ETV Bharat / state

ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

author img

By

Published : Dec 4, 2022, 7:39 AM IST

ସରିଲା ମେକ୍ ଇନ ଓଡିଶା କନକ୍ଲେଭ । ରାଜ୍ୟକୁ ମିଳିଲା ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ
ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ବର: ଉଦଯାପିତ ହୋଇଛି ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୨(Make In Odisha Conclave) । ଶିଳ୍ପ ମହାକୁମ୍ଭରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା । ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ''ମେକ୍ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ମାଧ୍ୟମରେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହାଦ୍ୱାରା ରାଜ୍ୟରେ ୧୦ ଲକ୍ଷ ୩୭ ହଜାର ୭୦୧ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।''

ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଏହି କନକ୍ଲେଭ ମାଧ୍ୟମରେ ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିନେରାଲସ୍‌, ମେଟାଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ମୋଟ ୧୪୫ଟି ପ୍ରସ୍ତାବ ମିଳିଛି । ଏହାଦ୍ୱାରା ରାଜ୍ୟରେ ୫.୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ । ୩ ଲକ୍ଷ ୫୫ ହଜାର ୬୧୫ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଶକ୍ତି, ଅକ୍ଷୟ ଶକ୍ତି କ୍ଷେତ୍ରରେ ମୋଟ ୨.୩୮ ଲକ୍ଷ କୋଟି ଟଙ୍କାର ୩୨ଟି ପ୍ରସ୍ତାବ ଆସିଛି । ଏଥିରେ ୭୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି ଲଜିଷ୍ଟିକ ଓ ଇନଫ୍ରାଷ୍ଟକଚର କ୍ଷେତ୍ରରେ ୧.୧୯ ଲକ୍ଷ କୋଟି ଟଙ୍କାର ୮୭ଟି ପ୍ରସ୍ତାବ ସମେତ ସାର, ପେଟ୍ରୋକେମିକାଲସ ଓ ପ୍ଲାଷ୍ଟିକରେ ୭୬ ହଜାର କୋଟିର ୯୩ଟି ପ୍ରସ୍ତାବ ଆସିଛି । ୬୪,୭୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଛି । ମ୍ୟାନୁଫାକଚରିଂ କ୍ଷେତ୍ରରେ ୨୧,୬୩୪ କୋଟିର ୬୪ଟି ପ୍ରସ୍ତାବ ରହିଛି । ସେଥିରେ ୨୮,୫୪୫ ଜଣଙ୍କୁ ନିଯୁକ୍ତି ମିଳିପାରିବ । ପର୍ଯ୍ୟଟନରେ ୮,୨୩୫ କୋଟି ଟଙ୍କାର ୪୧ଟି ପ୍ରସ୍ତାବ ରହିଥିବାବେଳେ ୩୭,୯୪୩ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଆଇଟି ଓ ଇଏସଡିଏମ କ୍ଷେତ୍ରରେ ୭୭୪୦ କୋଟି ଟଙ୍କାର ୩୭ଟି ପ୍ରସ୍ତାବ ଆସିଛି । ଯେଉଁଥିରେ ୫୪,୩୯୨ଜଣଙ୍କୁ ନିଯୁକ୍ତି ମିଳିବ । କୃଷି ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୭୨୪୯ କୋଟି ଟଙ୍କାର ୧୦୨ଟି ପ୍ରସ୍ତାବରେ ୧.୪୫ ଲକ୍ଷ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ ।

ଏହାମଧ୍ୟ ପଢନ୍ତୁ: Make in Odisha conclave: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଏହାବ୍ୟତୀତ ହେଲଥକେୟାର ଆଣ୍ଡ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ୩୯୩୫ କୋଟିର ୨୨ଟି ପ୍ରସ୍ତାବ ଆସିଛି । ନିଯୁକ୍ତି ସୁଯୋଗ ୧୧୨୭୬ ଜଣ ରହିଛି । ଟେକ୍ସଟାଇଲ ଓ ଆପେରାଲରେ ୨୬୪୦ କୋଟିର ୨୦ଟି ପ୍ରସ୍ତାବରେ ୩୩୫୮୭ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଏରୋସ୍ପେସ୍ ଓ ଡିଫେନ୍ସରେ ୨୦୫୫ କୋଟିର ୧୦ଟି ପ୍ରସ୍ତାବ ରହିଥିବାବେଳେ ୨୬୭୪ ଜଣ ନିଯୁକ୍ତି ପାଇପାରିବେ । ଇଲେକ୍ଟ୍ରିକ ଗାଡ଼ିରେ ୫୦୦ କୋଟିର ଗୋଟିଏ ପ୍ରସ୍ତାବ ଆସିଛି । ସେଥିରେ ୨୭ ହଜାର ଜଣଙ୍କୁ ନିଯୁକ୍ତି ମିଳିପାରିବ । ଏହାସହ ଷ୍ଟାଫଅପରେ ୨୮୦ କୋଟିର ୫ଟି ପ୍ରସ୍ତାବରେ ୪ ହଜାରଙ୍କୁ ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ମିଳିଛି । ଶିକ୍ଷା କ୍ଷେତ୍ରରେ ୬୬ କୋଟି ଟଙ୍କାର ୨ଟି ପ୍ରସ୍ତାବ ମାଧ୍ୟମରେ ୨୪୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଫିଲ୍ମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ୧୫ କୋଟି ଟଙ୍କାର ଗୋଟିଏ ପ୍ରସ୍ତାବ ମିଳିଛି । ୭୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.