ETV Bharat / state

National Handloom Summit: ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

author img

By ETV Bharat Odisha Team

Published : Nov 10, 2023, 6:28 PM IST

ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ
ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଜାନୁଆରୀ 4 ଓ 5 ତାରିଖରେ ପଶ୍ଚିମ ଓଡିଶାର କେନ୍ଦ୍ରବିନ୍ଦୁ ବରଗଡ ଜିଲ୍ଲାରେ ହସ୍ତତନ୍ତ ସମ୍ମିଳନୀ ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହା କହିଛନ୍ତି । ଅଧିକ ପଢନ୍ତୁ

ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ଭୁବନେଶ୍ବର: ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା । ସ୍ଥାନୀୟ ଅର୍ଥନୀତି ତଥା ବଜାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନବବର୍ଷରେ ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଜାନୁଆରୀ 4 ଓ 5 ତାରିଖରେ ପଶ୍ଚିମ ଓଡିଶାର କେନ୍ଦ୍ରବିନ୍ଦୁ ବରଗଡ ଜିଲ୍ଲାରେ ହସ୍ତତନ୍ତ ସମ୍ମିଳନୀ ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହା କହିଛନ୍ତି ।

ଅଧିକ ପଢନ୍ତୁ- ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ, ଜମୁଛି ଗ୍ରାହକଙ୍କ ଭିଡ

ସମ୍ବଲପୁରୀ ଶାଢିର କାରିଗରୀ ବିଶ୍ବବିଦିତ । ପଶ୍ଚିମ ଓଡିଶାରେ ଥିବା ଅନ୍ୟ ହସ୍ତତନ୍ତ ବମକାଇ, ପଶାପାଲି ଓ ସମ୍ବଲପୁରୀ ବାନ୍ଧ, ସୋନପୁରୀ ଶାଢି, ହବସପୁରୀ, ଇକତ, ଆଦି ହସ୍ତତନ୍ତଶିଳ୍ପ ଓ ବୁଣାକାର ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବସ୍ତ୍ରର ଚାହିଦା ରହିଛି । ଆଞ୍ଚଳିକ ସ୍ତରରେ ବୁଣାକାର, ବିକ୍ରେତା, କ୍ରେତା ଆଦିଙ୍କୁ ଏକାଠି କରିବା, ସେମାନଙ୍କୁ ନୂତନ ଜ୍ଞାନ କୌଶଳ ସହ ପରିଚିତ କରାଇବା, ବୁଣାକାରଙ୍କୁ ସଶକ୍ତ କରିବା ପାଇଁ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯିବ ବୋଲି କହିଛନ୍ତି ଅସିତ । ଏନେଇ ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ ଭିସି ଜରିଆରେ ଯୋଗ ଦେଇଛନ୍ତି । ସମ୍ମିଳନୀର ରୂପରେଖ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ- National Handloom Day: ସାରା ବିଶ୍ବରେ ଚମକୁଛି ଓଡ଼ିଶାର ହସ୍ତତନ୍ତ

ପଶ୍ଚିମ ଓଡିଶାରେ ପ୍ରାୟ 84 ହଜାର 5 ଶହ ବୁଣାକାର ଅଛନ୍ତି । ସେମାନଙ୍କୁ ମଧ୍ୟରୁ 38 ହଜାର 5 ଶହ ମହିଳା ବୁଣାକାର । ଏହି ଦୁଇ ଦିନିଆ ସମ୍ମିଳନୀରେ ସ୍ଥାନୀୟ ବୁଣାକାରଙ୍କ ସମେତ ଜାତୀୟସ୍ତରରେ ଖ୍ୟାତାନାମା ଟ୍ରେନର, ମାଷ୍ଟର, ହସ୍ତଶିଳ୍ପୀ ଯୋଗ ଦେବେ । ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା, ମଣିପୁର, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟର ହସ୍ତଶିଳ୍ପୀଙ୍କୁ ନେଇ କର୍ମଶାଳା ଆୟୋଜନ କରାଯିବ । ଏହା ସହ ଷ୍ଟଲ ମାଧ୍ୟମରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ହସ୍ତକଳାକୁ ପ୍ରଦର୍ଶନ କରିପାରିବେ । ଏହା ସହ ସୁପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କୁ ନେଇ ଦୁଇ ଦିନ ଧରି ଫ୍ୟାସନ ଶୋ'ର ଆୟୋଜନ କରାଯିବ । ସମ୍ମିଳନୀରେ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ କରାଯିବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଅଧିକାରୀମାନେ ଯୋଗ ଦେଇଥିବା ବେଳେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.