ETV Bharat / state

ହନିଟ୍ରାପ ମାମଲା: ଶ୍ରଦ୍ଧାଞ୍ଜଳି ନାଁରେ ଜାରି ହେଲା NBW, ଜୁନ ୩ରେ ପରବର୍ତ୍ତୀ ଶୁଣାଣି

author img

By

Published : May 20, 2023, 10:23 PM IST

Updated : May 21, 2023, 6:37 AM IST

ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରଓ୍ବାନା । ED ମାମଲାରେ ବାରମ୍ବାର କୋର୍ଟରେ ହାଜର ନହେବାରୁ NBW ଜାରି

nbw issues against shradhanjali behera
ଶ୍ରଦ୍ଧାଞ୍ଜଳି ନାଁରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି

ଶ୍ରଦ୍ଧାଞ୍ଜଳି ନାଁରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି

ଭୁବନେଶ୍ବର: ସରିଲା ଶ୍ରଦ୍ଧାଞ୍ଜଳିଙ୍କ ଲୁଚକାଳି ଖେଳ । ଏଥର ଶ୍ରଦ୍ଧାଞ୍ଜଳିଙ୍କୁ ଯେଉଁଠି ପାଇବ ଗିରଫ କରିବ ପୋଲିସ । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରଓ୍ବାନା ବା NBW । ସିବିଆଇ କୋର୍ଟରେ ବାରମ୍ବାର ହାଜର‌ ପାଇଁ ନୋଟିସ ସତ୍ତ୍ବେ ଶ୍ରଦ୍ଧାଞ୍ଜଳି ହାଜର ହେଉନଥିଲେ । ବିଭିନ୍ନ ଆଳ ଦେଖାଇ ସ୍ବାସ୍ଥ୍ୟ ଖରାପ ଦର୍ଶାଇ ଓକିଲଙ୍କ ଜରିଆରେ ସମୟ ଗଡ଼ାଇ ଚାଲିଥିଲେ । ୨୦ ତାରିଖ ଶେଷ ସମୟ ଅବଧି ଥିଲା । କୋର୍ଟରେ ହାଜର ନ ହେବାରୁ ଶେଷରେ NBW ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଶ୍ରଦ୍ଧାଞ୍ଜଳି ତାଙ୍କ କୋର୍ଟ କପିରେ ବାଙ୍କି ସ୍ଥିତ ଠିକଣା ରହିଥିବାରୁ ବାଙ୍କି ଥାନାକୁ NBWର ଓ୍ବାରେଣ୍ଟ ଯାଇପାରେ । କୌଣସି ମୂହୁର୍ତ୍ତରେ ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ପୋଲିସ ଗିରଫ କରିପାରେ । ତେବେ କୋର୍ଟରେ ତାଙ୍କ ଓକିଲ ହାଜର‌ ହୋଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବାରୁ ତାଙ୍କୁ ହାଜର ପାଇଁ ସମୟ ମାଗିଥିଲେ। କିନ୍ତୁ ସେ ହାଜର ହୋଇନଥିଲେ । NBW ପାଇଁ ନିର୍ଦ୍ଦେଶ ପରେ ତାଙ୍କ ଓକିଲ ଅବୋକ ଦାସ କହିଛନ୍ତି, "ଏହି ମାମଲାକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ । କୋର୍ଟରେ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା ହୋଇଥିବାରୁ ଆସନ୍ତା ଜୁନ ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।"

ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହନିଟ୍ରାପ କରି ୧କୋଟି ବ୍ଲାକମେଲ କରିଥିବା ନେଇ ଅର୍ଚ୍ଚନା ନାଁରେ ଆସିଥିଲା ଅଭିଯୋଗ । ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ନାଁ ପାଲଟା ଅଭିଯୋଗ ଆଣିଥିଲେ । ତାଙ୍କୁ ଜୋର ଜବରଦସ୍ତ ନିୟୋଜିତ କରି ଅର୍ଚ୍ଚନା ଏଭଳି କାରବାର‌‌ କରୁଥିବା ଅଭିଯୋଗ ଆଣିଥିଲେ ।ପରେ ଅର୍ଚ୍ଚନା,ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣା ଇଡି ସ୍କାନରକୁ ଆସିବା ପରେ ମନିଲଣ୍ଡରିଂ ମାମଲାରେ ଇଡି ଅର୍ଚ୍ଚନା, ଜଗବନ୍ଧୁ ସହଯୋଗୀ ଖଗେଶ୍ବର ପାତ୍ର ସମେତ ଶ୍ରଦ୍ଧାଞ୍ଜଳି ନାଁରେ ତଦନ୍ତ କରିଥିଲା । ତେବେ ଏହି ଘଟଣାର ପ୍ରାଥମିକ ଚାର୍ଜସିଟ୍ ଇଡି ସିବିଆଇ କୋର୍ଟରେ‌ ଦାଖଲ ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳିକୁ ଛାଡି ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଗିରଫ ଭୟରେ ଶ୍ରଦ୍ଧାଞ୍ଜଳି ଦୀର୍ଘ ଦିନ‌ଧରି କୋର୍ଟଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଚୁଥିଲେ । ଏବେ କିନ୍ତୁ ତାଙ୍କ ପାଇଁ NBW ଜାରି ଗିରଫଦାରୀ ନେଇ ଆଶଙ୍କା ବଢିଛି ।



ଇଟିିଭି ଭାରତ, ଭୁବନେଶ୍ବର

Last Updated :May 21, 2023, 6:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.