ETV Bharat / state

ସମସ୍ତଙ୍କ ପାଇଁ BSKY, ସାମିଲ ହେଲେ ୫ ରୁ ୧୮ ବର୍ଷ ବୟସର ପିଲା

author img

By ETV Bharat Odisha Team

Published : Aug 30, 2023, 8:01 AM IST

BSKYରେ ସ୍ବାସ୍ଥ୍ୟ ସେବା
ଏଣିକି ପିଲାଙ୍କୁ ମିଳିବ BSKYରେ ମାଗଣା ସ୍ବାସ୍ଥ୍ୟ ସେବା

ବିଏସକେୱାଇ କାର୍ଡଧାରୀ ପରିବାର ପିଲାଙ୍କ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଉକ୍ତ ପରିବାରର ପିଲାଙ୍କୁ ମଧ୍ୟ ଏହି କାର୍ଡରେ ଚିକିତ୍ସା ସୁବିଧା ମିଳିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ମିଳିବ BSKYରେ ମାଗଣା ସ୍ବାସ୍ଥ୍ୟ ସେବା । ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ସେମାନଙ୍କର ଛୋଟ ପିଲାମାନଙ୍କୁ ମାଗଣା ଚିକିତ୍ସା ମିଳିପାରିବ । ବିଏସକେୱାଇ ଅନ୍ତର୍ଭୁକ୍ତ ଡାକ୍ତରଖାନା ଗୁଡିକରେ ମାଗଣା ଚିକିତ୍ସା କରାଯାଇପରିବ । ଏନେଇ ସମସ୍ତ BSKYରେ ତାଲିକାଭୁକ୍ତ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏଣିକି ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ୫ ବର୍ଷରୁ ୧୮ ବର୍ଷ ବୟସର ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିପାରିବ । ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ସେମାନଙ୍କ ଛୋଟ ପିଲାଙ୍କୁ ମାଗଣା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଥିବା ହସ୍ପିଟାଲରେ ଉଚିତ ମୂଲ୍ୟର ଚିକିତ୍ସା ମିଳିପାରିବ । ଯେଉଁମାନଙ୍କ ନାଁ ଏନଏଫଏସଏ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ତେବେ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜର ପିଲାମାନଙ୍କ ନାମ ସାମିଲ କରିପାରିବେ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ବିଏସକେୱାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ହସ୍ପିଟାଲରେ ଅନେକ ସମସ୍ୟା ଦେଖାଯିବା ସହ ଅନେକ ଅଭିଯୋଗ ଜଣାଇବାକୁ ପାଇଥିଲା ସ୍ବାସ୍ଥ୍ୟ ବିଭାଗ । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳିପାରୁନଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ଅଭିବାକଙ୍କ ନାମ ରହିଛି, ତେବେ ତାଙ୍କ ଛୋଟ ପିଲାଙ୍କୁ BSKY ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍‌ଏଫ୍‌ଏସ୍‌ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନଙ୍କୁ BSKYରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ସମସ୍ତ ବିଏସକେୱାଇ ତାଲିକାଭୁକ୍ତ ହସ୍ପିଟାଲକୁ ଚିଠି କରିଛନ୍ତି ।

ଏହା ବି ପଢନ୍ତୁ...ସୁସ୍ଥ ଲୋକଙ୍କୁ ଅସୁସ୍ଥ କରାଇ BSKY କାର୍ଡରୁ ହରିଲୁଟ, ୫ଜଣଙ୍କୁ ଗିରଫ କଲା ପୋଲିସ

ଚିଠିରେ ଉଲ୍ଲେଖ ରହିଛି ଯେ, ଅନେକ ରାସନକାର୍ଡଧାରୀ ବ୍ୟକ୍ତିଙ୍କର ନାମ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲେ ସୁଦ୍ଧା ସେମାନଙ୍କ ପିଲାମାନଙ୍କ ନାମ ସାମିଲ ହୋଇପାରି ନାହିଁ । ଏନ୍‌ଏଫ୍‌ଏସ୍‌ଏ/ଏସ୍‌ଏଫ୍‌ଏସ୍‌ଏସ୍‌ ଡାଟାବେସ୍‌ରେ ନାମ ଯୋଡ଼ିବା ପାଇଁ ଉର୍ଦ୍ଧିଷ୍ଟ ଅନ୍‌ଲାଇନ୍‌ ଫର୍ମରେ ଖାଲି ସ୍ଥାନର ଅଭାବ ଯୋଗୁଁ ଅନେକ ହିତାଧିକାରୀଙ୍କ ପିଲାମାନଙ୍କ ନାମ ସାମିଲ କରାଯାଇ ପାରୁନାହିଁ । ଫଳରେ ସେମାନଙ୍କୁ ବିଏସ୍‌କେୱାଇ ତାଲିକାଭୁକ୍ତ ଡାକ୍ତରଖାନା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସମ୍ଭବ ହେଉ ନାହିଁ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 5 ବର୍ଷରୁ 18 ବୟସର ପିଲାଙ୍କୁ ଏହି ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ ।

ପ୍ରକାଶ ଥାଉ କି, 2018 ମସିହାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ପୁରୁଷ ଓ ମହିଳାଙ୍କ ପାଇଁ ବାର୍ଷିକ ଯଥାକ୍ରମେ 5 ଲକ୍ଷ ଓ 10 ଲକ୍ଷ ଟଙ୍କା ଯାଏ ସୁବିଧା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.