ETV Bharat / state

Odisha Assembly Winter Session : ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା

author img

By

Published : Nov 25, 2022, 5:07 PM IST

Winter Session of Odisha Assembly: ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା
Winter Session of Odisha Assembly: ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା

ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା । ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ ୩ ରାଜନୈତିକ ଦଳର ବିକ୍ଷୋଭ । ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି । ସେପଟେ ସର୍ବଦଳୀୟ ବୈଠକ ପାଇଁ ଦାବି କରିଛି କଂଗ୍ରେସ । ସମାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ । ଗୃହ ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିକ୍ଷୋଭ କରିଛନ୍ତି ୩ ରାଜନୈତିକ ଦଳ । ଚାଷୀ ପ୍ରସଙ୍ଗରେ ବାଚସ୍ପତିଙ୍କ ମୋସନ ଦାବି କରିଛି ବିଜେପି । ସେପଟେ ଓଡିଶାର ଚାଷୀଙ୍କ ପ୍ରତି ଅବହେଳା ଅଭିଯୋଗ କରି ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଥିବା କହି ବିଜେଡି ଓ ବିଜେପିକୁ ଘେରିଛି କଂଗ୍ରେସ ।

Winter Session of Odisha Assembly: ଚାଷୀ ପ୍ରସଙ୍ଗରେ ସରଗରମ ବିଧାନସଭା

ଚାଷୀ ପ୍ରସଙ୍ଗରେ ଅଚଳ ହେଲା ଗୃହ

ଜାରି ରହିଛି ବିଧାନସଭା ଶୀତକାଳିନ ଅଧିବେଶନ । ଆଜି ଚାଷୀ ପ୍ରସଙ୍ଗକୁ ନେଇ ଧୋଇଗଲା ବିଧାନସଭାର ଶୂନ୍ୟକାଳ । ଶୂନ୍ୟକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ ୩ ରାଜନୈତିକ ଦଳ । ଓଡିଶା ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ କରି ବିକ୍ଷୋଭ କରିଥିଲା ବିଜେଡି । ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିବା ପରେ ପୋଷ୍ଟର ଓ ବ୍ୟାନର ଧରି ଶାସକ ଦଳର ବିଧାୟକ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ପ୍ରଶ୍ନ କାଳରେ । ବାଧ୍ୟ ହୋଇ ପୁଣିଥରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

ବିଧାନ ସଭା ବାହେରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପଦଯାତ୍ରା କରି ରାଜଭବନ ଯାଇଥିଲେ ବିଜେଡିର ବିଧାୟକମାନେ । ରାଜ୍ୟପାଳଙ୍କୁ ଭେଟି ଚାଷୀ ପ୍ରସଙ୍ଗରେ ଦାବିପତ୍ର ଦେଇଛି ବିଜେଡି । ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି କରିଛି । ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଓଡିଶାର ଚାଷୀଙ୍କୁ ଦେଉନି କେନ୍ଦ୍ର । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ବ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି । ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ ।" ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି, ନିୟମିତ ଯୋଗାଯୋଗ ଏବଂ ଚାଷୀଙ୍କ କ୍ରୋଧକୁ ଦେଖି କେନ୍ଦ୍ର ସରକାର ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ବୋଲି ବିଜେଡି ଅଭିଯୋଗ କରିଛି ।

'ସର୍ବଦଳୀୟ ବୈଠକ ଡକାଯାଉ'

ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବିଭିନ୍ନ ଦଳ ମଧ୍ୟରେ ଚାଷୀଙ୍କ ପାଇଁ ହଟ୍ଟଗୋଳ ହୋଇଥିଲା । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ବିଧାନସଭାରେ ଆଜି ଇତିହାସ ସୃଷ୍ଟି ହୋଇଛି । ଚାଷୀଙ୍କୁ ନେଇ ସମସ୍ତଙ୍କର ହୃଦୟ କାନ୍ଦୁଛି । ପରସ୍ପରକୁ ସମସ୍ତେ ଗାଳି ନଦେଇ ସର୍ବଦଳୀୟ ବୈଠକ ଡକାଯାଉ । ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ ନରହି ସବୁ ଦଳକୁ ଡାକି ଆଲୋଚନା କରନ୍ତୁ । ଚାଷୀଙ୍କ ବିକାଶ ନେଇ ଆଇନ ତିଆରି କରାଯାଉ । ଏଥିରେ ଆଇନ ଅମାନ୍ୟ କଲେ ସଶ୍ରମ କାରାଦଣ୍ଡ ଓ ଫାଇନ ବ୍ୟବସ୍ଥା କରାଯାଉ । ଦରକାର ପଡିଲେ ଅଇନ ବିଭାଗକୁ ଡାକି ବୈଠକରେ ସାମିଲ କରାଯିବ ।" ଯିଏ ଆଇନ ନମାନିବ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଜଣାପଡିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ବିଜେଡିର ଆନ୍ଦୋଳନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଚାଷୀ ପ୍ରିମିୟମ ଭରିଲେ ମଧ୍ୟ ବୀମା ରାଶି ମିଳୁନାହିଁ । ରାଜ୍ୟରେ ମଣ୍ଡି ଖୋଲିନାହିଁ । ଫଳରେ ଚାଷୀ କମ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଟ୍ରେଜେରି ବେଞ୍ଚ ଗୃହ ମଧ୍ୟକୁ ଆସି ବିକ୍ଷୋଭ କରିବା ଦୁର୍ଭାଗ୍ୟଜନକ ।" ଅର୍ଚ୍ଚନା ମାମଲାକୁ ଡାଇଭର୍ଟ କରିବାକୁ ବିଜେଡି ଆଜି ନାଟକ କରୁଛି ବୋଲି କହିଛନ୍ତି ମୋହନ ମାଝୀ ।

ଚାଷୀ ପ୍ରସଙ୍ଗକୁ ନେଇ ଗୃହ ଭିତର ଓ ବାହାର ଗରମ ରହିଥିବା ବେଳେ ଶାସକ ଓ ବିରୋଧି ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛନ୍ତି । ଶାସକ ଦଳ ବିରୋଧିଙ୍କୁ ଘେରିଥିବା ବେଳେ ବିରୋଧି ମଧ୍ୟ ଶାସକ ଦଳକୁ ଘେରିବା ଆରମ୍ଭ କରିଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.