ETV Bharat / state

ଦଳ ସଜାଡିବାର ସମୟ: ଏକାଠି ହୋଇ ଲଢିପାରିବ ତ ପ୍ରଦେଶ କଂଗ୍ରେସ ?

author img

By

Published : May 15, 2023, 7:56 PM IST

କର୍ଣ୍ଣାଟକ ବିଧାନସଭାରେ ୧୩୫ ଆସନରେ ବିଜୟ ଲାଭ କରି ଇତିହାସ ସୃଷ୍ଟି କରିଛି କଂଗ୍ରେସ । ଓଡ଼ିଶାରେ କିନ୍ତୁ ସତ୍ତା ହରାଉଛି ଦଳ । ତେବେ ଓଡ଼ିଶା କଂଗ୍ରେସରେ ନେତାମାନେ ଏକାଠି ହେଲେ ହିଁ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ସେପଟେ କର୍ଣ୍ଣାଟକ ମଡେଲ ଆପଣାଇ ସମସ୍ତେ ଏକ ହୋଇ ଲଢ଼ିବୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କର୍ଣ୍ଣାଟକ ବିଜୟରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ !
କର୍ଣ୍ଣାଟକ ବିଜୟରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ !

କର୍ଣ୍ଣାଟକ ବିଜୟରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ !

ଭୁବନେଶ୍ବର: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ୧୩୫ ଆସନରେ କଂଗ୍ରେସ ବିଜୟ ଲାଭ କରି ନୂଆ ଇତିହାସ ସୃଷ୍ଟି କରିଛି । ଶାସନରେ ଥିବା ବିଜେପିକୁ ମାତ୍ର ୬୬ ଆସନ ସହିତ ଲାଗିଛି ଶକ୍ତ ଧକ୍କା । ଏବେ କର୍ଣ୍ଣାଟକର ବିଜୟର ଶ୍ରେୟ ଯାଉଛି ଦଳର ଶୀର୍ଷ ନେତୃତ୍ବ ସମେତ ଦୁଇ ନେତା ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ । କୁହାଯାଉଛି ଦୁଇ ନେତାଙ୍କ ମଧ୍ୟରେ ଯେତେ ମତ ପାର୍ଥକ୍ୟ ଥିଲେ ମଧ୍ୟ ଜନତାଙ୍କ ଆଗରେ ଦୁହେଁ ଏକ ହୋଇ ଲଢିଥିଲେ । ଯାହା କର୍ଣ୍ଣାଟକରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିଲା । ତେବେ ବଡ଼ ପ୍ରଶ୍ନ ହେଉଛି, କଣ ଓଡିଶାରେ ପଡିବ କର୍ଣ୍ଣାଟକ ପ୍ରଭାବ ? କଣ ଏକାଠି ହୋଇ ଲଢିପାରିବ ରାଜ୍ୟ କଂଗ୍ରେସ ? ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ କଣ ଶିକ୍ଷା ଲାଭ କରିବ ଓଡ଼ିଶା କଂଗ୍ରେସ, ଏବେ ଏହି ପ୍ରଶ୍ନ ଉଠିଛି ।

'ଓଡ଼ିଶା କଂଗ୍ରେସର ସିଦ୍ଧରମୈୟା ଓ ଶିବକୁମାର ଏକାଠି ହେବା ଦରକାର': ଏନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ରାଜ୍ୟ କଂଗ୍ରେସର ନେତୃବୃନ୍ଦଙ୍କ ମଧ୍ୟରେ ଏକତା ନାହିଁ । ଗୋଟିଏ ପଟେ ଶରତ ପଟ୍ଟନାୟକ ୨୦୦୪ ମସିହା ପରି ୨୦୨୩ରେ ଦଳକୁ ସଶକ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟଗୋଟେ ଶକ୍ତିଶାଳୀ ଗୋଷ୍ଠୀ ତାଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଯାହାକି ରାଜ୍ୟରେ କଂଗ୍ରେସ ପାଇଁ କାଳ ହୋଇଛି । କର୍ଣ୍ଣାଟକରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଭଳି ଓଡିଶା କଂଗ୍ରେସ ନେତାଙ୍କୁ ଯଦି ରାହୁଲ ଗାନ୍ଧୀ ଏକାଠି କରିପାରିବେ, ତେବେ କଂଗ୍ରେସର ଭବିଷ୍ୟତ ଅଛି ।" ପ୍ରକାଶ ଥାଉ କି, ଏକ ସଭାରେ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିଥିଲେ । କହିଥିଲେ ଆମର ୯ ଜଣ ବିଧାୟକରେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ୧୪୭ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବ କି ନାହିଁ ସନ୍ଦେହ । ଏପରି କିଛି ମନ୍ତବ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପୁଣି ପଦାରେ ପକାଇଛି । ଯାହାକି କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

କର୍ଣ୍ଣାଟକ ମଡେଲ ଆପଣାଇବ ଓଡ଼ିଶା କଂଗ୍ରେସ: ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କର୍ଣ୍ଣାଟକରେ କଂଗ୍ରେସର ବିଜୟର ପ୍ରଭାବ ଓଡିଶା ଉପରେ ପଡିବ । କର୍ଣ୍ଣାଟକ ମଡେଲକୁ ଆମେ ଆପଣେଇବୁ । ବୁଥସ୍ତରରୁ ନେତା ଓ କର୍ମୀଙ୍କୁ ସଶକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ଭିତରେ ଯାହା ଅସଜଡା ହୋଇ ରହିଛି ତାକୁ ସଜାଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୯ରୁ ୯୦ ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଦଳ ସମସ୍ତ ଶକ୍ତି ଲଗାଇବ । ୨୦୨୪ରେ ମିଶନ ୯୦ ପାର କରିବ ଦଳ । ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ।" ସେପଟେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "କର୍ଣ୍ଣାଟକରେ କଂଗ୍ରେସର ଅଦ୍ଭୁତପୂର୍ବ ବିଜୟ ପାଇଛି । ଏହା ଗଣତନ୍ତ୍ରର ବିଜୟ ହୋଇଛି । ସମ୍ବିଧାନର ସୁରକ୍ଷା ପ୍ରତି ଦେଶବାସୀଙ୍କ ଆବେଗର ପ୍ରତିଫଳନ ହୋଇଛି କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ । ଅନ୍ୟପଟେ କିନ୍ତୁ ଝାରସୁଗୁଡା ଉପନିର୍ବାଚନର ଫଳାପଳ ଆମକୁ ମର୍ମାହତ କରିଛି । ଓଡିଶାରେ କଂଗ୍ରେସର ସ୍ଥିତି ବିଷୟରେ ସନ୍ଦେଶ ଦେଇଛି । ଏବେ ଘରକୁ ସଜାଡିବାକୁ ପଡିବ । ବାରମ୍ବାର ଉପନିର୍ବାଚନରେ ପରାଜୟ ଆଗକୁ ଦଳର ସ୍ଥିତି ବଜାୟ ରହିବ କି ନାହିଁ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ଗଭୀର ଭାବେ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ଓଡିଶାର ରାଜନୈତିକ ସ୍ଥିତିକୁ ବୁଝି କାର୍ଯ୍ୟାନୁଷ୍ଠାନ ନେବାର ଅଛି । କଂଗ୍ରେସ ଲୋକଙ୍କ ପାଇଁ କଣ କରିଥିଲା ଏବଂ କଣ କରିବ ସେନେଇ ଏକ ନ୍ୟାରେଟିଭ ନେଇ ଲୋକଙ୍କ ପାଖକୁ ଯିବାକୁ ପଡିବ ।"

ଓଡିଶାରେ ଏକାଠି ହୋଇ ଲଢିପାରିବ ତ କଂଗ୍ରେସ ? ତେବେ କ୍ରମାଗତ ଭାବେ ଉପନିର୍ବାଚନ ଗୁଡ଼ିକରେ ଶୋଚନୀୟ ପରାଜୟ କଂଗ୍ରେସର ଅସ୍ତିତ୍ବକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସର ବିଜୟ କିଛିଟା ନୂଆ ଆଶା ସଞ୍ଚାର କରିଛି । କଂଗ୍ରେସ ଦଳ ଉତ୍ସାହିତ ହୋଇଛି ସତ, କିନ୍ତୁ ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାକୁ ଏକାଠି କରିବାରେ ଦଳ କେତେ ଦୂର ସକ୍ଷମ ହେବ, ସେନେଇ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା । କର୍ଣ୍ଣାଟକରେ ଦଳ ଯେମିତି ଏକାଠି ହୋଇ ଲଢିଲା, ଓଡ଼ିଶାରେ କଣ ଏକାଠି ହୋଇ ଲଢିପାରିବ ? ପିସିସି ସଭାପତି କହୁଛନ୍ତି ଝାରସୁଗୁଡାରେ ପରାଜୟ ପରେ ଏବେ ସମୀକ୍ଷା ଚାଲିଛି । ଭୁଲ୍‌ ଖୋଜା ଚାଲିଛି । ଖୁବଶୀଘ୍ର ଦଳକୁ ଠିକ୍‌ ରାସ୍ତାକୁ ଅଣାଯିବ । ତେବେ ଅପେକ୍ଷା କରିବାର କଥା, ଆଗାମୀ ଦିନରେ କଂଗ୍ରେସ ତାର ରଣନୀତିରେ କଣ ପରିବର୍ତ୍ତନ ଆଣୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.