ETV Bharat / state

ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ, ନଭେମ୍ବରରେ ୨୭୯୧.୪୫ କୋଟି ଆଦାୟ

author img

By ETV Bharat Odisha Team

Published : Dec 2, 2023, 8:50 AM IST

ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ,
ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ,

GST Collection Record: ଜିଏସଟି ସଂଗ୍ରହରେ ରେକର୍ଡ କଲା ଓଡିଶା । ନଭେମ୍ବର ମାସରେ ସର୍ବାଧିକ ଜିଏସଟି ସଂଗ୍ରହ । ଗତବର୍ଷ ଅପେକ୍ଷା ପାଖାପାଖି 100 ପ୍ରତିଶତ ଅଧିକ ସଂଗ୍ରହ । ଅଧିକ ପଢନ୍ତୁ

ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ,
ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ,

ଭୁବନେଶ୍ବର: ଜିଏସଟି(ଦ୍ରବ୍ୟ ଓ ସେବା କର) ଆଦାୟରେ ରେକର୍ଡ କଲା ଓଡିଶା । ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦରେ ନଭେମ୍ବରରେ ସର୍ବାଧିକ ଟଙ୍କା ଆଦାୟ ହୋଇଛି । ଚଳିତ ମାସରେ ୨,୭୯୧.୪୫ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତର ସର୍ବକାଳୀନ ରେକର୍ଡ ଅଟେ । ଏହାପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ୧,୩୯୦.୩୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ତେବେ ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି 100 ପ୍ରତିଶତରୁ ଅଧିକ ଜିଏସଟି ସଂଗ୍ରହ ହୋଇଛି । ଏନେଇ ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନର ସଂଜୟ କୁମାର ସିଂ ସୂଚନା ଦେଇଛନ୍ତି ।

ସଂଜୟ କୁମାର ସିଂଙ୍କ ସୂଚନା ଅନୁଯାଯୀ, "ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦରେ ଓଡିଶାରେ ୨୦୨୩ ମସିହା ନଭେମ୍ବର ମାସରେ ୨,୭୯୧.୪୫ କୋଟି ଟଙ୍କା ସଂଗ୍ରହ ହୋଇଛି । ଯାହା କି ଏପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଗତବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧,୩୯୦.୩୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଓଡିଶା ୧୦୦.୭୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ କରିଛି ।"

ସେ ଆଉ ମଧ୍ୟ କହିଛନ୍ତି," ଚଳିତ ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ୧୪୯୧୩.୧୬ କୋଟି ଟଙ୍କାରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶି ଥିଲା ୧୧୭୧୯.୬୪ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଚଳିତ ବର୍ଷ ୨୭.୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ବାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ଚଳିତବର୍ଷ ନଭେମ୍ବରରେ ୩,୮୫୬.୭୨ କୋଟି ଟଙ୍କା ସଂଗୃହୀତ ହୋଇଛି । ଗତବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨,୩୦୮.୯୨ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୬୭.୦୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ଚଳିତ ଆର୍ଥିକ ବର୍ଷର ନଭେମ୍ବର ମାସ ସୁଦ୍ଧା ଉପରୋକ୍ତ ଟିକସ ବ୍ୟବସ୍ଥା ଅଧୀନରେ ହୋଇଥିବା ମୋଟ ସଂଗ୍ରହ ରାଶି ୨୨,୫୧୦.୫୬ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ତୁଳନାରେ ଏହା ୧୮.୯୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।"

ଏହାମଧ୍ୟ ପଢନ୍ତୁ.. GST Collection: ସେପ୍ଟେମ୍ବରରେ 1.62 ଲକ୍ଷ କୋଟି ଅତିକ୍ରମ କଲା GST ସଂଗ୍ରହ

"ମୋଟ ଜିଏସଟି ବାବଦକୁ ଚଳିତ ବର୍ଷ ନଭେମ୍ବର ମାସରେ ୪୨୯୫.୦୮ କୋଟି ଟଙ୍କା ସଂଗୃହୀତ ହୋଇଛି । ଗତବର୍ଷ ନଭେମ୍ବର ମାସରେ ଏହି ପରିମାଣ ଥିଲା ୪,୧୬୨.୨୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୧୯ ପ୍ରତିଶତ ରହିଛି । ସେହିପରି ଚଳିତ ଆର୍ଥିକ ବର୍ଷ ନଭେମ୍ବର ମାସ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ମୋଟ ସଂଗ୍ରହ ପରିମାଣ ୩୫,୧୮୮.୨୫ କୋଟି ଟଙ୍କା ରହିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହି ସଂଗ୍ରହରେ ୯.୭୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।"

ଆଉମଧ୍ୟ ୨୦୨୩ ମସିହା ନଭେମ୍ବର ମାସରେ ୨୦.୮୫ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବା ବେଳେ ଗତବର୍ଷ ନଭେମ୍ବର ମାସରେ ଏହି ସଂଖ୍ୟା ଥିଲା ୧୮.୧୯ ଲକ୍ଷ । ଫଳରେ ଏଥିରେ ୧୪.୬୨ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଯାହାକି ବାଣିଜ୍ୟ କାରବାରରେ ଦେଖା ଦେଇଥିବା ଗତିଶୀଳତାକୁ ସୂଚିତ କରୁଛି । ଚଳିତ ବର୍ଷ ନଭେମ୍ବର ମାସରେ ନିର୍ଗମନ କରାଯାଇଥିବା ୨୦.୮୫ ଲକ୍ଷ ସଂଖ୍ୟକ ଇ-ୱେବିଲ ମଧ୍ୟରୁ ୮.୪୬ ଲକ୍ଷ ଆନ୍ତଃରାଜ୍ୟ କାରାବର ପାଇଁ ବ୍ୟବହୃତ ହୋଇଛି । ପୁନଶ୍ଚ ୨୦୨୩ ମସିହା ନଭେମ୍ବର ମାସରେ ୨.୨୧ କୋଟି ଟଙ୍କା ସଂଖ୍ୟକ ଇ-ଇନଭଏସ ଟିକସଦାତାଙ୍କ ଦ୍ବାରା ନିର୍ଗମନ କରାଯାଇଛି । ଏଥିରେ ୫,୯୨,୯୯୯. ୫୩ କୋଟି ଟଙ୍କାର କାରବାର ରାଶି ସଂପୃକ୍ତି ରହିଥିବା କହିଛନ୍ତି ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.