ETV Bharat / state

ରାଜ୍ୟରେ ହାତୀଙ୍କୁ ଅଣଦେଖା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

author img

By

Published : Nov 13, 2022, 4:15 PM IST

ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ
ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ହାତୀ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ନ୍ୟାୟ ପାଇଁ ଲଢେଇ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ସଙ୍କଟରେ ଗଜରାଜ, ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁସଂଖ୍ୟା । କେତେବେଳେ ବିଦ୍ୟୁତ ତାର ଲାଗି ହାତୀର ଜୀବନ ଗଲାଣି ତ ଆଉ କେତେବେଳେ ଜଙ୍ଗଲରେ ଶିକାରୀଙ୍କ ଫାଶରେ ପଡି ମୃତ୍ୟୁ ଘଟୁଛି । ଏପଟେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରକାରର ଯୋଜନା କରିଥିଲେ ମଧ୍ୟ ତାହା ଯେମିତି ନାମକୁ ମାତ୍ର ହୋଇଥିବା ଭଳି ମନେ ହେଉଛି । ଏବେ ଆଶଙ୍କା ଦେଖାଗଲାଣି ସମ୍ଭବତଃ ବାଘ ଭଳି ଓଡ଼ିଶାରେ ହାତୀ ବଂଶ ମଧ୍ୟ କେଇ ବର୍ଷ ମଧ୍ୟରେ ଲୋପ ପାଇଯିବ। ଗତ କିଛି ଦିନ ପୂର୍ବେ ହାତୀ ମୃତ୍ୟୁ ଘଟଣାରେ ନିଜେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ତନାଘନା ମଧ୍ୟ କରୁଛନ୍ତି ।

ରାଜ୍ୟରେ ହାତୀଙ୍କୁ ଅଣଦେଖା
ରାଜ୍ୟରେ ହାତୀଙ୍କୁ ଅଣଦେଖା

ରାଜ୍ୟ ସରକାରଙ୍କଠାରୁ ବାରମ୍ବାର ସତ୍ୟପାଠ ମାଗୁଛନ୍ତି । ହେଲେ ଜଙ୍ଗଲ ବିଭାଗ ପୁରା ବେଫିକର ହୋଇପଡ଼ିଛି । ଯେଉଁଭଳି ଭାବରେ ସରକାରୀ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହା ଏ ପର୍ଯ୍ୟନ୍ତ ପରିଲକ୍ଷିତ ହେଉନାହିଁ । ତେବେ ହାତୀମୃତ୍ୟୁକୁ ନେଇ ନ୍ୟାୟ ପାଇଁ ଲଢେଇ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର ଆୟୋଗ(National Human Rights Commission)ଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ହାତୀଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ରାଜ୍ୟ ସରକାର ବନ ବିଭାଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ହାତୀମାନଙ୍କ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ସୁବ୍ରତ କୁମାର ଦାସ ।

ତେବେ ରାଜ୍ୟରେ କ୍ରମଶଃ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ଏବେ ବନ ବିଭାଗ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠି ଉଠିଛି । ତେବେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? ଡିଏଫ୍‌ଓମାନେ କାହା ସୁରକ୍ଷା ପାଇଁ ଅଛନ୍ତି ? ଯଦି ଜଙ୍ଗଲରେ ପଶୁ ଅସୁରକ୍ଷିତ ହୋଇପଡ଼ିବେ, ତେବେ ବନ ବିଭାଗ ଓ ବିଭାଗର ଅଧିକାରୀମାନଙ୍କର କି ଆବଶ୍ୟକତା ରହିଛି ? ଯଦି ଡିଏଫଓ ମାନେ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରୁଥାନ୍ତେ, ତେବେ ଶିକାରୀ ଏଭଳି ଭାବରେ ହାତୀକୁ ମୃତ୍ୟୁ ଫାଶରେ ପକାଇପାରନ୍ତେ ନାହିଁ। କିନ୍ତୁ ବନ ବିଭାଗର ଅଧିକାରୀମାନେ ଶିକାରୀଙ୍କୁ ଧରିପାରୁନାହାନ୍ତି କି ହାତୀ ମୃତ୍ୟୁ ପରେ ମଧ୍ୟ ଜାଣିପାରୁନାହାନ୍ତି। ଯାହା ଫଳରେ ହାତୀଟି ଅନେକ ଦିନ ଧରି ମରି ପଡୁଛି। ତେବେ ଆଉ କେତେ ହାତୀଙ୍କ ମୃତ୍ୟୁ ହେଲେ ବନ ବିଭାଗ ଚେତିବ ଓ ବନ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିକଟରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଙ୍ଗଲର କୁଳିଆପାଳ ନିକଟରୁ ମାଆ ଓ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମାଆ ହାତୀ ପେଟରୁ ଏକ ତୀର ବାହାରିଛି । ତୀର ମାରି ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । କିଛିଦିନ ହେବ ଚମ୍ପୁଆ ରେଞ୍ଜ୍‌ରେ ଗୋଟିଏ ହାତୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ତେଲକୋଇ ରେଞ୍ଜରେ ପୁଣି ଦୁଇଟି ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଯେଉଁ ହାରରେ ରାଜ୍ୟର କୋଣ ଅନୁକୋଣରେ ଗୋଟିଏ ପରେ ଗୋଟିଏ ହାତୀକୁ ହତ୍ୟା କରାଯାଉଛି, ତାହାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଶଙ୍କା ଦେଖାଗଲାଣି ସମ୍ଭବତଃ ବାଘ ଭଳି ଓଡ଼ିଶାରେ ହାତୀ ବଂଶ ମଧ୍ୟ କେଇ ବର୍ଷ ମଧ୍ୟରେ ଲୋପ ପାଇଯିବ ।

ଏହା ମଧ୍ୟ ପଢନ୍ତୁ-ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

ଅନ୍ୟପଟେ ମଧ୍ୟ କିଛି ଦିନ ତଳେ ଏକ ହାତୀ ଭୁବନେଶ୍ଵର ମଧ୍ୟରେ ରାତି ତମାମ ଘୁରି ବୁଲିଥିଲା । ତେବେ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ନାକେଦମ ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ହାତୀକୁ କାବୁ କରାଯାଇ ଜଙ୍ଗଲରେ ଛଡା ଯାଇଥିଲା । ହାତୀଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ବାରମ୍ବାର ହାତୀ କରିଡର କଥା କହୁଛନ୍ତି । ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଅନ୍ୟପଟେ ନ୍ୟାୟ ପାଇଁ ଲଢେଇ ସଂଗଠନ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହାତୀ ମୃତ୍ୟୁ ମାମଲାର ଏକ ଅଭିଯୋଗ ଦାଖଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ୨ଟି ହାତୀଙ୍କ ବିଷାକ୍ତ ଧନୁତୀରରେ ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟିଛି । ଏଭଳି ଭାବରେ ହାତୀଙ୍କୁ ହତ୍ୟା କରାଗଲେ ବା ମୃତ୍ୟୁ ହେଲେ ଆଗାମୀ ଦିନରେ ହାତୀ ଵଂଶ ଲୋପ ପାଇବାର ସମ୍ଭାବନା ରହିଛି । ତେବେ ଏନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ହାତୀମାନଙ୍କୁ ବାରମ୍ବାର ଅଣଦେଖା କରୁଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପ୍ରତି କାର୍ଯ୍ୟାନୁଷ୍ଠାନ ଏବଂ ହାତୀମାନଙ୍କ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ସୁବ୍ରତ କୁମାର ଦାସ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.