନିଆଯାଏ ତେବେ ଦେଖାଯିବ ଯେ, ଏହି ଅବଧି ମଧ୍ୟରେ ୫୫୧୧.୬୯ କୋଟି ଟଙ୍କା ରାଜ୍ୟ ଜିଏସଟି ସଂଗୃହୀତ ହୋଇଛି । ଯାହାକି ଗତ ଆର୍ଥିକ ବର୍ଷର ଜୁଲାଇ ମାସ ସୁଦ୍ଧା ସଂଗୃହୀତ ହୋଇଥିବା ୫୨୩୮.୬୧ କୋଟି ଟଙ୍କା ଠାରୁ ୫.୨୧ ପ୍ରତିଶତ ଅଧିକ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋଟ ଜିଏସଟି (ରାଜ୍ୟ ଜିଏସଟି + କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ଅତିରିକ୍ତ ଟିକସ ବା ସେସ) ବାବଦକୁ ୨୦୨୩ ମସିହା ଜୁଲାଇ ମାସରେ ୪୨୪୫.୪୦ କୋଟି ଟଙ୍କା ସଂଗୃହୀତ ହୋଇଛି । ଯାହାକି ୨୦୨୨ ମସିହା ଜୁଲାଇ ମାସରେ ଏ ବାବଦରେ ସଂଗ୍ରହ କରାଯାଇଥିବା ୩୬୫୧.୬୧ କୋଟି ଟଙ୍କା ତୁଳନାରେ ୧୬.୨୬ ପ୍ରତିଶତ ଅଧିକ ।

ରାଜ୍ୟ କମିଶନରରେଟ ଦ୍ବାରା ପରିଚାଳିତ ହେଉଥିବା ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୧୦୭୭୬.୮୭ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷ ଜୁଲାଇ ମାସ ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୯୫୬୩.୦୧ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୨.୬୯ ପ୍ରତିଶତ । ୨୦୨୩ ମସିହା ଜୁଲାଇ ମାସରେ ୨୦.୧୨ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବା ବେଳେ ଗତ ବର୍ଷ ଜୁଲାଇ ମାସରେ ଏହି ସଂଖ୍ୟା ଥିଲା ୧୫.୬୮ ଲକ୍ଷ । ଏ କ୍ଷେତ୍ରରେ ୨୮.୩୧ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏହା ଅର୍ଥନୈତିକ କାର୍ଯ୍ୟକଳାପରେ ଆସିଥିବା ଗତିଶୀଳତାକୁ ସୂଚିତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.