ETV Bharat / state

ପ୍ରଥମ ଦିନରେ ୪୮ ହଜାର ପଞ୍ଜିକୃତ, ଜୁନ ୨୦ ଯାଏଁ ଚାଲିବ ଯୁକ୍ତ ଦୁଇ ନାମଲେଖା ଆବେଦନ

author img

By

Published : May 30, 2023, 7:36 AM IST

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ । ପ୍ରଥମ ଦିନରେ ୪୮ ହଜାର ଛାତ୍ରଛାତ୍ରୀ କଲେ ପଞ୍ଜିକରଣ । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: 2023-24 ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ 48 ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । 31 ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ 30 ହଜାର ଜଣ ଆବେଦନ କରିବା ପରେ ଫି' ଦାଖଲ କରିଛନ୍ତି । ତେବେ ଛାତ୍ରଛାତ୍ରୀ ଏକାସାଙ୍ଗରେ 5ଟି କଲେଜରେ ଆବେଦନ କରିପାରିବେ ।

ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ପୂର୍ବାହ୍ନ 11ଟାରୁ ଆବେଦନ କରିଛନ୍ତି । ଆବେଦନର ଶେଷ ତାରିଖ ଜୁନ 20 ରାତି 11ଟା 45 ଧାର୍ଯ୍ୟ କରାଯାଇଛି । ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ପ୍ରଥମ ଦିନରେ ରାତି 11ଟା ସୁଦ୍ଧା 48 ହଜାର 100 ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେ‌ଳ 31 ହଜାର 3 ଜଣ ଆବେଦନ କରିଛନ୍ତି । 30 ହଜାର 639 ଜଣ ପିଲା ଅନଲାଇନରେ ଦେୟ ପୈଠ କରିଛନ୍ତି । ଚଳିତ ଥର ଯୁକ୍ତ ଦୁଇ ଆସନ ବୃଦ୍ଧି କରାଯାଇଛି । 106 ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି ।

ରାଜ୍ୟର ମୋଟ 2,111 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 5 ଲକ୍ଷ 16 ହଜାର 618 ଆସନ ରହିଛି । ଏଥିମଧ୍ୟରେ କଳାରେ 2 ଲକ୍ଷ 89 ହଜାର 698, ବିଜ୍ଞାନରେ 1 ଲକ୍ଷ 59 ହଜାର 412, ବାଣିଜ୍ୟରେ 44 ହଜାର 388, ସଂସ୍କୃତରେ 13 ହଜାର 108 ଏବଂ ଧନ୍ଦାମୂଳକ ଶିକ୍ଷାରେ 10 ହଜାର 12 ଜଣ ଆସନରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହୋଇଛି । କଟ୍‌ଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍‌ 28 ତାରିଖ ସକାଳ 11ଟା 45ରେ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ 29ରୁ ଜୁଲାଇ 5 ତାରିଖ ସନ୍ଧ୍ୟା 6ଟା ସୁଦ୍ଧା ନାମ ଲେଖାଇବେ । ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ 13 ତାରିଖ ଅପରାହ୍ଣ 3ଟାରେ ପ୍ରକାଶ ପାଇବ ।

୨ୟ ପର୍ଯ୍ୟାୟ ନାମଲେଖା ଜୁଲାଇ 14ରୁ 17 ତାରିଖ ପର୍ଯ୍ୟନ୍ତ 3 ଦିନ ଚାଲିବ । ଦୁଇଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ଆସନ ଖାଲି ପଡ଼େ ତାହାହେଲେ ସ୍ପଟ୍ ନାମଲେଖା ଲାଗି ତାଲିକା ଜୁଲାଇ 26 ତାରିଖ ପୂର୍ବାହ୍ନ 11 ଟାରେ ପ୍ରକାଶ ପାଇବ । ଜୁଲାଇ 29 ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସ୍ଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି । ଚଳିତ ବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.