ETV Bharat / state

ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ: କୃଷି ମନ୍ତ୍ରୀ

author img

By

Published : Apr 28, 2023, 8:23 AM IST

କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମୀକ୍ଷା
କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମୀକ୍ଷା

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: କୃଷି ଭବନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା କରିବା ସହ କହିଛନ୍ତି, "ବୈଷୟିକ ବାତାବରଣ ଓ ଗବେଷଣା କ୍ଷେତ୍ରରେ ଉନ୍ନତି ଦରକାର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଗବେଷଣାଲବ୍ଧ ଜ୍ଞାନକୌଶଳ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ସୁଫଳ ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚାବାର ଅଛି । ଏହା ହୋଇପାରିଲେ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇପାରିବ ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇପାରିଛି । କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷି ସହିତ ମତ୍ସ୍ୟ, ପ୍ରାଣୀପାଳନ ଓ ଫସଲ ଆଦିର ବିବିଧିକରଣ ଦ୍ୱାରା ଚାଷୀର ଆୟ ବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶ୍ୱବିଦ୍ୟାଳୟର କୃଷି ବୈଜ୍ଞାନିକମାନେ ଉନ୍ନତ ଓ ଅଧିକ ଅମଳକ୍ଷମ ଫସଲ ବିହନ ସହିତ ନୂତନ ଜ୍ଞାନକୌଶଳ ଉଦ୍ଭାବନ ଦିଗରେ ଉଚ୍ଚତର ଗବେଷଣା କରିବାର ଆବଶ୍ୟକତା ରହିଛି । ଉନ୍ନତ ଜ୍ଞାନକୌଶଳ ସମ୍ବନ୍ଧୀୟ ସଚେତନତା ଓ ସଂପ୍ରସାରଣ ଶିକ୍ଷାକୁ ତୃଣମୂଳ ସ୍ତରରେ ସମସ୍ତଙ୍କ ନିକଟରେ ପହଞ୍ଚାଇ ପାରିଲେ ଏହାର ଗ୍ରହଣୀୟତା ଓ ଲୋକପ୍ରିୟତା ବୃଦ୍ଧି ପାଇବ ।"

ବିଶ୍ୱବିଦ୍ୟାଳୟ ଚାଷୀଙ୍କ ସମସ୍ୟାଭିତ୍ତିକ ବିଷୟକୁ ନେଇ ନୂତନ ଗବେଷଣା କରିବା ଆବଶ୍ୟକ । ଏଥି ସହିତ ପନିପରିବା, ତୈଳବୀଜ ଏବଂ ଡାଲିଜାତୀୟ ଫସଲର ଅଧିକ ଅମଳକ୍ଷମ ହାଇବ୍ରିଡ଼ ବିହନ ଉତ୍ପାଦନ କରିବାକୁ ମନ୍ତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବାବେଳେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଦିଗରେ କୁଳପତି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମାନବସମ୍ବଳର ସଠିକ ଚୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏଥି ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ନିମନ୍ତେ ଏକ ଫଳପ୍ରଦ ପାଠ୍ୟକ୍ରମ ବିଶ୍ୱବିଦ୍ୟାଳୟର ପାଠ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କ୍ଷେତ୍ରରେ ମୂଲ୍ୟାୟନ ସମୟରେ ବିଶ୍ୱବିଦ୍ୟାଳୟର ଶିକ୍ଷାନବୀସମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ କୃଷିବିଜ୍ଞାନ କେନ୍ଦ୍ରରେ ସମନ୍ୱିତ କୃଷି ପଦ୍ଧତିର ଏକ ମଡେଲ କରିବା ପାଇଁ କହିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଜିଲ୍ଲା ନିମନ୍ତେ ନିୟୋଜିତ ନୋଡାଲ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ କୃଷିବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ପାଇଁ କହିଛନ୍ତି । ଏଥି ସହିତ ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ଅନୁକୂଳ ‘କୃଷି ଗ୍ରାମ’ ପ୍ରତିଷ୍ଠା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନେବା ପାଇଁ ସଚିବ କହିଛନ୍ତି ।

ମତ୍ସ୍ୟଚାଷ ଓ ପ୍ରାଣୀପାଳନ କୃଷକମାନଙ୍କ ଆୟବୃଦ୍ଧି ଓ ଜୀବିକା ନିର୍ବାହ ନିମନ୍ତେ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଶ୍ୱବିଦ୍ୟାଳୟ ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ନିମନ୍ତେ ଅଧିକ ଗବେଷଣା କରିବା ଆବଶ୍ୟକ । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପରାମର୍ଶ ଦେଇଛନ୍ତି । ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ, ୧୯୬୨ ମସିହାରେ ଭାରତରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭାବରେ ପ୍ରତିଷ୍ଠା କରାଯାଇଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ସହିତ ରାଜ୍ୟର ସ୍ଥାନୀୟ ଜଳବାୟୁ ଓ ମୃତ୍ତିକାକୁ ଦୃଷ୍ଟିରେ ରଖି ଅନେକ ଉନ୍ନତ କିସମ ବିହନ ଓ କୃଷି ଜ୍ଞାନକୌଶଳ ଉଦ୍ଭାବନ କରିଛି । ଏଥି ସହିତ ସଂପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ଚାଷୀଙ୍କୁ ଆବଶ୍ୟକ ସାହାଯ୍ୟ ଓ ପରାମର୍ଶ ଯୋଗାଇ ଦେଉଛି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଲୋପାମୁଦ୍ରା ମହାନ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଡିନ ଓ ପ୍ରଫେସରବୃନ୍ଦ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.