ETV Bharat / state

ଲଘୁଚାପ ବର୍ଷା ନେଇ ଚିନ୍ତାରେ ଚାଷୀ; ଫସଲ ସୁରକ୍ଷା ପାଇଁ କୃଷି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By ETV Bharat Odisha Team

Published : Nov 15, 2023, 10:18 AM IST

agriculture department meeting
agriculture department meeting

ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଫସଲର ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜିଠୁ ରାଜ୍ୟରେ ବର୍ଷା ହେବ । ଅନ୍ୟପଟେ ଅମଳ ସମୟ ହୋଇଥିବାରୁ ଲଘୁଚାପକୁ ନେଇ ଚିନ୍ତାରେ ଚାଷୀ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଉଛି କୃଷି ବିଭାଗ ତଥା ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା ଫଳରେ ଓଡ଼ିଶାରେ ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଜିଠାରୁ ବର୍ଷା ହେବ । ଅନ୍ୟାନ୍ୟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଏହି ପରିପ୍ରେକ୍ଷୀରେ ଫସଲର ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ଫସଲର ଅବସ୍ଥା ଏବଂ ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏଥିସହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି ।

ବର୍ତ୍ତମାନ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୁଖ୍ୟ ଫସଲ ଧାନ ପାକଳ ହେବାକୁ ଥିବାବେଳେ ଢିପ ଜମିରେ ଧାନ କଟା ମଧ୍ୟ ଚାଲିଛି । ଏହାବ୍ୟତୀତ ମୁଗ, ବିରି, ଚିନାବାଦାମ ଆଦି ଫସଲ ପାକଳ ଅବସ୍ଥାରେ ରହିଛି । ଆଳୁ ଫସଲ ଅନେକ ସ୍ଥାନରେ ଲଗା ଚାଲିଛି । କୋବି ଓ ବିଭିନ୍ନ ପନିପରିବା ତଳି ରୋପଣ ଓ ଅମଳ ମଧ୍ୟ ଚାଲିଛି । ସେହିଭଳି ଆଭ୍ୟନ୍ତରୀଣ ଜିଲ୍ଲା ଗଞ୍ଜାମ, ରାୟଗଡ଼ା, କୋରାପୁଟରେ କପା ଫସଲ ଅମଳ ଅବସ୍ଥାରେ ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ତରଫରୁ ଏକ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Weather Update: ସୃଷ୍ଟି ହେଲା ଲଘୁଚାପ, 3 ଦିନ ପ୍ରବଳ ବର୍ଷିବ !

ଅଧିକ ସୂଚନା ପାଇଁ ଚାଷୀମାନଙ୍କୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମ କୃଷି ଦେୟମୁକ୍ତ ନମ୍ବର-୧୫୫୩୩୩ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ ପ୍ରସନ୍ନଜିତ ମିଶ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଉମାଶଙ୍କର ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.