ETV Bharat / state

‘ମୋ ସ୍କୁଲ’ ବୈଠକ: ଗଣତନ୍ତ୍ର ଦିବସରେ ରୂପାନ୍ତରଣର ଗାଥା ଗାଇବ ପ୍ରଜ୍ଞାପନ ମେଢ଼

author img

By ETV Bharat Odisha Team

Published : Dec 31, 2023, 9:13 AM IST

Mo School Abhiyan: ଜାନୁୟାରୀ 31ରେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ କରାଯିବ ପ୍ରଦାନ । ସାଧାରଣତନ୍ତ୍ର ଦିବସ ପରେଡରେ ଶୋଭାପାଇବ ୫-ଟି ରୂପାନ୍ତରୀକରଣର ସଫଳତା ଆଧାରିତ ପ୍ରଜ୍ଞାପନ ମେଢ଼ । ଅଧିକ ପଢନ୍ତୁ

‘ମୋ ସ୍କୁଲ୍‌ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ
‘ମୋ ସ୍କୁଲ୍‌ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩୧ରେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହେବ । ମୋ ସ୍କୁଲ୍‌ ଅଭିଯାନର ୪୫ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ଏଥିସହ ଫେବୃଆରୀ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣୀ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ଜିଲ୍ଲା ଏକ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ କରିବେ । ଏହାସହ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବିକାଶିତ କରିବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ସ୍କୁଲକୁ ସାମିଲ କରିବାକୁ ବୈଠକ ଅନୁମୋଦନ ଦେଇଛି ।

ମୋ ସ୍କୁଲ୍‌ ଅଭିଯାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ବୈଠକରେ ଅନୁମୋଦନ କରାଯାଇଥିଲା । ମୋ ସ୍କୁଲ ଅଭିଯାନ ସହ ୩୦ ଡିସେମ୍ବର ୨୦୨୩ ସୁଦ୍ଧା ୮,୨୭,୧୮୨ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ସେଥିମଧ୍ୟରୁ ୭୧୯୪ ଜଣ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ନୂତନ ଭାବରେ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି । ଅନ୍ୟପକ୍ଷରେ ୨୦୨୪ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ୫-ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣକୁ ପ୍ରଦର୍ଶିତ କରିବାକୁ ‘ମୋ ସ୍କୁଲ ଅଭିଯାନ’ ତରଫରୁ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯିବ । ସେଥିରେ ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣର ସମସ୍ତ ଉଦ୍ୟମ ଓ ସଫଳତା ବର୍ଣ୍ଣିତ ହେବ । ତେବେ ସମୁଦାୟ ୨୮ଟି ଜିଲ୍ଳାର ୮୭୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଏହା ମଧ୍ୟ ପଢନ୍ତୁ... ଅଧାପନ୍ତରିଆ 5ଟି ବିଦ୍ୟାଳୟ, ବ୍ୟାପକ ଅନିୟମିତତା ଅଭିଯୋଗ

ପୁରାତନ ଛାତ୍ରଛାତ୍ରୀଙ୍କ ୫ କୋଟି ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ରାଜ୍ୟ ସରକାରଙ୍କ ଦୁଇ ଗୁଣ ଆର୍ଥିକ ଅନୁଦାନ ରାଶିରେ ଅନେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶ କରାଯାଉଛି । ବୌଦ୍ଧ, ଜଗତସିଂହପୁର ଓ ନୂଆପଡ଼ା ଜିଲ୍ଲା କମିଟି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟରେ୧୭ଟି ସ୍କୁଲ ପାଇଁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଅନୁଦାନ ସହଯୋଗର ତାଲିକାକୁ ବୈଠକରେ ମଞ୍ଜୁର କରାଯାଇଛି । ରାଜ୍ୟର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲରେ ପାଠପଢା କରିବା ସହ ଇ-ଲାଇବ୍ରେରୀ ବ୍ୟବହାର, ଅତ୍ୟାଧୁନିକ ବିଜ୍ଞାନାଗାର, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ଶିଶୁ ସୁଲଭ ସ୍କୁଲ କ୍ୟାମ୍ପସ ସମେତ ଶୁଦ୍ଧ ପାନୀୟଜଳ ଓ ପୃଥକ ଶୌଚାଳୟର ସୁବିଧା ଆଦି ଏହି ୫ଟି ସ୍କୁଲ ରୂପାନ୍ତରଣରେ ଅଂଶୀଭୂତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.