ETV Bharat / state

ମା’ ବରୁଣେଇଙ୍କ ପୀଠରେ ମହାଷ୍ଟମୀ ପୂଜା, ଏଣ୍ଡୁରୀ ପିଠା ଭୋଗ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ

author img

By

Published : Oct 12, 2021, 10:43 PM IST

ବିନା ଭକ୍ତରେ ମା’ ବରୁଣେଇଙ୍କ ପୀଠରେ ମହାଷ୍ଟମୀ ପୂଜା ସମାପିତ
ବିନା ଭକ୍ତରେ ମା’ ବରୁଣେଇଙ୍କ ପୀଠରେ ମହାଷ୍ଟମୀ ପୂଜା ସମାପିତ

ଖୋର୍ଦ୍ଧାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ବରୁଣେଇ ଓ କରୁଣେଇଙ୍କ ପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । କୋରୋନା କଟକଣା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ପାର୍ବଣରେ ମା’ଙ୍କର ପୂଜା ସର୍ବତ୍ର ପାରମ୍ପରିକ ରୀତିନୀତି ଅନୁଯାଇ ପାଳନ କରାଯାଉଛି । ଖୋର୍ଦ୍ଧାଗଡର ଅଧିଷ୍ଠାତ୍ରୀ ଦେବୀ ତଥା ପାଇକଙ୍କର ଆରାଧ୍ୟା ଦେବୀ ମା’ ବରୁଣେଇ ଓ କରୁଣେଇଙ୍କ ପୀଠରେ ଆଜି ମହାଷ୍ଟମୀ ପୂଜାନୀତି ଅନୁଷ୍ଠିତ ହୋଇଛି । ବିଶ୍ବ କଲ୍ୟାଣ ପାଇଁ ମନ୍ତ୍ର ଉଚ୍ଚାରଣ, ହୋମ ଆଦି କର୍ମ କରି ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ପଣ୍ଡିତ ।

ବିନା ଭକ୍ତରେ ମା’ ବରୁଣେଇଙ୍କ ପୀଠରେ ମହାଷ୍ଟମୀ ପୂଜା ସମାପିତ

ମହାଷ୍ଟମୀରେ ସକାଳୁ ମା’ଙ୍କର ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଗୋ ପୂଜା ଆଦି କର୍ମ କରାଯାଇଛି । ପରେ ମା’ଙ୍କର ଷୋଡଶ ଉପଚାର ପୂଜା, ନିତ୍ୟ ପୂଜା,ଚଣ୍ଡୀ ପାଠ, ହୋମ ଆଦି ପୂଜା ଅନୁଷ୍ଠିତ ହୋଇଛି । ସକାଳ ଧୂପ ନୈବେଦ୍ୟ ନୀତି ସମାପିତ ହେବା ପରେ ମଧ୍ୟାହ୍ନରେ ମା’ଙ୍କର ପ୍ରିୟ ଏଣ୍ଡୁରୀ ପିଠା, ଖେଚୁଡି ଭୋଗ ଏବଂ ସନ୍ଧ୍ୟାରେ ମା’ଙ୍କୁ ସଙ୍ଖୁଡି ଭୋଗ ଲାଗି କରାଯାଇଛି । ମା’ଙ୍କର ପ୍ରିୟ ଏଣ୍ଡୁରୀ ପିଠା ଭୋଗକୁ ପାଇବା ପାଇଁ ଭକ୍ତମାନେ ବ୍ୟାକୁଳ ଥାଆନ୍ତି । ମାତ୍ର ଚଳିତବର୍ଷ କୋରୋନା କଟକଣା ହେତୁ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ମା’ଙ୍କର ପୂଜା ରୀତିନୀତି ପରମ୍ପରା ଆଧାରରେ ହେଉଛି । ମା’ ବରୁଣେଇଙ୍କର ଶାରଦୀୟ ପୂଜା କାହିଁ କେତେ କାଳରୁ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ କୋରୋନା କଟକଣା ହେତୁ ବିନା ଭକ୍ତରେ ମନ୍ଦିର ପରିବେଶ ଖାଁଖାଁ ଲାଗୁଛି । କେବଳ ପୂଜାରୀ ଓ ବ୍ରାହ୍ମଣଙ୍କୁ ନେଇ ମା’ଙ୍କର ପୂଜା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ଏବଂ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ମୁତୟନ ଅଛନ୍ତି । ବିଶ୍ବାସ ରହିଛି ଶାରଦୀୟ ପୂଜାରେ ମା’ ବରୁଣେଇ ଓ କରୁଣେଇଙ୍କୁ ସନ୍ତୁଷ୍ଟ କଲେ ବିଶ୍ବର କଲ୍ୟାଣ ହୋଇଥାଏ । ଏହି ପୂଜା ଆସନ୍ତା ଦଶହରା ତିଥିରେ ସମାପିତ ହେବ । କୋରୋନା କଟକଣା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.