ETV Bharat / state

National Voters Day: ରବୀନ୍ଦ୍ର ମଣ୍ଡପରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

author img

By

Published : Jan 25, 2023, 10:33 PM IST

National Voters Day
National Voters Day

ରବୀନ୍ଦ୍ର ମଣ୍ଡପଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁନାଗରିକ ଭାବେ କର୍ତ୍ତବ୍ୟ ତୁଲାଇବା ପାଇଁ ଶପଥ ପାଠ କରାଇଲେ ରାଜ୍ୟପାଳ । ଅଧିକ ପଢନ୍ତୁ

National Voters Day

ଭୁବନେଶ୍ବର: ଆଜି ଜାତୀୟ ମତଦାତା ଦିବସ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ବା ଭୋଟର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟପାଳ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଅତିଥିଙ୍କୁ ଭୋଟ ଦେବା ଓ ସୁନାଗରିକ ଭାବେ କର୍ତ୍ତବ୍ୟ ତୁଲାଇବା ପାଇଁ ଶପଥ ପାଠ କରାଇଛନ୍ତି । ଆମେ ଭାରତର ନାଗରିକବୃନ୍ଦ ଗଣତନ୍ତ୍ରଣରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟଦା ବଜାୟ ରଖିବୁ । ମୁକ୍ତ ଅବାଧ ନିର୍ବାଚନର ଗାରିମାକୁ ଅକ୍ଷୂର୍ଣ୍ଣ ରଖି ନିର୍ଭୀକ ହୋଇ ନିଜର ମତଦାନ କରିବୁ। କାହାର ପ୍ରଲୋଭନରେ ନୁହେଁ, ବରଂ ନାଗରିକ ଭାବେ ଆମେ ନିଜର ମତସାବ୍ୟସ୍ତ କରିବୁ ବୋଲି ସଂକଳ୍ପ କରାଇଛନ୍ତି ରାଜ୍ୟପାଳ ।

ଏହାସହିତ ଗଣେଶୀ ଲାଲ୍ ସମସ୍ତ ନାଗରିକଙ୍କୁ ନିଜର ମତ ସାବ୍ୟସ୍ତ ସହ ପ୍ରକୃତ ବ୍ୟକ୍ତିଙ୍କୁ ଚୟନ ପାଇଁ ଅନୁରୋଧ କରିଛନ୍ତି । ଏହି ଅବସରରେ ନୂଆ ଭୋଟ ପରିଚୟ ପତ୍ରର ଅୟମାରମ୍ଭ ହୋଇଛି । ୧୦ ଜଣ ନୂଆ ନାଗରିକଙ୍କୁ ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହାସହ ଭୋଟ ଦିବସରେ ବିଭିନ୍ନ ଫୋଟୋ ସମ୍ବଳିତ କ୍ୟାଟଲଗକୁ ଉନ୍ମୋଚନ କରାଯାଇଛି । ସେହିପରି 'ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ' ଏହି ବିଷୟ ବସ୍ତୁକୁ ନେଇ ଏକ ଫଟୋ ଚିତ୍ର ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରଦାନ କରିଥିଲେ ରାଜ୍ୟପାଳ ।

ଏହି ଅବସରରେ ଶୃଙ୍ଖଳିତ ମତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବିଡ଼ିଓ, ବିଏଲଓ, ୧୦ ଜଣ ବୁଥସ୍ତରୀୟ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କାର୍ଯ୍ୟକ୍ରମରେ ଯୋଗ ଦେଇ ଭୋଟରଙ୍କ ଅଧିକାର ବିଷୟରେ ସଚେତନ କରାଇଛନ୍ତି । ଆମର ଗୋଟିଏ ମତଦାନ ଦେଶର ଭବିଷ୍ୟତ ବଦଳାଇଥାଏ । ତେଣୁ ପ୍ରତିଟି ଭାରତୀୟକୁ ନିଜର ସମ୍ବିଧାନିକ ଉତ୍ତରଦାୟିତ୍ୱକୁ ତୁଲାଇବାକୁ ପଡିବ ବୋଲି କହିଛନ୍ତି ରାଜ୍ୟପାଳ ।

ପ୍ରକାଶଥାଉ କି, ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ୨୦୧୧ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିବା ବେଳେ ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ, ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷକରି ଯୁବଗର୍ବର ଭୋଟରମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.