ETV Bharat / state

ଜାନୁଆରୀ ୧୨ରୁ କୃଷି ଓଡ଼ିଶା-୨୦୨୪, ଥିମ 'କୃଷି ପ୍ରଗତିରେ ମହିଳା’

author img

By ETV Bharat Odisha Team

Published : Jan 8, 2024, 9:21 PM IST

Krushi Odisha 2024: ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି ‘କୃଷି ଓଡ଼ିଶା ୨୦୨୪’ । ଆସନ୍ତା ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ଦେବ । ଅଧିକ ପଢ଼ନ୍ତୁ

କୃଷି ଓଡ଼ିଶା-୨୦୨୪
କୃଷି ଓଡ଼ିଶା-୨୦୨୪

କୃଷି ଓଡ଼ିଶା-୨୦୨୪

ଭୁବନେଶ୍ବର: ରାଜଧାନୀର ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି ‘କୃଷି ଓଡ଼ିଶା ୨୦୨୪’ । ଆସନ୍ତା ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ଦେବ । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭ ଉଦଘାଟନ କରିବାକୁ ଥିବାବେଳେ ରାଜ୍ୟପାଳ ରଘୁବର ଦାସ ଉଦଯାପିତ ଉତ୍ସବରେ ସାମିଲ ହେବେ । କାର୍ଯ୍ୟକ୍ରମରେ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀ ଯୋଗଦେବେ । ତେବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସଫଳ କୃଷି ମଡେଲରେ ନିଜର ଉତ୍କର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସମ୍ମାନିତ କରାଯିବ । କୃଷି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀ ।

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନରେ ‘କୃଷି ଓଡ଼ିଶା-୨୦୨୪’ ଆୟୋଜିତ ହେବ । କୃଷି ଓଡ଼ିଶାର ଚଳିତ ବର୍ଷ ବିଷୟବସ୍ତୁ ‘କୃଷି ପ୍ରଗତିରେ ମହିଳା’ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ସ୍ବୀକୃତି ସହିତ ମହିଳା କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତିଷ୍ଠାନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ବୟ ଓ ଏକାଭିମୁଖତା ନିମିତ୍ତ ଉପଯୁକ୍ତ ମଞ୍ଚ ପ୍ରସ୍ତୁତ ଏବଂ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ଆଦିକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ କୃଷି, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବୃହତ ନିବେଶର ସୁଯୋଗ ଗୁଡ଼ିକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ହେଉଥିବା ଏକ 3 ଦିନିଆ କାର୍ଯ୍ୟକ୍ରମ ।

ଏହା ମଧ୍ୟ ପଢ଼ନ୍ତୁ......Krushi Odisha 2023: କୃଷି ଯାନ୍ତ୍ରିକୀକରଣ, ରୋଜଗାର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ସମୁଦାୟ ଏବଂ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି କୃଷି ଓଡ଼ିଶା-୨୦୨୪ର ଶୁଭ ଉଦଘାଟନ କରିବେ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏଠାରେ ସଫଳ ମହିଳା କୃଷକ ଓ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମ୍ବନ୍ଧିତ କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ପ୍ରତିଷ୍ଠାନ, ସିଜିଆଇଏଆର ପ୍ରତିଷ୍ଠାନ, ବେସରକାରୀ ସଂଗଠନ ଗୁଡ଼ିକର ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ ଆୟୋଜନ ହେବ । କୃଷକ ଓ ବୈଜ୍ଞାନିକ ଆଲୋଚନାଚକ୍ର, ସେମିନାର, କୃଷକ ସୁବିଧା କେନ୍ଦ୍ର, ଅଭିଜ୍ଞତା ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତିଗୁଡ଼ିକର ପ୍ରଦର୍ଶନ, କୃଷି ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରୁଥିବା ମଣ୍ଡପ, ପୁରସ୍କାରପ୍ରାପ୍ତ ମହିଳା କୃଷକ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପାଇଁ ସମ୍ବଦ୍ଧନାର କାର୍ଯ୍ୟକ୍ରମ ରହିଛି ।

କୃଷି ଓଡ଼ିଶା-୨୦୨୪କୁ ଅଧିକ ସ୍ମରଣୀୟ ଓ କାର୍ଯ୍ୟଦକ୍ଷ କରିବା ପାଇଁ କ୍ବିଜ୍‌, ବକ୍ତୃତା, ପରୀକ୍ଷାମୂଳକ ଜଳକ୍ରୀଡା, କୃଷକମାନଙ୍କ ସ୍ଥାନୀୟ କଳା, କାହାଣୀ ଉପସ୍ଥାପନ, ପୋଷ୍ଟକାର୍ଡ ବିନିମୟ, କୃଷକ ସୁଗମକାରୀ କେନ୍ଦ୍ର ଓ ପରୀକ୍ଷାମୂଳକ ଶୈକ୍ଷିକ କେନ୍ଦ୍ରର ଆୟୋଜନ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାରୁ ସଫଳ କୃଷି ମଡେଲରେ ନିଜର ଉତ୍କର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.