ETV Bharat / state

Train Tragedy: ଗୋଟିଏ ମୃତଦେହ ପାଇଁ ୪ରୁ ୬ ଦାବିଦାର, AIIMSରୁ ଗଲା ୩୩ DNA ନମୂନା

author img

By

Published : Jun 7, 2023, 10:22 PM IST

AIIMSରୁ ଗଲା ୩୩ DNA ନମୂନା
AIIMSରୁ ଗଲା ୩୩ DNA ନମୂନା

ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଏବେ ମଧ୍ୟ ଅନେକ ମୃତଦେହ ଚିହ୍ନଟ ହୋଇପାରିନାହିଁ । କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବାବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୪ରୁ ୬ ଜଣ ଲେଖାଏଁ ଦାବିଦାର ବାହାରୁଥିବା କହିଛନ୍ତି ମେୟର । ଏଥିପାଇଁ ଆଜି ୩୩ଟି DNA ନମୂନା ସଂଗ୍ରହ ହୋଇଛି । ଅଧିକ ପଢ଼ନ୍ତୁ

AIIMSରୁ ଗଲା ୩୩ DNA ନମୂନା

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଅନେକ ମୃତଦେହ ଏବେ ମଧ୍ୟ ଚିହ୍ନଟ ହୋଇପାରିନାହିଁ । ଏହି ସବୁ ମୃତଦେହ AIIMSରେ ସଂରକ୍ଷିତ ହୋଇ ରହିଥିବା ବେଳେ ଆଜି ୩୩ଟି DNA ନମୂନା ସଂଗ୍ରହ ହୋଇଛି । ୨ ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବାବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୪ରୁ ୬ ଜଣ ଲେଖାଏଁ ଦାବିଦାର ବାହାରୁଥିବା କହିଛନ୍ତି ମେୟର । ଯାହାକୁ ନେଇ DNA ଟେଷ୍ଟ ବର୍ତ୍ତମାନ ଜରୁରୀ ହୋଇପଡିଛି ବୋଲି ମେୟର କହିଛନ୍ତି ।

ଏନେଇ ଭୁବନେଶ୍ବର ମେୟର କହିଛନ୍ତି, "୧୩ଟି ରେଫ୍ରିଜରେଟର୍‌ରେ ୪ଟି କଣ୍ଟେନରରେ ମୃତଦେହ ସଂରକ୍ଷିତ ହୋଇ ରହିଛି । ସ୍ଥିତି ଯାହାବି ହେଉ, ଉପଯୁକ୍ତ ବା ଠିକ ଲୋକ କିଭଳି ମୃତଦେହ ପାଇପାରିବେ ସେଥିପାଇଁ ବିଏମ୍‌ସି, ପୋଲିସ, ରାଜ୍ୟ ସରକାର, ମେଡିକାଲ ଅଧିକାରୀ, ସମସ୍ତେ ନିଜର ଦାୟିତ୍ବ ସୂଚାରୁରୂପେ ପାଳନ କରିଛନ୍ତି । ସମ୍ପର୍କୀୟଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର '୧୯୨୯' ଖୋଲିଛି । ବିଏମ୍‌ସିର କର୍ମଚାରୀ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି । ଏପରିକି ମୋ ପରିବାର ସମେତ ଘରୋଇ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ସମ୍ପର୍କୀୟଙ୍କ ଖାଇବା ପିଇବା ସହ ଆବଶ୍ୟକୀୟ ସାହାଯ୍ୟ କରିଛନ୍ତି । ଏହି ଦୁଃଖଦ ଘଟଣାକୁ ସମସ୍ତେ ମିଳିମିଶି ସାମ୍ନା କରୁଛନ୍ତି । ଓଡିଶାବାସୀଙ୍କ ଧୈର୍ଯ୍ୟ, ସାହସ ଓ ବାଲେଶ୍ବରବାସୀଙ୍କ ମହାନତାକୁ ନେଇ ଓଡ଼ିଶା ଆଜି ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଉଦାହରଣ ସୃଷ୍ଟି କରିଛି ।" ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଭୁବନେଶ୍ବର ମେୟର ।

ଏଠାରେ ସୂଚନା ଥାଉକି, ପୂର୍ବରୁ ୧୨୩ ମୃତଦେହ ଥିବାବେଳେ ଗତକାଲି ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଥିବା ୩୯ ମୃତଦେହ ଏମ୍‌ସ୍‌କୁ ଅଣାଯାଇଛି । ଏହାକୁ ମିଶାଇ ଏମ୍‌ସ୍‌ରେ ସମୁଦାୟ ୧୬୨ ମୃତଦେହ ସଂରକ୍ଷିତ ହୋଇଥିଲା । ସମସ୍ତ ମୃତଦେହ ବର୍ତ୍ତମାନ ଏମ୍‌ସ୍‌ରେ ରହିଥିବା ରେଳ ବିଭାଗ ଠାରୁ ଆରମ୍ଭ କରି ବିଏମ୍‌ସି ସବୁ ସମ୍ପର୍କୀୟଙ୍କୁ ମୃତଦେହ ପାଇଁ ଏମ୍‌ସ୍‌ ଆସିବାକୁ ଅନୁରୋଧ କରିଛନ୍ତି । ଭୁବନେଶ୍ବରର ଅନ୍ୟ ହସ୍ପିଟାଲରେ ନବୁଲି ସିଧାସଳଖ ସେଠାକୁ ଆସିବା ପାଇଁ କୁହାଯାଉଥିବା ବେଳେ ରେଳ ବିଭାଗ ମଧ୍ୟ ଆତ୍ମୀୟଙ୍କୁ ଏମ୍‌ସ୍‌କୁ ମୃତଦେହ ଚିହ୍ନଟ ପାଇଁ ନେଇ ଯାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.